0
Your Cart
0
Your Cart
3,988

ଭକ୍ତ ଇଚ୍ଛାରେ ଜଗନ୍ନାଥ ଯେବେ ହୁଅନ୍ତି ଗଜାନନ

ଦେବସ୍ନାନ ପୂର୍ଣ୍ଣିମାଠାରୁ ବସ୍ତୁତଃ ଆରମ୍ଭ ହୋଇଯାଏ ଶ୍ରୀଜୀଉମାନଙ୍କର ରଥଯାତ୍ରାର ପ୍ରସ୍ତୁତି ପର୍ବ | ଏହିଦିନ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ଆସନ୍ତି ଏବଂ ଭକ୍ତମାନଙ୍କ ସମ୍ମୁଖରେ ସ୍ନାନ କରନ୍ତି | ସ୍ନାନ ପରେ ମହାପ୍ରଭୁ ଅଣସର ଘରକୁ ଯାଆନ୍ତି | ଏହାପରେ ମହାପ୍ରଭୁମାନଙ୍କ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୁଏ | ତେବେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଗଜାନନ ବେଶ ବା ହାତୀ ବେଶ କାହିଁକି ହୁଏ, ଏ ସଂପର୍କରେ ସୁନ୍ଦର କାହାଣୀ ରହିଛି | ସୁଦୂର ମହାରାଷ୍ଟ୍ରରୁ ଗଣପତି ଭଟ୍ଟ ନାମରେ ଜଣେ ଗଣେଷଙ୍କ ପରମ ଭକ୍ତ ଥରେ ପୁରୀ ଆସିଥିଲେ | ତାଙ୍କର ପାଣ୍ଡିତ୍ୟ ଓ ବାଗ୍ମିତା ପାଇଁ ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁରୋଧ କଲେ | ଯୋଗକୁ ସେ ଦିନ ସ୍ନାନ ପୂର୍ଣ୍ଣିମା ଥାଏ | ଭଟ୍ଟ ମହାଶୟ ସ୍ନାନ ବେଦୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଗଲେ |

କିନ୍ତୁ ଗଣେଶଙ୍କ ରୂପ ଲାବଣ୍ୟରେ ବିଭୋର ଭକ୍ତଙ୍କୁ ପ୍ରସନ୍ନତା ହେଲା ନାହିଁ | ନିରାଶ ହୋଇପଡି କ୍ଷୋଭ ମନରେ ସେ ବାହୁଡ଼ି ଗଲେ | କିଛି ବାଟ ଯାଇଛନ୍ତି, ଅଚାନକ ଏକ ଶୂନ୍ୟବାଣୀ ଶୁଣି ଫେରିଆସିଲେ | ଏ କ’ଣ ଦେଖୁଛନ୍ତି | ସ୍ନାନବେଦୀ ଉପରେ ବିରାଜିତ ତାଙ୍କର ଚିର ଆରାଧ୍ୟ ସ୍ଵୟଂ ଗଜାନନ | ନିଜର ଭାବ ଆଉ ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ ଗଣପତି | କୃତଜ୍ଞତାରେ ତାଙ୍କର ହୃଦୟ ପୂର୍ଣ୍ଣ ହୋଇଗଲା | ଯିଏ ସକଳ ସୃଷ୍ଟିର ଅଧିଶ୍ଵର, ତାଙ୍କ ପାଇଁ ଅସମ୍ଭବ କ’ଣ? ଏକଥା ସେ ବୁଝିନେଲେ | ପ୍ରିୟମ୍ବଦ ନାମକ ଆଉଜଣେ ଗାଣପତ୍ୟ ଭକ୍ତଙ୍କୁ ମଧ୍ୟ ଆଉଥରେ ଜଗନ୍ନାଥ ଗଣେଶ ବେଶରେ ଦର୍ଶନ ଦେଇଥିଲେ | ସେହିଦିନ ବଡପଣ୍ଡାଙ୍କୁ ବି ସ୍ଵପ୍ନରେ ଦର୍ଶନ ଦେଇ ପ୍ରତିବର୍ଷ ଦେବ ସ୍ନାନ ପୂର୍ଣ୍ଣିମାରେ ତାଙ୍କର ହାତୀ ବେଶ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ | ସେହିଦିନ ଠାରୁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଗଜବେଶ ଅନୁଷ୍ଠିତ ହୋଇଥାଏ | ଜୟ ଜଗନ୍ନାଥ |

error: Content is protected !!