feature-article >> ନଵଧା ଭକ୍ତି :: ଶ୍ରବଣ, କୀର୍ତ୍ତନ, ସ୍ମରଣ, ପୂଜନ, ବନ୍ଦନ, ପାଦ ସେବନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ

Last Update: 2nd Apr 2015   VIEWS: 2,461

ଦୁର୍ଲ୍ଲଭ ମାନବ ଜୀବନର ଚରମ ଲକ୍ଷ୍ୟ ହେଉଛି ଆତ୍ମୋପଲବ୍ଧି | ଅନ୍ୟ ଅର୍ଥରେ କହିବାକୁ ଗଲେ ଆତ୍ମା ସ୍ଵରୂପ ପରମ ପୁରୁଷଙ୍କ ସାକ୍ଷାତକାରରେ ଜୀବ ପରମପଦ ଲାଭ କରିବାକୁ ସକ୍ଷମ ହୁଏ | ଈଶ୍ଵର ପ୍ରାପ୍ତି ପାଇଁ ବେଦ ବିହିତ ଅନେକ ମାର୍ଗ ରହିଛି | କେହି ଧର୍ମ ମାର୍ଗରେ ପଥିକ ହୁଅନ୍ତି ତ କେହି ଜ୍ଞାନ ମାର୍ଗ ଯାଇ ଧାର୍ମିକ ଓ ଜ୍ଞାନୀ ହୁଅନ୍ତି | କେତେକ ବ୍ୟକ୍ତି ଯୋଗ
ମାର୍ଗରେ ଗମି ଦିବ୍ୟ ଜ୍ୟୋତି ରୂପି ପରମାତ୍ମାଙ୍କୁ ଦର୍ଶନ କରନ୍ତି | ତେବେ ଈଶ୍ଵର ପ୍ରାପ୍ତିର ସବୁଠୁ ସହଜ ଓ ସରଳ ମାର୍ଗ ହେଉଛି ଭକ୍ତି ମାର୍ଗ | ସାମ୍ପ୍ରତିକ ଜଞ୍ଜାଳମୟ ଜୀବନରେ ଜ୍ଞାନ ଯୋଗ ଆଦି କରିବା କଷ୍ଟସାଧ୍ୟ | ତେବେ ସହଜ ଭକ୍ତି ମାର୍ଗରେ କଷ୍ଟଲବ୍ଧ ପରମପଦ ପ୍ରାପ୍ତ ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି |

Shukadev Ji Narrating The Bhagavata Purana to King Parikshit

ଶ୍ରୀମଦ୍ ଭାଗଵତ ମହାପୁରାଣ ଅନୁଯାୟୀ ଭକ୍ତି ହେଉଛନ୍ତି ଜଣେ ଦେବୀ, ଜ୍ଞାନ ଓ ବୈରାଗ୍ୟ ତାଙ୍କର ଦୁଇ ପୁତ୍ର | କଳି ଯୁଗର ପ୍ରଭାବରେ ଜ୍ଞାନ ଓ ବୈରାଗ୍ୟ ବୃଦ୍ଧାବସ୍ଥାରେ ମୁମୂର୍ଷୁ ହୋଇପଡିଥିବା ବେଳେ ପୁତ୍ରଙ୍କ ଦୁଃଖରେ ଭକ୍ତି ଦେବୀ ଆକୁଳ କ୍ରନ୍ଦନ କରୁଥିଲେ | ଏହି ସମୟରେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ଭେଟ ହେବାରୁ ନାରଦମୁନି ଏହି ଦୁଃଖର ନିବାରଣର ଉପାୟ ଜଣାଇଥିଲେ | ଶାସ୍ତ୍ର ଅନୁଯାୟୀ ଭକ୍ତିଦେବୀଙ୍କର ନଅଗୋଟି ସ୍ଵରୂପ | ଭକ୍ତମାନେ ପ୍ରଭୁଙ୍କୁ ନଅ ଗୋଟି ସ୍ଵରୂପରେ ଭକ୍ତି ନିବେଦନ କରନ୍ତି | ଏହାକୁ ନବଧା ଭକ୍ତି ବୋଲି କୁହାଯାଏ | ଶ୍ରବଣ, କୀର୍ତ୍ତନ, ସ୍ମରଣ, ପୂଜନ, ବନ୍ଦନ, ପାଦ ସେବନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ | ଶ୍ରୀହରି ବିଷ୍ଣୁଙ୍କ ଉପାସନା ଏହି ନଅପ୍ରକାରେ କରାଯାଏ | ଶାରୀରିକ ଅକ୍ଷମତା ଯୋଗୁ ଜଣେ ଭକ୍ତ କିଛି କାର୍ଯ୍ୟ କରିନପାରିଲେ ବି ଶ୍ରୀହରିଙ୍କ ନାମ ଓ ଗୁଣ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ କରିହେବ | ମୂର୍ତ୍ତିପୂଜନ, ବନ୍ଦନା ଗାନ ଓ ପାଦ ସେବନ ହେଉଛି ପ୍ରଭୁଙ୍କ ସେବା କାର୍ଯ୍ୟ | ଭକ୍ତ ଅକୁଣ୍ଠ ଚିତ୍ତରେ ପ୍ରଭୁଙ୍କ ପାଦପଦ୍ମ ସେବାରେ ମଜି ଯାଏ ତେବେ ଭକ୍ତିର ଚରମ ସୋପାନ ହେଉଛି ସମର୍ପଣ | ମହର୍ଷି ପତଞ୍ଜଳି ମଧ୍ୟ ସବୁ ଯୋଗାଭ୍ୟାସକୁ ଗୋଟିଏ ପଟେ ରଖି ଆତ୍ମ ସମର୍ପଣ ଦ୍ଵାରା ଈଶ୍ଵର ପ୍ରାପ୍ତି ବୋଲି ମତ ଦେଇଛନ୍ତି | ସମର୍ପଣ ଭକ୍ତି ମଧ୍ୟ ତିନି ପ୍ରକାରର | ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ | ଭାରତବର୍ଷରେ ନଅ ଜଣ ଗୁରୁଙ୍କୁ ନବଧା ଭକ୍ତିର ଆଦର୍ଶ ଗୁରୁ ଭାବେ ଗ୍ରହଣ କରାଯାଏ | ଶ୍ରୀହରିଙ୍କ ନାମ ଓ ମହିମା ଶ୍ରବଣରେ ମହାରାଜ ପରିକ୍ଷିତଙ୍କୁ ଆଦର୍ଶ ବ୍ୟକ୍ତି ବୋଲି କୁହାଯିବ | ମାୟାମୋହ ସବୁ ଭୁଲି ରାଜା ପରିକ୍ଷିତ ଅଖଣ୍ଡ ଭାବରେ ହରିକଥା ଶ୍ରବଣ କରିଥିଲେ | ହରିଙ୍କ ଗୁଣ ନିହୀତରେ ମହର୍ଷି ବ୍ୟାସ ହିଁ ଶ୍ରେଷ୍ଠ | ବେଦର ବିଭାଜନ ସହ ପୁରାଣ, ମହାପୁରାଣ, ମହାଭାରତ ଆଦି ଅନେକର ସେ ସୃଷ୍ଟିକର୍ତ୍ତା | ଏସବୁ ଗ୍ରନ୍ଥର ଆଦ୍ୟ ପ୍ରାନ୍ତ ମଧ୍ୟ ସବୁଠି ହରିଙ୍କ ମହିମା ଗାନ ହିଁ ଗାନ କରାଯାଇଛି | ଶ୍ରୀହରିଙ୍କ ସ୍ମରଣରେ ପଣ୍ଡିତମାନେ ପ୍ରହ୍ଲାଦଙ୍କୁ ଶ୍ରେଷ୍ଠ ବୋଲି ମନେ କରନ୍ତି | ଆବାଲ୍ୟ ହରି ସ୍ମରଣ ସହ ସଂସାରକୁ ସେ ମନେକରନ୍ତି ପରମାତ୍ମାମୟ | ରାକ୍ଷସକୁଳରେ ଜାତ ହୋଇବି ହରିଭକ୍ତି ପାଇଁ ଆଦି ପ୍ରହ୍ଲାଦ ଭକ୍ତଶ୍ରେଷ୍ଠ ଭାବେ ପରିଚିତ | ତ୍ରିଲୋକପତିଙ୍କ ପାଦ ସେବନ ସାକ୍ଷାତ ମୁକ୍ତିଦାୟୀ | ଏହି ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେନା | ଦେବୀ ମହାଲକ୍ଷ୍ମୀ ଏହି ସୌଭାଗ୍ୟର ଅଧିକାରିଣୀ | ନିତ୍ୟ ସେ ହିଁ ଅନନ୍ତଶାୟୀ ବିଷ୍ଣୁଙ୍କ ପଦ ସେବା କରିପାରନ୍ତି | ସମସ୍ତେ ପରମେଶ୍ଵରଙ୍କୁ ପୂଜା କରନ୍ତି | କିନ୍ତୁ ରାଜା ପୃଥୁଙ୍କୁ ପ୍ରଭୁଙ୍କ ଶ୍ରେଷ୍ଠ ପୂଜକ ଭାବେ ଗଣାଯାଏ | ସେହିପରି ପ୍ରଭୁଙ୍କ ସ୍ମୃତି ବନ୍ଦନାରେ ସାରଥୀ ଅକ୍ରୁର | ସଫଳାସୂତ ଅକ୍ରୁର ଭକ୍ତିରେ ବିଭୋର ହୋଇ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ପାଣି ଭିତରେ ଦର୍ଶନ ଦେଇଥିଲେ | ପ୍ରଭୁଙ୍କ ସେବାକୁ ଜୀବନର ଧର୍ମ ଭାବେ ଗ୍ରହଣ କରିଥିବା ଅଦ୍ଵିତୀୟ ଭକ୍ତ ହେଉଛନ୍ତି କପିପତି ହନୁମାନ | ପ୍ରଭୁ ରାମଙ୍କ ପାଇଁ ହନୁମାନଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା | ପ୍ରଭୁଙ୍କ ସେବା ହିଁ ଥିଲା ତାଙ୍କ ଜୀବନର ଲକ୍ଷ୍ୟ ତେଣୁ ସେ ହୋପାରିଥିଲେ ପ୍ରଭୁଙ୍କ ପ୍ରିୟଭକ୍ତ | ସଖାପଣରେ ଶ୍ରେଷ୍ଠ ଥିଲେ କୁନ୍ତୀପୁତ୍ର ଅର୍ଜୁନ | କୃଷ୍ଣାର୍ଜୁନଙ୍କ ମିତ୍ରତା ଭାରତ ଭୂମିରେ ଯୁଗଯୁଗ ଆଦର୍ଶ ହୋଇ ରହିଛି | ସବୁଠୁ ବଡ କଥା ହେଲା ସର୍ବସ୍ଵ ସମର୍ପଣ | ଏକଥା କରିପାରିଥିଲେ ମହାରାଜା ବଳି | ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ବାରଣ ସତ୍ତ୍ଵେ ବାମନ ରୂପୀ ବିଷ୍ଣୁଙ୍କୁ ସେ ତ୍ରିଲୋକ ଅର୍ପଣ କରି ଶେଷରେ ନିଜକୁ ଅର୍ପଣ କରିଦେଇଥିଲେ | ବଳିଙ୍କ ଏହି ଦାନ କଥା ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଲା | ତେବେ ପୂର୍ବରୁ ମାତ୍ର ଏହି ନଅଜଣ ଭକ୍ତ ପ୍ରଭୁଙ୍କ ପ୍ରିୟପାତ୍ର ହୋଇଥିଲେ ତାହା ନୁହେଁ ଅନେକ ଭକ୍ତ ନିଜର ଭକ୍ତି ବଳରେ ଈଶ୍ଵର ପ୍ରାପ୍ତି କରିଥିବାର ଦୃଷ୍ଟାନ୍ତ ରହିଛି | ନଵଧା ଭକ୍ତି ମଧ୍ୟରୁ ଯେ କୌଣସି ଗୋଟିଏକୁ ଯଥାର୍ଥ ଭାବେ ଅନୁଷ୍ଠାନ କଲେ ଆମେ ମଧ୍ୟ ଶ୍ରୀହରିଙ୍କ କୃପା ଲାଭ କରିପାରିବା | ଏଥିରେ ସନ୍ଦେହର ଅକାଶ ନାହିଁ |

ବନ୍ଦନ ପୂଜନ ସଖ୍ୟ ଓ ଆତ୍ମନିବେଦନ