1,050

ବାଳଧୂପର ମହିମା ଓ ବାଳଧୂପ ବୋଲି

ବାଳ ଅପ୍ରାଧ ଯୋଗୁ ଶ୍ରୀଜଗନ୍ନାଥଙ୍କଠାରେ ବାଳଧୂପ ପାଳିତ ହୁଏ । ପ୍ରତାପରୁଦ୍ର ଦେବଙ୍କ -ସମୟର ଏକ ଘଟଣା ରାଜା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ଆଶ୍ୱିନ ମାସ ଅଷ୍ଟମୀ ଦିନ ରାଜାଙ୍କର ଅଙ୍ଗ ଅଳସ ଯୋଗୁଁ ଶ୍ରୀମନ୍ଦିରକୁ ଚାରିଦିନ ଯାଇପାରିଲେ ନାହିଁ। ଏକାଦଶୀ ଦିନ ରାଜା ଆରୋଗ୍ୟ ଲାଭ କଲାପରେ ଶ୍ରୀମନ୍ଦିରକୁ ଆସିଲେ । ସକାଳ ଧୂପ ପରେ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ସମୟରେ ରାଜା ଜଗମୋହନରେ ପ୍ରବେଶ କଲେ । ରାଜାକୁ ଦେଖି ବଳଭଦ୍ର ନାମକ ପଶୁପାଳକ ତୁଳସୀ ଦୟଣା ଓ ପ୍ରସାଦ ଆଣି ରାଜାଙ୍କ ହାତରେ ଦେଲେ। ଠାକୁରଙ୍କୁ ଦର୍ଶନ ପରେ ପ୍ରସାଦ ଆଘ୍ରାଣ ସମୟରେ ରାଜା ପ୍ରସାଦରେ ଗୋଟିଏ ବାଳ ଦେଖିଲେ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ବାଳନାହିଁ । ମାତ୍ର ପ୍ରସାଦରେ ବାଳ ଲାଗିଥିବା ଯୋଗୁଁ ରାଜା କ୍ରୋଧରେ ପଶୁପାଳକକୁ ଏହାର କୈଫିୟତ ମାଗିଲେ । ପଶୁପାଳକ ଶ୍ରୀଜଗନ୍ନାଥଙ୍କ ତ୍ରିମୁଣ୍ଡର ବାଳ ପ୍ରସାଦରେ ମିଶିଛି ବୋଲି ପ୍ରାଣଭୟରେ କହିଲା ।

ସକାଳେ ପ୍ରଭୁଙ୍କର ତ୍ରିମୁଣ୍ଡିରେ ବାଳ ନଦେଖାଇଲେ ସେବକପଣରୁ ବାହାର କରିଦେବେ ବୋଲି ରାଜା ଆଦେଶ ଦେଇ ଚାଲିଗଲେ। ସନ୍ଧ୍ୟା ହେଲା, ପ୍ରଭୁଙ୍କ ରେ ସନ୍ଧ୍ୟାଧୂପ ଲାଗିଲା । ଚାରିଆଡ଼େ ଜୟଜୟ ଶବ୍ଦ ଶୁଭିଲା । କ୍ରମେ ରାତି ହେଲା । ପ୍ରଭୁଙ୍କ ବଡ଼ସିଂହାର ବେଶ ପରେ ମନ୍ଦିରରେ ଡେରା ପଡ଼ିଲା । କମଳିନୀଙ୍କର ବନ୍ଦାପନା ପରେ,ପ୍ରଭୁ ଆନନ୍ଦରେ ପହୁଡ଼ିଲେ। କିନ୍ତୁ ପଶୁପାଳକ, ମୁଦିରଥ ପ୍ରଭୃତି ସେବକଙ୍କ ଆଖିରେ ନିଦ ନାହିଁ । ସମସ୍ତେ ଜଗନ୍ନାଥଙ୍କଠାରେ ଶରଣ ଭିକ୍ଷା କଲେ । ଆର୍ତ୍ତତ୍ରାଣ ଜଗନ୍ନାଥଙ୍କୁ ସମସ୍ତେ ବିପଦରୁ ରକ୍ଷା ପାଇବା ପାଇଁ ଆରତରେ ଜଣାଇଲେ।

କେହି ଡାକନ୍ତି ରଖ ଭଗବାନ,
ଓହେ ଦୌପଦୀ ଲଜ୍ଜା ନିବାରଣ ।
କେହୁ ବୋଲେ ଗଜେନ୍ଦ୍ର ମୋକ୍ଷଦାତା,
ରଖ ଶ୍ରୀଜଗନ୍ନାଥ ଫେଡ଼ ଚିନ୍ତା ।

ଆରତତ୍ରାଣ ପ୍ରଭୁ ଭକ୍ତମାନଙ୍କର ଦୁଃଖରେ ଦୁଃଖୀ ହେଲେ । ସୂତ୍ପରେ ଦୁଃଖ ଦୂର କରିବେ ବୋଲି ଆଜ୍ଞାଦେଲେ।

ଆଜ୍ଞାଦେଲେ ହୋ ଭାଛି କାହିଁକି,
ଆମ ତ୍ରିମୁଣ୍ଡିରେ ବାଳ ନାହିକି ।
ଆମେ ନନ୍ଦ ମନ୍ଦିରେ ଜନ୍ମହୋଇ,
ଚୂଳ ଯଶୋଦା ବାନ୍ଧୁଥିଲେ କାହିଁ ।
କଉଶୁଲା କେଉଁ ବାଳ ବାନ୍ଧିଲେ,
କେଉଁ ରୁପେ ଗଭାମାନ ଅଂଚିଲେ ।
ତୁମ୍ଭେ ଜାଣୁ ଜାଣୁ ବଣା ହୋଉଛ,
ୟେହା ବିଚାରି ଧଇର୍ଯ୍ୟ ନୋହୁଛ ।
ରାଜା ତୁମ୍ଭଙ୍କୁ କରିଛି କଟାଳ,
କାଲି ସଖାଳେ ଦେଖାଇବା ବାଳ।

ପଶୁପାଳକ ପ୍ରଭୁଙ୍କ ଉଦ୍ଦେଶ୍ୟରେ କୋଟି କୋଟି ଦଣ୍ଡବତ ଜଣାଇଲେ । ସକାଳ ହେଲା । ସେବକମାନେ ସତ୍ୟ କିମ୍ବା ସୁପୁର ଭ୍ରମ ଜାଣିବା ପାଇଁ ସମସ୍ତେ ସ୍ନାନସାରି ମନ୍ଦିରକୁ ଧାଇଁଲେ । ଏଣେ ରାଜା ମଧ୍ୟ ସ୍ନାନସାରି ବାଳଦର୍ଶନ କରିବା ଉଦ୍ଦେଶ୍ୟରେ ଜଗମୋହନରେ ପ୍ରବେଶ ହେଲେ । କବାଟ ଫେଡ଼ି ରାଜା ପ୍ରଭୁଙ୍କର ମସ୍ତକକୁ ଅନାଇଲେ। ସମସ୍ତ ଆଖି ଝଲସାଇ ତ୍ରିମୁଣ୍ଡିରେ କୁକୁଞ୍ଚ ଇଂଚ କଂଟାବାଳ ତଳକୁ କେରି କେରି ହୋଇ ଓହଳି ପଡ଼ିଲା ।

ଶୋଭା କଂଚା କଂଚିତ ଦିବ୍ବ୍ୟବାଳ,
ଘୋଟି ପଡ଼ିଲା ଶ୍ରୀମୁଖ ମଣ୍ଡଳ।
ତୈଳ ଜରଜର ଦିଶେ ସାମଳି,
କଳାମୟର କଣୁ କି ସେ ଝଳି ।
ମୁଖମଣ୍ଡଳକୁ ଝାମ୍ପି ପଡ଼ିଲା,
ଶୋଭା ତ୍ରିଭୁବନ ମନ ମୋହିଲା
ଧନ୍ୟ ଭାଗ୍ୟ ସେ କଲେ କଉଶୁଲ୍ୟା,
ସେହି ବାଳରେ ଜୁଡ଼ା ବାନ୍ଧୁଥିଲା ।
ଧନ୍ୟ ଧନ୍ୟ ସେ ଯଶୋବନ୍ତୀ ରାଣୀ,
ସେହି ଚିକୁରେ ପାଡୁଥାନ୍ତି ବେଣୀ ।

ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ତ୍ରିମୁଣ୍ଡିର ବାଳ କିମ୍ବା କୃତ୍ରିମ ବାଳ ଯୋଖି ହୋଇଛି, ତାହା ଜାଣିବାକୁ ଇଚ୍ଛା କରନ୍ତେ ପଶୁପାଳକ ତ୍ରିମୁଣ୍ଡିର ଗୋଟିଏ ବାଳ ଉପାଡ଼ି ଦିଅନ୍ତେ ଝରଝର ରୁଧିର ଶ୍ରୀମୁଖ ଉପରେ ବୋହିପଡ଼ିଲା ।

ଧରି ତ୍ରିମୁଣ୍ଡିରୁ ଏକ ଚିକୁର,
ଟେକି ଦିଅନ୍ତେ ସେ କେଶ ଉପର।
ତତକ୍ଷଣେ ରୁଧୁର ଜରଜର,
ବୋହିପଡ଼ିଲା ଶ୍ରୀମୁଖ ଉପର
ଯେହ୍ନେ କଳାମେଘରୁ ଝରେ ଜଳ,
ହେଲା ଶ୍ରୀମୁଖ ଯାକ ସରସର
ଦେଖି ନୃପତିର ଜ୍ଞାନ ବୁଡ଼ିଲା,
କାଟିଦେଲା ବୃକ୍ଷପ୍ରାୟେ ପଡ଼ିଲା ।

ଶ୍ରୀମୁଖ ରୁଧର ଦେଖି ସମସ୍ତ ଦୁଃଖରେ ଭାଗି ପଡ଼ିଲେ । ରାଜା ପ୍ରତାପରୁଦ୍ର ପ୍ରଭୁଙ୍କ ଶ୍ରୀଚରଣରେ କୋଟି କୋଟି ଦଣ୍ଡବତ କରି ଅପ୍ରାଧ କ୍ଷମା ମାଗିଲେ । ନବରକୁ ଫେରିଯାଇ ଅନାହାରରେ ପ୍ରାଣ ବିସର୍ଜନ କରିବାକୁ ସିଦ୍ଧାନ୍ତ କଲେ । ତିନିଦିନ ରାତିରେ ପ୍ରଭୁ ରାଜାଙ୍କର ଅପରାଧ କ୍ଷମାକଲେ ଓ ବାଳ ଅପ୍ରାଧୁ ତାଙ୍କଠାରେ ବାଳଧୂପର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ ।

ଏବେ ଅପ୍ରାଧ କ୍ଷମାକର ତୋର,
ବାଳ ଅପ୍ରାଧୁ ବାଳଧୂପ କର।
ସବୁ ଦିନକୁ ମହିମା ରହିବ,
ବାଳ ଘେନି ବାଳଧୂପ କରିବ ।
ତୋର କ୍ଷମା କରିଲୁ ସର୍ବଦୋଷ,
ମୋର ମହିମା କର ତୁ ପ୍ରକାଶ।
ମୋର କାଇଁକେ ଦାମୋଦର ମୂର୍ତ୍ତି,
ଧୂପଅନ୍ତେ ବାଳଧୂପ ତ୍ରିପୁତି।
ତୋର ବାଳ ଅପ୍ରାଧ କିଛି ନାହିଁ,
ଏତେ କହି ଅନ୍ତର୍ଦ୍ଧାନ ଗୋସାଇଁ ।

ଆଶ୍ୱିନ ଶୁକ୍ଳ ଦଶମୀ ଦିନ ପ୍ରଭୁ ଜଗନ୍ନାଥ ତ୍ରିମୁଣ୍ଡିରେ ବାଳ ଦେଖାଇଥିଲେ। ସେହି ଦିନଠାରୁ ବାଳଧୂପର ବିଧାନ ହୋଇଥିଲା ଓ ସବୁକାଳକୁ ବାଳଧୂପର ଖ୍ୟାତି ଲାଭ କରିଥିଲା । ପ୍ରଭୁ ଦାମୋଦର ମୂଭି ହୋଇ ବାଳଧୂପକୁ ଆଘ୍ରାଣ କରନ୍ତି । ତ୍ରିମୁଣ୍ଡିକୁ ଦିବ୍ୟ ଚୂଳରେ ବାନ୍ଧି ଦିଆଯାଏ। ହେମ କେତକୀ ପୁଷ୍ପ ଦ୍ବାରା ଜୁଡ଼ା ସଜେଇ ଦିଆଯାଏ । ରତ୍ନ କିରୀଟରେ ମୁକୁଟ ଖଂଜି ଦିଆଯାଏ । ସୁନାସୁତାରେ ମୁକୁତା ପ୍ରବାଳ ଝଜି ଗଳାରେ ଲମ୍ବାଇ ଦିଆଯାଏ । ରନ୍ କାଂଚୁଲାରେ ଶୋଭିତ ସୁବର୍ଣ୍ଣର ରଙ୍ଗ ଝାନବସନ ପ୍ରଭୁଙ୍କୁ ପିନ୍ଧାଇ ଦିଆଯାଏ । ଗଜ କର୍ଣ୍ଣରେ କର୍ଣ୍ଣଚୂଳ ଦିଆଯାଏ । ବଳିଆର ଭୁଜରେ ଶଙ୍ଖ ଚକ୍ର ଦାଉଦାଉ ହୋଇ ବିରାଜେ । ପୁଣି ଦଶ ଅବତାରରେ ମଣିହାର ଗଳାରେ ଲମ୍ବାଇ ଦିଆଯାଏ । କରପଲ୍ଲବରେ କୁଙ୍କୁମ ବୋଲାଯାଇ ପାଂଚ ପାଂଚ ମାଳିର ଝୁମ୍ପା ଝୁଲାଇ ଦିଆଯାଏ । ହୃଦୟରେ ରନ୍‌ ଜଡ଼ିତ ସୁନା ବ୍ୟାଘ୍ରନଖି ଖଚିତ କରାଯାଏ । କଟୀତଟରେ କଚଟିର ଝରି, ଝାନବସନ ଓ କାଛେଣୀ ପିନ୍ଧାଇ ଦିଆଯାଏ । ଚକାଡୋଳାକୁ କର୍ପୂରର ଭୁଲତା ଆହୁରି ସୁନ୍ଦର ଦିଶେ । ଏହିପରି ସୁନ୍ଦର କେଶରେ ଶ୍ରୀଜଗନ୍ନାଥଙ୍କର ଦାମୋଦର ମୂର୍ତ୍ତିକୁ ସଜାଇ ଦିଆଯାଏ।

ଏହିରୂପେ ଦାମୋଦର ମୂରତି,
ଶୁଣି ସୁଜନେ ଲଭ ସଦଗତି ।
ଯହୁ ଦାମୋଦର ବେଶ ହୋଇଲେ,
ବାଳଛଳେ ବାଳଧୂପ ପାଇଲେ ।
ଯେଣୁ କୋଠରୁ କରୁଛି ପ୍ରକାଶ,
ତେଣୁ କୃପା କରନ୍ତି ପୀତବାସ।
ଚାହି ଏକତ୍ଵରେ ମନେ ଶୁଣିବ,
କୋଟି କାର୍ତ୍ତିକର ଫଳ ପାଇବ।
ଧର୍ମ ଅର୍ଥ କାମ ମୋକ୍ଷ ସକଳ,
ଯାହା ବାଛିବ ଦେବ ଆଦିମୂଳ ।
ଏହି ଶ୍ରୀଜଗନ୍ନାଥ ଜ୍ୟୋତି,
ଯେବା ଯେମନ୍ତ ଭାବନ୍ତି ପାବନ୍ତି ।
ମୋର ଦାମୋଦର ପାଦେ ଏକଲୟ,
ମୁଁ ଯେ ଭାଗୀରଥ ଦାସ ତନୟେ ।

ଶ୍ରୀଜଗନ୍ନାଥଙ୍କ ଦାମୋଦର ବେଶ ଦର୍ଶନ କରି ଓ ତାଙ୍କର କାଣିଚାଏ ବିଭୂତି ଲାଭ କରି କବି ମୁକ୍ତିଲାଭ କରିବାକୁ ଇଚ୍ଛା ପୋଷଣ କରିଛନ୍ତି । ଦୀର୍ଘ ତିନିଶତ ଅଶୀ ପଦ ବିଶିଷ୍ଟ ଏହି ବୋଲିଟିରେ ଶ୍ରୀଜଗନ୍ନାଥର ରାଇ ଦାମୋଦର ବେଶ ଓ ବାଳଧୂପର ବିନା ଖୁବ୍ ସୁନ୍ଦର ହୋଇଛି ।

error: Content is protected !!