2,895

ଶ୍ରାବଣର ମାହାତ୍ମ୍ୟ ଓ ଚିତାଲାଗି ଅମାବାସ୍ୟା

ଚିତାଲାଗି ଅମାବାସ୍ୟା ଆମ ରାଜ୍ୟର ଏକ ପାରମ୍ପରିକ ପର୍ବ ଏବଂ ଅନେକ କାଳରୁ ଓଡ଼ିଶାର ଘରେ ଘରେ ପାଳିତ ହୋଇଆସୁଛି | ତେବେ ଶ୍ରୀମନ୍ଦିରରେ ଏହି ପର୍ବ ପାଳନର ଏକ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି | ଏହିଦିନ ଶ୍ରୀବିଗ୍ରହମାନଙ୍କ ଲଲାଟରେ ସୁବର୍ଣ୍ଣ ଚିତା ଲାଗି କରାଯାଏ, ଯାହାକି ଦେବସ୍ନାନ ପୂର୍ଣ୍ଣିମା ଦିନ ଉଲାଗି କରାଯାଇଥିଲା | ପ୍ରତିବର୍ଷ ସ୍ନାନପୂର୍ଣ୍ଣମା ଦିନ ମହାପ୍ରଭୁଙ୍କ ମହାସ୍ନାନ ସମୟରେ ସୁବର୍ଣ୍ଣ ଚିତା ମସ୍ତକରୁ ବାହାର କରାଯାଇଥାଏ ଏବଂ ରଥଯାତ୍ରା ସାରି ମହାପ୍ରଭୁ ଶ୍ରୀମନ୍ଦିର ବିଜେ କରିବା ପରେ ଶ୍ରାବଣ ଅମାବାସ୍ୟା ଦିନ ପୁନଃ ଚିତାଲାଗି କରାଯାଇଥାଏ | ସୁବର୍ଣ୍ଣ ଚିତାମଣ୍ଡିତ ମହାପ୍ରଭୁଙ୍କ ସୌମ୍ୟ ରୂପ ଦର୍ଶନ ପାଇଁ ଏହି ଅବକାଶରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଅସଂଖ୍ୟ ଜନ ଗହଳି ହୋଇଥାଏ | ଉଲ୍ଲେଖନୀୟ ବିଷୟ ଯେ ଦଇତାପତିମାନେ ଏହି ଚିତାଲାଗି ନୀତି ସମ୍ପନ୍ନ କରିଥାନ୍ତି | ଚିତାଲାଗି ପରେ ପ୍ରଭୁଙ୍କର ମହାସ୍ନାନ, କର୍ପୂରଆଳତି, ମଙ୍ଗଳ ଆରତି ଏବଂ ତା ପରେ ବନ୍ଦାପନା ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ |

ସ୍କନ୍ଦ ପୁରାଣରେ କଥିତ ଅଛି ଯେ ଯେଉଁ ବ୍ୟକ୍ତି ଏହି ଶ୍ରାବଣରେ କମଳାପତିଙ୍କୁ ପୂଜା କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ମାତୃଗର୍ଭରେ ଜନ୍ମଲାଭ କରେନାହିଁ | ଶ୍ରାବଣର ମାହାତ୍ମ୍ୟ ଓ ଚିତାଲାଗି ଅମାବାସ୍ୟା

ଘରେ ଘରେ ଓଡ଼ିଆ ନାରୀ ଚିତଉ ପିଠା କରି ଏହି ପର୍ବଟିକୁ ପାଳନ କରନ୍ତି | ଓଡ଼ିଆ ନାରୀ ତିଆରି କରୁଥିବା ପିଠାପଣା ମଧ୍ୟରେ ଚିତଉ ପିଠା ଏକ ସ୍ଵତନ୍ତ୍ର ସ୍ଥାନ ରଖେ | କେହି କେହି ଖାଲି ନଡ଼ିଆ କୋରା ଏବଂ ଆଉ କେହି କଦଳୀ, ଗୁଡ଼ ଆଦି ସୁମିଷ୍ଟ ପଦାର୍ଥ ପକାଇ ଏହି ପିଠା ତିଆରି କରଥାନ୍ତି | ଶ୍ରୀମନ୍ଦିରରେ କେବେ ଠାରୁ ଏହି ପର୍ବ ପାଳନ ହେଲା ତାହା ସଠିକ୍ ଭାବେ ଜଣା ପଡୁନଥିଲେ ମଧ୍ୟ ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରୁ ଏହି ପର୍ବ ପାଳନ ହୋଇଆସୁଛି ବୋଲି କେହି କେହି ମତ ଦେଇଥାନ୍ତି | ତେବେ ଶ୍ରାବଣ ମାସରେ ବିଷ୍ଣୁ ପୂଜାର ସ୍ଵତନ୍ତ୍ର ମହତ୍ତ୍ଵ ଥିବାରୁ ଏହି ମାସର ଅମାବାସ୍ୟା ଦିନ ଉକ୍ତ ନୀତି ପାଳନ କରାଯାଉଥିବା ଅନେକ କହନ୍ତି | ସ୍କନ୍ଦ ପୁରାଣରେ କଥିତ ଅଛି ଯେ ଯେଉଁ ବ୍ୟକ୍ତି ଏହି ମାସରେ କମଳାପତିଙ୍କୁ ପୂଜା କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ମାତୃଗର୍ଭରେ ଜନ୍ମଲାଭ କରେନାହିଁ | ଯେଉଁ ବ୍ୟକ୍ତି ଏହି ମାସରେ ଭକ୍ତି ପୂର୍ବକ ପୂଜା କରି ଲିଆ ବା ଖଇରେ ଘୃତ ମିଶାଇ ପ୍ରଭୁଙ୍କୁ ଅର୍ପଣ କରେ ତା’ର ସମସ୍ତ ପାପ କ୍ଷୟ ହୁଏ, ଏବଂ ତା ଗୃହରେ ବିପତ୍ତିପଡ଼େ ନାହିଁ | ଯେଉଁ ଗୃହସ୍ଥ ଏହି ମାସରେ ବିଷ୍ଣୁଙ୍କୁ ମୁଗ ପୁରଦିଆ ପିଠା ଅର୍ପଣ କରନ୍ତି ତାଙ୍କ ଗୃହରେ ଚଞ୍ଚଳା ମହାଲକ୍ଷ୍ମୀ ନିଶ୍ଚଳା ହୋଇ ବାସ କରନ୍ତି |

error: Content is protected !!