ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

feature-article

PAGE VIEWS: 592

 



ପର୍ବପର୍ବାଣି, ଓଷାବ୍ରତ, ଯାନିଯାତ୍ରା ଓ ପୂଜାପାର୍ବଣର ରାଜ୍ୟ ଓଡ଼ିଶାର । ଆରାଧଦେବତା ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ପ୍ରଭୁ ବଡ଼ଦେଉଳର ବଡ଼ଠାକୁର କାଳିଆ କଳାସାଆନ୍ତ । ସେ ହିଁ ସବୁ ଘରର ମୁରବି । ଅସହାୟ ଓଡ଼ିଆଟିଏ ସହାୟତା ପାଇଁ ଆଖୁରୁ ଲୁହ ଗଡ଼ାଇ ତାଙ୍କରି ପାଖରେ ଗୁମୁରି ଗୁମୁରି କାନ୍ଦେ ଓ ମନର କଥା କହେ । ପ୍ରଭୁ ସବୁ ଶୁଣ, ଦୁଃଖ ଦୂର କରନ୍ତି । ମଣିଷ ଭଳି ଲୀଳା କରି ମହାପ୍ରଭୁ ସମସ୍ତ ଓଡ଼ିଆଙ୍କର ଆପଣାର ମଣିଷ ହୋଇପାରିଛନ୍ତି । ସେଥିପାଇଁ ବହୁ ପ୍ରାଚୀନକାଳରୁ ଓଡ଼ିଆମାନେ ନିଜ ଘରର ଇଷ୍ଟଦେବ ଭାବେ ମହାପ୍ରଭୁ ଙ୍କୁ ଗ୍ରହଣ କରି ନେଇଛନ୍ତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁଙ୍କର ଅନେକ ପର୍ବପର୍ବାଣି ଓ ଉତ୍ସବାଦିକୁ ଓଡ଼ିଆମାନେ ନିଜଘରେ ପାରମ୍ପରିକ ରୀତିରେ ପାଳନ କରି ଥାନ୍ତି ।



ସେହିଭଳି ଏକ ପର୍ବ ହେଉଛି, ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହାର ଅନ୍ୟ ନାମ ପଢୁଆଁ ଅଷ୍ଟମୀ | । ଏହିଦିନ ସମଗ୍ର ଓଡ଼ିଶାର ପ୍ରତ୍ୟେକ ପରି ବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରାଯାଏ । ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ସ୍ଵତନ୍ତ୍ର ପୂଜାବିଧ ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଏହି ଦିନ ପ୍ରାତଃକାଳରେ ଘରର ଜ୍ୟେଷ୍ଠ ପୁତ୍ର ବା କନ୍ୟା ସ୍ନାନାନ୍ତେ ନବବସ୍ତ୍ର ପରିଧାନ କରନ୍ତି ଓ ମା ମାନେ ତାଙ୍କୁ ବନ୍ଦାପନା କରନ୍ତି । ଏହି ଅବସରରେ ପଞ୍ଚ ପଲ୍ଲବ ଓ ପଞ୍ଚଶସ୍ୟରେ ବରୁଣପୂଜା କରାଯାଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ରଜପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉପିଠା, ମକର ସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତରେ ଧନୁମୁଆଁ, ମହାବିଷୁବ ସଂକ୍ରାନ୍ତିରେ ଛତୁ ଓ ପଣା, ଶାମ୍ବ ଦଶମୀରେ ବୁଢ଼ାଚକୁଳି ପ୍ରଭୃତି ଓଡ଼ିଆ ଘରର ଗୋଟିଏ ଗୋଟିଏ ବିଶେଷତ୍ଵ, ସେହିପରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରୀ ପିଠା, ଛେନା, ଗୁଡ଼ ଓ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରୀ ପିଠା ତିଆରି କରାଯାଏ । ଏହି ସୁସ୍ବାଦୁ ପିଠାପାଇଁ ହଳଦୀପତ୍ର ବ୍ୟବହାର କରାଯାଏ । ଏଥିପାଇଁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ । ପ୍ରଥମାଷ୍ଟମୀ ପର୍ବଟି ରଜ ଓ କୁମାରପୂର୍ଣ୍ଣିମା ପରି ଓଡ଼ିଶାର ନିଜସ୍ଵ ପର୍ବ । ଓଡ଼ିଶା ବ୍ୟତୀତ କିମ୍ବା ଓଡ଼ିଆ ଘରକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ଏହି ପର୍ବ ଏଭଳି ଭାବରେ ପାଳିତ ହେବା ଦେଖାଯାଏ । ନାହିଁ । ଓଡ଼ିଶାର ଏହା ଏକ ସ୍ଵତନ୍ତ୍ର ସାମାଜିକ ଓ ପରମ୍ପରା ପ୍ରଚଳିତ ପାରିବାରିକ ପର୍ବ । ଏହିଦିନ ମାମୁଁମାନେ ନୂଆବସ୍ତ୍ର, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ମାନ ସାଙ୍ଗରେ ଆଣି ଭଣଜା ଭାଣେଜୀମାନଙ୍କୁ ପଢୁଆଁ କରିବାର ପରମ୍ପରା ରହିଛି । ଏଥିପାଇଁ ମାମୁଁଙ୍କୁ ‘ଅଷ୍ଟମୀ ବନ୍ଧୁ’କୁହାଯାଏ ।

କେବଳ ଓଡ଼ିଶାର ଘରେ ଘରେ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତି ଅନୁଯାୟୀ ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ତାଙ୍କଠାରୁ ବଡ଼ କେହି ନାହିଁ । ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି, ‘ତ୍ବମାଦିଦେବଃ ପୁରୁଷ ପୁରାଣସ୍ତ୍ବମସ୍ୟ ବିଶ୍ଵସ୍ୟ ପରଂ ନିଧାନମ’ |(ଭ.ଗୀ- ୧୧/୩୮) ବିଶ୍ୱରେ ସବୁଠାରୁ ବଡ଼ ହିସାବରେ ପ୍ରଥମାଷ୍ଟମୀ ଦିନ ତାଙ୍କର ସ୍ଵତନ୍ତ୍ର ପୂଜାବିଧୂ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ମାର୍ଗଶିର କୃଷ୍ଣ ଉଦୟବ୍ୟାପିନୀ ଅଷ୍ଟମୀ ତିଥରେ ଅନୁଷ୍ଠିତ ହୋଇଥାଏ । ଏହି ଦିନର ବିବିଧାନ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବିସ୍ତୃତ୍ବ ଭାବରେ ବର୍ଣ୍ଣିତ ହୋଇଛି । ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥାଏ । ଏହା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରି ଥାନ୍ତି । ଚନ୍ଦନଲାଗି ବଢ଼ିଲେ ଠାକୁରମାନଙ୍କୁ ବେଶ କରାଯାଏ । ଏହି ବେଶରେ ଛଅମୂର୍ତ୍ତି ସୁବର୍ଣ ଅଳଂକାର ଲାଗି କରାଯାଏ । ଶ୍ରୀବିଗ୍ରହମାନଙ୍କଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଲାପରେ ସୁଦୁସୁଆର ପୂଜା କରିବା ଉତ୍ତାରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିଥାନ୍ତି । ମଧ୍ୟାହ୍ନ ଧୂପ ଉଠିଲେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଓ ଛେଦା ପ୍ରସାଦ ଲାଗିସରି ବନ୍ଦାପନା କରାଯାଇଥାଏ । ଏହିଦିନ ସ୍ଵତନ୍ତ୍ରଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ,ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇଥାଏ । ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ‘ପଶ୍ୟେଦ୍ ବା ପରୟା ଭକ୍ତା ମୁକ୍ତ ସ୍ୟାତପାପବୃନ୍ଦତଃ। ଅନ୍ତେ ବିଷ୍ଣୁପୁରଂ ଗଚ୍ଛେତ୍ ସର୍ବଶର୍ମପ୍ରବଂ ପରମ ।”

ଡଃ. ନରେଶ ଚନ୍ଦ୍ର ଦାଶ, ଅଧକ୍ଷ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ, ପୁରୀ


Festival in Puri
UPCOMING FESTIVAL



Weather Puri  
Temperature:-18°C

Wind: km/h
Humidity: %



    LOOKING AHEAD Puri Weather


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C

Srita kamalA – Gita Govinda https://t.co/EtNVTF4ZRl via #gitagovinda
Srita kamalA – Gita Govinda https://t.co/Tp9acTksCi https://t.co/Tp9acTksCi
praLaya payOdhi jalE – Gita Govinda https://t.co/QAeYj31zBR via #gitagovinda