ବଡ଼ସିଂହାର ବେଶ

Besha

PAGE VIEWS: 380

 


ବଡ଼ସିଂହାର ବେଶ

ବଡ଼ସିଂହାର ବେଶ

ଶ୍ରୀମନ୍ଦିର ସ୍ଵତ୍ତଲିପି ମୁତାବକ ଦୈନନ୍ଦିନ ରତ୍ନ ସିଂହାସନଧିଷ୍ଟିତ ଶ୍ରୀବିଗ୍ରହମାନଙ୍କର ବଡ଼ସିଂହାର ବେଶ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର ବା ବେଶ, ଦ୍ବିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରିରେ ଭୂଷିତ ହୋଇଥାନ୍ତି । ମୁଖ୍ୟତଃ ବଡ଼ସିଂହାର ବେଶ ହେଉଛି ପୁଷ୍ପବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ସମଗ୍ର ଭାରତରେ ବିରଳ ।




ଖ୍ରୀଷ୍ଟିୟ ଦ୍ଵାଦଶ ଶତାବ୍ଦୀରୁ ଏହି ମନୋରମ ପୁଷ୍ପ ଶୃଙ୍ଗାର ବା ବେଶ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ । କଥିତ ଅଛି ଯେ, ବିଳମ୍ବିତ ରାତ୍ରରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନକୁ ଦେବତାମାନେ ଦୁର୍ଲଭ ମନେ କରନ୍ତି । ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଉଲ୍ଲେଖ ହୋଇଛି ଯେ ରାତ୍ର ୧୦ଟା୩୦ ମିନିଟ୍ ସମୟରେ ବଡ଼ସିଂହାର ବେଶ ହେବାର ନିୟମ । ଏହି ବେଶ ପାଇଁ ଶ୍ରୀରାମ ଦାସ ମଠ ପୁଷରେ ନିର୍ମିତ କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଏ । ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାଏ । ଏହି ପୃଷ୍ଣ ଅଳଙ୍କାର ଯୋଗାଇବା ସକାଶେ ଉକ୍ତ ଦୁଇ ମଠ ଖଞ୍ଜା ଜମି ଭୋଗ କରନ୍ତି । ଚାଙ୍ଗଡ଼ା ଘରୁ ଚାଙ୍ଗଡ଼ା ମେକାପ ବାରଲାଗି ପାଟ ଯୋଗାଏ । ଏହି ପାଟରେ ଗୀତଗୋବିନ୍ଦ ଶ୍ଳୋକ ବୁଣାଯାଇଥାଏ । ସାଧାରଣତଃ ବର୍ଷକୁ ୮ ସଜ ପାଟ ଆବଶ୍ୟକ ପଡ଼ିଥାଏ । ଚନ୍ଦନଲାଗି ବଢ଼ିବା ପରେ ଚାଙ୍ଗଡ଼ା ମେକାପ ମଇଲମ ଲୁଗା ପଶୁପାଳକ (ପୁଷ୍ପାଳକ) ମାନଙ୍କୁ ବଢ଼ାନ୍ତି । ପୁଷ୍ପାଳକମାନେ ଠାକୁରମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଓ ମାଳ ଫୁଲରେ ବେଶ କରାନ୍ତି । କରପଲ୍ଲବ, କୁଣ୍ଡଳ, ଚନ୍ଦ୍ରିକା ଦୁଇ ଠାକୁରଙ୍କୁ ଲାଗି ହୁଏ । ତଡ଼ଗି ଓ ଚନ୍ଦ୍ରିକା ସୁଭଦ୍ରା ଠାକୁରାଣୀଙ୍କୁ ଲାଗି ହୁଏ । ଏହି ବେଶରେ ଠାକୁରମାନେ କେବଳ ଫୁଲରେ ବେଶ ହୁଅନ୍ତି । ବେଶ ବଢ଼ାଇସାରି ପଶୁପାଳକ (ପୁଷ୍ପାଳକ) ମାନେ ଠାକୁରମାନଙ୍କୁ କର୍ପୂର ଲାଗି କରନ୍ତି ଓ ସିଂହାସନରୁ ଓହ୍ଲାଇ ଯାଆନ୍ତି । ତତ୍ପରେ ପାଣି ପଡ଼ି ବଡ଼ସିଂହାର ବେଶର ଆୟୋଜନ ହୁଏ ।

ଗବେଷକ ମାନଙ୍କ ମତାନୁଯାୟୀ କବି ଜୟଦେବଙ୍କ ସମୟରେ । ଗୀତଗୋବିନ୍ଦର ପ୍ରଚଳନ ହୋଇ ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର (ଶୃଙ୍ଗାର) ବେଶରେ ଠାକୁରମାନଙ୍କୁ ଲାଗି ହେଲା । ଏହି ବେଶରେ ଠାକୁରମାନେ ଖଣ୍ଡୁଆ, ପହରଣ, ତାରାବଳୀ ଖଣ୍ଡୁଆ (ପୂର୍ବେ ଲାଗି ହେଉଥିଲା) ଫୁଟା, ଶିରକପଡ଼ା (ଶ୍ରୀକାପଡ଼ା) ସୁତାଲୁଗା ଇତ୍ୟାଦି ପାରମ୍ପରିକ ବସ୍ତ୍ରମାନ ପରିଧାନ କରିଥାନ୍ତି । ସୂଚନାଯୋଗ୍ୟ ଯେ, ନୀଳଧଡ଼ିଯୁକ୍ତ ଧଳା ଶିରକପଡ଼ା ବଳଭଦ୍ରଙ୍କୁ, । ହଳଦିଆ ରଙ୍ଗ ଧଡ଼ିର ଶିରକପଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଓ ନାଲିଧଡ଼ିଆ ଧଳା ଶିରକପଡ଼ା ମା ସୁଭଦ୍ରାଙ୍କୁ ଲାଗି ହୋଇଥାଏ । ଉକ୍ତ ବେଶରେ ଠାକୁରମାନେ ଲାଗି ହେଉଥିବା ବିଭିନ୍ନ ପୁଷ୍ପଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା, ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ପା, ନାକୁଆସି, ଦୟଣା, ଅଧରମାଳ, ମକର କୁଣ୍ଡଳ, ଶ୍ରୀପୟରମାଳା, ହୃଦୟପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ ।

ରତ୍ନ ସିଂହାସନସ୍ଥିତ ଚତୁର୍ଦ୍ଧାମୂର୍ତ୍ତି ଯଥା ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କ ମସ୍ତକରେ ଫୁଲ ଓ ତୁଳସୀରେ ନିର୍ମିତ ଗଭା ଲାଗି ହୋଇଥାଏ ଗଭା ଉପରେ ଚନ୍ଦ୍ରିକା ରହିଥାଏ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ କପାଳରେ ତିଳକ
ଶୋଭା ପାଉଥାଏ ଏତଦ୍‌ବ୍ୟତୀତ ଠାକୁରମାନଙ୍କର କପାଳ ଦେଶରେ ଯଥାକ୍ରମେ ବଳଭଦ୍ରଙ୍କର ୧୦ଟି, ସୁଭଦ୍ରାଙ୍କର ୮ଟି ଏବଂ ଜଗନ୍ନାଥଙ୍କର ୧୨ଟି ଅଳକା ଲାଗିହୁଏ । ନାସାରେ ଝୁମ୍ପା ଓ ଗୁଣା ତିନି ଠାକୁରଙ୍କୁ ଲାଗି କରାଯାଏ । ସେହିପରି ଶ୍ରୀ ବିଗ୍ରହମାନଙ୍କ ଗଳାଦେଶରେ ଅଧରମାଳା ଲାଗିହୁଏ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ କଣ୍ଠ ଦେଶରେ ଦୁଇଟି କରି ପୁଷ୍ପ କୁଣ୍ଡଳ ଏବଂ ସୁଭଦ୍ରାଙ୍କ ଶିରରେ ଦୁଇପାର୍ଶ୍ଵରେ ତଡ଼ଗି ଲାଗି ହୁଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଶ୍ରୀଭୁଜରେ ୨ଟି ଲେଖାଏଁ କରପଲ୍ଲବ ଲାଗି କରାଯାଏ । ଠାକୁରଙ୍କ ନାଭି ଦେଶରେ ନଖ ତୁଳସୀ ଏବଂ ଭୁଜରୁ ପାଦଦେଶ ପର୍ଯ୍ୟନ୍ତ ପୁଷ୍ପହାର (ଶ୍ରୀପୟର) ଓ ଚଉସରା ମାଳରେ ଠାକୁରମାନେ ଭୂଷିତ ହୋଇଥାନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ଶ୍ରୀଦେବୀ ଓ ଭୂଦେବୀ ତୁଳସୀ ବିହୀନ ସୁବାସିତ ପୁଷ୍ପ ଓ ଖଣ୍ଡୁଆ ପାଟରେ ତଥା ମାଧବ ବିଗ୍ରହ ଗଭାରେ ତୁଳସୀ ଓ ହୃଦୟରେ ଫୁଲ ମାଳରେ ବେଶ ହୋଇଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ ତରାଟ, ଟଗର, ପଦ୍ମ, ଚମ୍ପା, ଗେଣ୍ଡୁ, ମାଳତୀ, ଗୋଲାପ, ଜୁଇ, ମଲ୍ଲୀ, କୁସୁମ, କୁନ୍ଦ ପ୍ରଭୃତି ସୁଗନ୍ଧିପୁଷ୍ପ ଓ ତୁଳସୀ, ଦୟଣା, ରଂଗଣୀରେ ନାନାପ୍ରକାର ଫୁଷ ଅଳଙ୍କାର ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବରେ ନିର୍ମିତ ହୋଇଥାଏ । ଶ୍ରୀମନ୍ଦିରରେ ଦୁଇ ମୁଖ୍ୟ ଉପବନରୁ ଏହି ଫୁଲ ଦୈନିକ ସଂଗୃହୀତ ହୋଇଥାଏ । ସ୍ଵତନ୍ତ୍ର ଶୈଳୀରେ ପୁଷ୍ପ ଶିଳ୍ପୀମାନଙ୍କ ଦ୍ଵାରା ଆବଶ୍ୟକୀୟ ଉପକରଣ ଯଥା – (କଦଳୀ ପଟୁକା, ଛୁଞ୍ଚି, ପଣସପତ୍ର, ସୂତା, ଛୁରୀ, ଭୋଗେଇ, ଡ଼ାଲା, ବେତା ଓ ଚାଙ୍ଗୁଡ଼ା ଇତ୍ୟାଦି) ସାହାଯ୍ୟରେ ପୂର୍ବ ବର୍ଣ୍ଣିତ ପୁଷ୍ପ ଅଳଙ୍କାର ଗୁଡ଼ିକ ଶ୍ରୀମନ୍ଦିରସୁ ନୀଳାଚଳ ଉପବନ, କୋଇଲି ବୈକୁଣ୍ଡ ଓ ଶ୍ରୀମନ୍ଦିର ଭିତର ବେଢ଼ାସ୍ତ୍ର ପାଦପଦ୍ମଠାରେ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସବୁ ପୁଷ ଅଳଙ୍କାର ତଥା ମାଳ ଯୋଗାଇ ଦିଆଯାଇଥାଏ । ଏତଦ୍‌ବ୍ୟତୀତ ଜଗନ୍ନାଥ ବଲ୍ଲଭ ମଠ,ଏମାର ମଠ, ସୁନା ଗୋସେଇଁ ମଠ ତରଫରୁ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପୁଷ ଅଳଙ୍କାର ଶ୍ରୀମହାପ୍ରଭୁମାନଙ୍କ ବିଭିନ୍ନ ବେଶ ପାଇଁ ଶ୍ରୀମନ୍ଦିରକୁ ଆସିଥାଏ। । ଶ୍ରୀମନ୍ଦିରର ଖୁଣ୍ଟିଆ ସେବକମାନେ ମାଳ ଫୁଲର ପବିତ୍ରତାକୁ ରକ୍ଷା କରି ନିଷେଧ ଥିବା ଫୁଲ ଯେପରି ଲାଗି ନ ହୁଏ ତାହା ଯାଞ୍ଚ କରି ବିଭିନ୍ନ ବେଶରେ ଲାଗି ହେବା ପାଇଁ ଫୁଲମାଳ ତୁଳସୀ ଇତ୍ୟାଦି ପୁଷ୍ପାଳକ ସେବକମାନଙ୍କୁ ଦେଇଥାନ୍ତି ।

ବଡ଼ସିଂହାର ବେଶ ହେଉଛି ବିଶେଷ ମାନସିକତା, ଭାବାବସ୍ଥା ତଥା ପ୍ରକୃତିର ପ୍ରତିଫଳନ । ଜନଶ୍ରୁତି ଅନୁଯାୟୀ ଅତିବଡ଼ୀ ଜଗନ୍ନାଥ ଦାସ ଗୋସ୍ଵାମୀ ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିବା ପରେ ଶୟନ କରୁଥିଲେ । ବାସ୍ତବିକ୍ ବଡ଼ସିଂହାର ବେଶ ବୈଷ୍ଣବ କବିମାନଙ୍କର ଅତ୍ୟନ୍ତ ପ୍ରିୟ ।

ବଡ଼ସିଂହାର ବେଶ ପରେ ପରେ ଠାକୁରମାନଙ୍କ ବଡ଼ସିଂହାର ଭୋଗ ହୁଏ । ସୂଚନାଯୋଗ୍ୟ ଯେ, ଏହି ବେଶରେ ଠାକୁରମାନଙ୍କ ପହୁଡ଼ ବା ଶୟନ ନୀତି ସଂପାଦିତ ହୋଇଥାଏ । ତତ୍‌ପର ଦିନ ମଙ୍ଗଳ ଆଳତି ପରେ ମଇଲମ (ବେଶ ଓଲାଗି) ହୋଇଥାଏ । ପୁଷ୍ପ ଅଳଙ୍କାର ଗୁଡ଼ିକ ମଇଲମ ହେବାପରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର କେତେକ ନିର୍ଦ୍ଦିଷ୍ଟ ଦେବଦେବୀଙ୍କୁ ଲାଗି କରାଯାଏ । ବିଶେଷ କରି ଶ୍ରୀବଳଭଦ୍ରଙ୍କ ଅଧରମାଳା ମା ବିମଳାଙ୍କୁ, ଶ୍ରୀଜଗନ୍ନାଥଙ୍କ ଅଧରମାଳା ବେଢ଼ା ଲକ୍ଷ୍ମୀଙ୍କୁ ଏବଂ ଶ୍ରୀସୁଭଦ୍ରାଙ୍କର ଅଧରମାଳା ଭୁବନେଶ୍ଵରୀ ଓ ଉତ୍ତରାୟଣୀଙ୍କୁ ଲାଗି କରାଯାଇଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଗୋଟିଏ ଲେଖାଏଁ ଝୁମ୍ପା ଗଜପତି ମହାରାଜାଙ୍କ ଶ୍ରୀନଅରରେ ପ୍ରତିଷ୍ଠିତ କନକଦୁର୍ଗା ଠାକୁରାଣୀଙ୍କ ପାଇଁ ପ୍ରତ୍ୟହ ଶ୍ରୀନଅରକୁ ପଠାଯାଏ । ଏହା ବ୍ୟତୀତ ବଡ଼ଠାକୁରଙ୍କ ଚନ୍ଦ୍ରିକା ବଟ ମଙ୍ଗଳା, ଜଗନ୍ନାଥଙ୍କ ଚନ୍ଦ୍ରିକା ଦକ୍ଷିଣକାଳୀ ଓ ସୁଭ୍ରଦାଙ୍କ ଚନ୍ଦ୍ରିକା ସଙ୍କଟ ଯାଗାସ୍ତ ହରଚଣ୍ଡୀ ଠାକୁରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଥାଏ । ପୁରୀ ସହରରେ ସୁପ୍ରତିଷ୍ଠିତ କପାଳମୋଚନ ମନ୍ଦିରର ଗଣେଶ ବଳଭଦ୍ରଙ୍କ ଗୁଣା, ହନୁମାନ, ବାଟ ମଙ୍ଗଳା ପ୍ରଭୁତି ଅନ୍ୟାନ୍ୟ ଦେବଦେବୀଙ୍କୁ କରପଲ୍ଲବ ଲାଗି ଉଦ୍ଦେଶ୍ୟରେ ପଠାଯାଇଥାଏ । ନିର୍ଦ୍ଦିଷ୍ଟ ଦେବଦେବୀଙ୍କୁ ଦିଆଯାଉଥିବା ମାଳ ଫୁଲକୁ ବାଦ୍‌ଦେଲେ ବଳକା ମାଳ ଫୁଲକୁ ସେବା କରୁଥିବା ପୁଷ୍ପାଳକ ଅର୍ଦ୍ଧାଶଂ ରଖି ଅବଶିଷ୍ଟ ଅର୍ଦ୍ଧାଶଂ ପାଳିଆ ଖୁଣ୍ଟିଆଙ୍କୁ ଦେଇଥାନ୍ତି । ଶ୍ରୀଜୀଉଙ୍କୁ ଲାଗି ହେଉଥିବା ପୁଷ୍ପ ଅଳଙ୍କାର ତଥା ମାଳ ଗୁଡ଼ିକ ଶ୍ରୀକ୍ଷେତ୍ର ତଥା ଓଡ଼ିଶାର ଅଧକାଂଶ ଅଧୁବାସୀମାନେ ତାଙ୍କର ନୂତନ ଘର, ଦୋକାନ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ସଂପୃକ୍ତ ସେବାୟତଙ୍କ ଠାରୁ ଏହି ମହାପ୍ରସାଦ ପୁଷ୍ପକୁ ସଂଗ୍ରହ କରିଥାନ୍ତି । କଥିତ ଅଛି ବଡ଼ସିଂହାର ବେଶ ଏପରି ଆକର୍ଷଣୀୟ ଯେ ଯାହାକୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରର ଦେବଦେବୀମାନେ ଗୋପନରେ ପ୍ରତ୍ୟହ ବିଳମ୍ବିତ ରାତ୍ରରେ ଶ୍ରୀମନ୍ଦିରସ୍ତ ଜଗମୋହନରେ ବିରାଜମାନ କରିଥାନ୍ତି । ବାସ୍ତବିକ ଏହି ପବିତ୍ର ବେଶ ଦର୍ଶନ ଭକ୍ତ ମାନସରେ ମାନସିକ ଶାନ୍ତି ପ୍ରଦାନ କରିଥାଏ ।

ସୌଜନ୍ୟ ଶ୍ରୀଜଗନ୍ନାଥଙ୍କ ବେଶ ବୈଶିଷ୍ଟ

ମଣିମା Besha


Weather Puri  Tue, 11 Dec 2018 06:30 PM IST
Temperature:24°C
Clear
Wind: 13km/h East
Humidity: 66%



    LOOKING AHEAD Puri Weather
  • 12 Dec 2018
    Sunny
    High:26°C Low:22°C
  • 13 Dec 2018
    Partly Cloudy
    High:27°C Low:22°C
  • 14 Dec 2018
    Mostly Cloudy
    High:27°C Low:22°C
  • 15 Dec 2018
    Scattered Showers
    High:24°C Low:20°C

ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/WtODJtxCm2 via #destinations
ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/QcJ4gP0Mqt https://t.co/QcJ4gP0Mqt
The crisis of AIDS has engulfed the world. In order to save the World from this crisis the man is having conviction… https://t.co/31IMMiutUB