0
Your Cart
0
Your Cart
8,345

ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ

ପ୍ରଭୁଙ୍କ ଦିବା ପହଡ ଶେଷ ହେଲା| ନୀତି ସମ୍ପାଦନ ପାଇଁ ସିଂହାସନ ନିକଟକୁ ଚାଲିଲେ ସେବକମାନେ| ଖୋଲିଦେଲେ ବସ୍ତ୍ର ‍ଉତ୍ତରୀୟ ଓ ବେଶ ଲାଗି କଲେ| ହେଲେ ଏ କି ଆଶ୍ଚର୍ଯ୍ୟ! ପ୍ରଭୁଙ୍କ ବସ୍ତ୍ର ଓ ଉତ୍ତରୀୟ ଚିରିଲା କିପରି ? ଉତ୍ତରୀୟରେ ଏତେ ବାଇଗଣ କଣ୍ଟା ଓ ପତ୍ର | ଏ ସବୁ ଲାଗିଲା କେମିତି ? ନାନା ଦ୍ଵନ୍ଦ ଓ ଶୋଚନା ଭିତରେ କିଂ କର୍ତ୍ତବ୍ୟବିମୁଢ଼ ହୋଇ ସେବକମାନେ ଜଣାଇଲେ ଗଜପତି ଛାମୁରେ | ବଡ଼ ଦେଉଳୁ ଦ‍ଉଡି ଆସିଲେ ଗଜପତି | ପ୍ରକୃତରେ ପ୍ରଭୁଙ୍କ ଅଙ୍ଗବସ୍ତ୍ରରେ ବାଇଗଣ ପତ୍ର ଓ କଣ୍ଟା ଲାଗିଛି | ଶ୍ରୀଜୀଉଙ୍କ ପାଦରେ ରତ୍ନସିଂହାସନ ତଳେ ଲୋଟିପଡ଼ି କାତର କଣ୍ଠରେ ପ୍ରାର୍ଥନା କଲେ ‘ହେ ଜଗତ ଠାକୁର ‘ ଆପଣଙ୍କର ଏ କି ଲୀଳା ! କେଉଁ ଭକ୍ତର ଭାବରେ ଟାଣି ହୋଇ ଅରଣ୍ୟ ଭ୍ରମଣରେ ଚାଲିଯାଇଥିଲେ ଭାବଗ୍ରାହୀ ଜଗନ୍ନାଥ | ଅଧୀନକୁ ଏ ସବୁ କୃପା କରି ଆଜ୍ଞା ହେଉ | ଶ୍ରୀମୁଖରୁ ଆଜ୍ଞା ହେଲା – ରାଜନ ! ବନମାଳୀପୁର ଗ୍ରାମର ଚଷାଘରର ଝିଅ ମାଳିନୀ | ମୋ’ଠାରେ ତା’ର ଆବଲ୍ୟ ଅଚଳ ଭକ୍ତି | ଆଜି ନିଜ ବାପା କରିଥିବା ବଗିଚାରେ ବାଇଗଣ ତୋଳୁ ତୋଳୁ ମୋର ପ୍ରିୟ ଗୀତଗୋବିନ୍ଦ ଅତି ସୁମଧୁର ସ୍ଵରରେ ଗାନ କରୁଥିଲା | ସେ ଗୀତ ମୋ କାନରେ ପଡ଼ିବା ମାତ୍ରେ ମନ ଚଞ୍ଚଳ ହେଲା | ମାଳିନୀର ଗୀତ ଗୋବିନ୍ଦ ଶୁଣିବା ପାଇଁ ତା ପଛେପଛେ ସେଇ ବାଇଗଣ କିଆରିରେ ବୁଲୁଥିଲି | ତେଣୁ ମୋ ବସ୍ତ୍ର କଣ୍ଟା ଲାଗି ଚିରି ଯାଇଛି | ମାଳିନୀ କନ୍ୟାର ଗୀତ ପ୍ରତି ତ୍ରିଲୋକପତି ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧା ଥିବା ଶୁଣି ସହର୍ଷେ ହସି ଉଠିଲେ ଗଜପତି | ମାଳିନୀକୁ ଆଣିବା ପାଇଁ ପଠାଇଲେ ଶିବିକା | ମାଳିନୀ ଆସିବା ପରେ ତାକୁ ଆଦେଶ ଦେଲେ ଗୀତଗୋବିନ୍ଦ ଗାନ କରିବାକୁ |

ଜଗମୋହନରେ ମାଳିନୀର ଗୀତ ଗୋବିନ୍ଦ ଗାନ ଶୁଣି ପରମ ତୃପ୍ତି ଲଭିଲେ ନିଳାଦ୍ରୀବିହାରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ | ସେହି ଦିନ ଠାରୁ ପ୍ରତିଦିନ ଗୀତଗୋବିନ୍ଦ ଗାନ କରିବାକୁ ସନନ୍ଦ କରି ଦେଇଥିଲେ | ଏହି ମାଳିନୀର ଉତ୍ତରାଧିକାରୀମାନେ ଦେବଦାସୀ ସେବା କରୁଥିବା କିମ୍ବଦନ୍ତୀ ରହିଛି | ପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦର ରଚୟିତା ହେଉଛନ୍ତି ପରମ ବୈଷ୍ଣବ ଶ୍ରୀଜୟଦେବ | ଓଡ଼ିଶା ରାଜ୍ୟର ପିପିଲି ନିକଟସ୍ଥ କେନ୍ଦୁବିଲ୍ଵ ବା ଆଧୁନିକ କେନ୍ଦୁଲି ଗ୍ରାମରେ କବି ଜୟଦେବ ଜନ୍ମ ନେଇଥିଲେ | ସେ ପିଲାଦିନରୁ କୃଷ୍ଣଭକ୍ତ ଥିବାବେଳେ ରାଧାକୃଷ୍ଣ ଥିଲେ ତାଙ୍କର ଉପାସ୍ୟ | ସରସ୍ଵତୀଙ୍କ କୃପାରୁ ସଂସ୍କୃତ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ କବିତ୍ଵ ସ୍ଫୁରିତ ହୋଇଥିଲା | ସେ ଥିଲେ ବ୍ରାହ୍ମଣ | ତାଙ୍କର ପତ୍ନୀଙ୍କ ନାମ ମଧ୍ୟ ପଦ୍ମାବତୀ | ଏକଦା ଦକ୍ଷିଣ ଦେଶରେ ଜଣେ ଅପତ୍ୟହୀନ ବ୍ରାହ୍ମଣ ବାସ କରୁଥିଲେ | ଉକ୍ତ ବ୍ରାହଫମଣ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସନ୍ତାନଟିଏ କାମନା କରିବା ସହ ପୁତ୍ର ବା କନ୍ୟା ଯାହା ଜନ୍ମ ନେଉ, ଶ୍ରୀଜୀଉଙ୍କ ଚରଣରେ ସମର୍ପଣ କରିବାକୁ ଶପଥ କରିଥିଲେ | କିଛିଦିନ ପରେ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ନେଲା | ଯୈାବନ ପ୍ରାପ୍ତ ହେବା ପରେ ସେହି କନ୍ୟା ପଦ୍ମାବତୀଙ୍କୁ ଧରି ବଡ଼ ଦେଉଳକୁ ଆସି ମହାପ୍ରଭୁଙ୍କୁ ଅର୍ପଣ କଲେ | ସ୍ଵପ୍ନରେ ଜଗନ୍ନାଥ ଆଦେଶ ଦେଲେ ଯେ ଆମ୍ଭେ ତୋ କନ୍ୟାକୁ ଗ୍ରହଣ କଲୁ | କିନ୍ତୁ ମୋର ଜଣେ ପ୍ରିୟଭକ୍ତ ଜୟଦେବ କେନ୍ଦୁଲି ଗ୍ରାମରେ ଅବସ୍ଥାନ କରୁଛନ୍ତି | ତାଙ୍କୁ ଏହି କନ୍ୟା ରତ୍ନ ବିବାହ ଦିଅ| ମହାପ୍ରଭୁଙ୍କ ଆଦେଶ ପାଇ ବ୍ରାହ୍ମଣ ଜୟଦେବଙ୍କ ନିକଟକୁ ଯାଇ କନ୍ୟାଦାନ ପାଇଁ ପ୍ରଭୁଙ୍କ ଆଦେଶ ଥିବା ଜଣାଇଲେ | ଏହାପରେ ପଦ୍ମାବତୀଙ୍କ ସହ ଜୟଦେବଙ୍କ ପରିଣୟ ହୋଇଥିଲା | ଦିନେ କପଟରେ ସ୍ଵୟଂ ମାଧବ ଜୟଦେବ ରୂପେ ଆସି ଗୀତଗୋବିନ୍ଦର ଅର୍ଦ୍ଧଲିଖିତ ପଂକ୍ତିଟିକୁ ପୂରଣ କରିଥିଲେ ବୋଲି କୁହାଯାଏ | ଏହି ପଂକ୍ତି ହେଉଛି ‘ଦେହି ପଦ ପଲ୍ଲବ ମୁଦାରଂ‘ | ଏଥିରେ ‘ସ୍ମର ଗରଳ ଖଣ୍ଡନଂ ମମ ଶୀରସି ମଣ୍ଡନଂ‘ ବୋଲି ଲେଖି ଜୟଦେବ ସ୍ନାନ ପାଇଁ ଯାଇଥିବା ବେଳେ ଶ୍ରୀହରି ନିଜେ ଆସି ‘ଦେହି ପଦ ପଲ୍ଲବ ମୁଦାରଂ’ ପାଦଟି ପୂରଣ କରିଥିଲେ | ବାସ୍ତବରେ ଗୀତଗୋବିନ୍ଦର ପଂକ୍ତିଗୁଡ଼ିକ ଅତ୍ୟନ୍ତ ସୁଲଳିତ | ଏହି ମଧୁର କୋମଳ କାନ୍ତ ପଦାବଳୀରେ ଶ୍ରୀରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମରସର ପରିବେଷଣ କରାଯାଇଛି | ଗୀତ ଗୋବିନ୍ଦ ଗାନର ମହିମା ଏଏପରି ଯେ ଜଣେ ଯବନ ଓ କୁଷ୍ଠ ରୋଗୀ ମଧ୍ୟ ଗୀତ ଗୋବିନ୍ଦ ଗାଇ ପ୍ରଭୁଙ୍କ ଦର୍ଶନ ପାଇଥିଲେ | ଏହି ଗୀତ ଗୋବିନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏତେ ପ୍ରିୟ ଯେ ମହାପ୍ରଭୁ ପ୍ରତିଦିନ ଶୋଇବା ପୂର୍ବରୁ ଗୀତଗୋବିନ୍ଦ ଶୁଣିବା ସହ ଗୀତଗୋବିନ୍ଦ ଲେଖା ଥିବା ଖଣ୍ଡୁଆ ବସ୍ତ୍ର ଶରୀରରେ ଧାରଣ କରନ୍ତି | ଏପରି ପ୍ରେମରସ ପ୍ରାବଲ୍ୟ ଭକ୍ତିସାହିତ୍ୟ ସଂସ୍କୃତ ଭାଷାରେ ବିରଳ | ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କ ପ୍ରିୟ ଗୀତଗୋବିନ୍ଦ ଗାନ କରନ୍ତି | ଏହା ଅନ୍ତର୍ମନକୁ ଶାନ୍ତି ପ୍ରଦାନ କରିଥାଏ |

error: Content is protected !!