sahijatra >> ରାବଣ ବେଶ – ସାହିଯାତ୍ରା

Last Update: 6th Apr 2017   VIEWS: 641

ପୁରୀ ସାହିଯାତ୍ରାରେ ପୂର୍ବେ ପରମ୍ପରା ଅନୁଯାୟୀ ମହାସୁଆର, ସାହିନାୟକ ବଂଶର ବିବାହିତ ଯୁବକମାନେ ରାବଣ ବନ୍ଧାଇବାର ବିଧି ଥିଲା. ନିଶ୍ଚିତ ଭାବରେ ଶ୍ରୀଜଗନ୍ନାଥଙ୍କ ସେବାୟତବଂଶଜ ହୋଇଥିବେ. ଦୋଳମଣ୍ଡପସାହି ଓ କୁଣ୍ଢେଇବେଣ୍ଟସାହିରୁ ବାହାରୁଥିବା ରାବଣ ଭିନ୍ନ ଜାତିର ଯୁବକ ବାନ୍ଧିପାରିବେ.

ରାବଣ ତାଟି ଶିଶୁ କାଠରେ ନିର୍ମିତ. ବାଲିସାହିର ଆଖଡା ନିକଟରେ ବାରାହୀ ଠାକୁରାଣୀଙ୍କ ମନ୍ଦିରରେ ପୂଜା ପାଏ. ମହଣେ ଓଜନରୁ ଏହା ବେଶୀ.

୧. ରାବଣ ବନ୍ଧାଇବାକୁ ଆଖଡାରେ ସ୍ଥିର ହୋଇଥିବା ଯୁବକ ଏକମାସ ପୂର୍ବରୁ ନିଜ ‘ଯାଗା’ ରେ ରାବଣ ନୃତ୍ୟ ଅଭ୍ୟାସ କରନ୍ତି.
୨. ସେହିପରି ରାବଣର କେତେକ ‘ବଚନିକା’ ରହିଛି, ତାହା ଅଭ୍ୟାସ କରିବା ସହିତ ‘ଶିବତାଣ୍ଡବସ୍ତୋତ୍ର’ ଅଭ୍ୟାସ କରନ୍ତି.
୩. ଉକ୍ତ ଯୁବକ ଏକମାସ ପୂର୍ବରୁ ନିଷ୍ଠାର ସହ ହବିଷାନ୍ନ ଭକ୍ଷଣ କରି ନିର୍ଦ୍ଧିଷ୍ଟ ନିୟମରେ ରହନ୍ତି.
୪. ଯାତ୍ରାଦିନ ‘ରାବଣତାଟି’ ପୂଜା ହୁଏ. ହବିଷାନ୍ନରେ ଥିବା ଯୁବକ ନିଜ ଇଷ୍ତଙ୍କୁ ସ୍ମରଣ କରି ରାବଣତାଟି ବାନ୍ଧିଥାଏ.
୫. ଏକମାସ ପୂର୍ବରୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥାଏ.
୬. ରାବଣ ବେଶ ହେବା ପରେ ନିଜ ଯାଗାର ଠାକୁରାଣୀଙ୍କୁ ଆରାଧନା କରେ.
୭. ଶ୍ରୀମନ୍ଦିରରେ ଗରୁଡସ୍ତମ୍ଭ ନକଟରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରେ.
୮. ବୀରଦର୍ପରେ ବେଢା ପରିକ୍ରମା କରେ.
୯. ଦକ୍ଷ ଓ ଗୁରୁଙ୍କ ଠାରୁ ସଂସ୍କୃତ ‘ମହାନାଟକ’ ଗ୍ରନ୍ଥର ବଚନିକାପୂର୍ଣ୍ଣ ଶ୍ଲୋକ ସଠିକ ଉଚ୍ଚାରଣ ଓ ଉପସ୍ଥାପନା ପାଇଁ ଅଭ୍ୟାସ କରେ.

ରାବଣ ହେଉଛନ୍ତି ବିଶ୍ରବାମୁନିଙ୍କର ପୁତ୍ର. କୁବେରଙ୍କ ଭାଇ. ଖର ରାକ୍ଷସ ତାଙ୍କର ଛୋଟଭାଇ. ରାବଣ ଶବ୍ଦର ଅର୍ଥ କନ୍ଦେଇବା ବ୍ୟକ୍ତି. ରାବଣଙ୍କର ପ୍ରତୀକ ପ୍ରବୃତିମାର୍ଗର, ବିକାରୀମାର୍ଗର.ରାବଣଙ୍କର ଦଶମୁଣ୍ଡର ଦାର୍ଶନିକ ଅର୍ଥ ପୁରୁଷର ପାଞ୍ଚ ବିକାର + ନାରୀର ପାଞ୍ଚ ବିକାର. କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର.

ରାବଣ ବାହାରିବା ବେଳେ ମର୍ଦ୍ଦଳ, ମହୁରି ଓ ତେଲିଙ୍ଗିବାଜା ବାଜେ. ଏହି ବାଜା ଓଡ୍ର ପଦ୍ଧତି ଅନୁସାରେ ଝୁଲା ବି ଚଣ୍ଡନିସାରୁକ ତାଳରେ ବାଜେ. ତାଳ ଅନୁଯାୟୀ ରାବଣ ବୀର ପାହୁଲ ବା ଯୋଦ୍ଧାର ଠାଣିମାଣିରେ ପାଦ ପକାନ୍ତି. ବୀରପାହୁଲ ପକାଇ ରାବଣ ଖୁବ୍ ଲାଳିତ୍ୟ ଠାଣିମାଣିରେ ଚାଲୁଥିବାରୁ କେତେକ ଆଲୋଚକ ‘ରାବଣ ନାଚ’ ବୋଲି ଶବ୍ଦ ପ୍ରୟୋଗ କରନ୍ତି. ମାତ୍ର ରାବଣ ନାଚନ୍ତି ନାହିଁ. ‘ଶିବତାଣ୍ଡବସ୍ତୋତ୍ର’ ପାଠ କଲା ବେଳେ ଅଭିନୟ ପ୍ରକାଶ କରନ୍ତି, କିନ୍ତୁ ନାଚନ୍ତି ନାହିଁ.

street play puri sahi jatra rabana besa