ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ ପ୍ରଦାନ ପୂର୍ବକ ପ୍ରତିନିଧିମାନଙ୍କୁ ଶ୍ରୀଅଙ୍ଗରୁ ଯେଉଁ ମାଳ ଦେଇଥାନ୍ତି, ତାହାର ନାମ ହେଉଛି ଆଜ୍ଞାମାଳ । ଏହି ଆଜ୍ଞାମାଳର ସର୍ଵପ୍ରଥମ ବର୍ଣ୍ଣନା ସ୍କନ୍ଦପୁରାଣରେ ଦେଖିବାକୁ ମିଳିଥାଏ, ଯେଉଁଥିରେ କି ଉଲ୍ଲେଖ ରହିଛି ଯେ ଅବନ୍ତୀ ନଗରୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତିନିଧି ବିଦ୍ୟାପତି, ଶବର ରାଜା ବିଶ୍ୱାବସୁଙ୍କ ଠାରୁ ପ୍ରଭୁ ଶ୍ରୀନୀଳମାଧବଙ୍କର ଇନ୍ଦ୍ରଦ୍ୟୁମ୍ନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଜ୍ଞାମାଳ ପ୍ରାପ୍ତ କରି ତାହାକୁ ସସମ୍ମାନେ ନେଇ ଅବନ୍ତୀ ନଗରୀରେ ପହଞ୍ଚିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିବାର ଆଜ୍ଞା ସ୍ୱରୂପ ତାଙ୍କୁ ଏହି ଆଜ୍ଞାମାଳ ପ୍ରଦାନ କରାଯାଇଥିଲା ଓ ଏହାକୁ ଦର୍ଶନ କରି ରାଜା ଇନ୍ଦ୍ରଦ୍ୟୁମ୍ନ କୃତକୃତ୍ୟ ହୋଇଥିଲେ ଏବଂ ତତ୍ପଶ୍ଚାତ୍ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏତ ଗଲା ପୁରାଣର କଥା, ତେବେ ଐତିହାସିକ ବିଶ୍ଳେଷଣ ଅନୁସାରେ ଅନୁମାନ କରାଯାଏ ଯେ, ଏହି ଆଜ୍ଞାମାଳ ପ୍ରଦାନର ପରମ୍ପରା ସମ୍ଭବତଃ ତ୍ରୟୋଦଶ ଶତାବ୍ଦୀ ଠାରୁ ଆରମ୍ଭ ହୋଇଛି ଯେତେବେଳେ କି ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ଵାରା କଳିଙ୍ଗର ରାଷ୍ଟ୍ରଦେବତା ବା ସମ୍ରାଟ ରୂପେ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରାଗଲା ଓ କଳିଙ୍ଗର ମହାରାଜା ମାନେ ସେହି ସମୟ ଠାରୁ ପ୍ରତ୍ୟେକ ରାଜକାର୍ଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ‘ଆଜ୍ଞାମାଳ’ ନେଇ ଶାସନ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟମାନ ଆରମ୍ଭ କରୁଥିଲେ ।
ଶ୍ରୀମନ୍ଦିରର ପରମ୍ପରା ଓ ନୀତିକାନ୍ତିରେ ମହାପ୍ରଭୁଙ୍କ ଅଧର ଚୁମ୍ବନ ମାଳ ହିଁ ବିଶେଷ ଭାବରେ ଆଜ୍ଞାମାଳ ରୂପେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରର ବିଭିନ୍ନ ଯାନିଯାତ୍ରା ତଥା ନୀତିକାନ୍ତି ମାନଙ୍କରେ ଶ୍ରୀବିଗ୍ରହ ମାନେ ନିଜେ ଯାତ୍ରା ନକରି, ସେଥିରେ ଆଜ୍ଞାମାଳ ମାଧ୍ୟମରେ ହିଁ ନିଜର ଚଳନ୍ତି ପ୍ରତିମାମାନଙ୍କୁ ବା ପ୍ରତିନିଧି ମାନଙ୍କୁ ଲୋକହିତକର କାର୍ଯ୍ୟ ସମ୍ପାଦନ ନିମିତ୍ତ ଆଦେଶ ପ୍ରଦାନ କରିଥାନ୍ତି । ଶ୍ରୀମନ୍ଦିରରେ ବର୍ଷସାରା ପାଳନ କରାଯାଉଥିବା ବିଭିନ୍ନ ଯାନିଯାତ୍ରା, ଉପଯାତ୍ରା ଆଦି ଏହି ଆଜ୍ଞାମାଳ ଦ୍ୱାରା ନିର୍ଦ୍ଦେଶିତ ହୋଇ ପାଳିତ ହୋଇଥାଏ । ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ବିଶେଷ ନୀତି ଓ ପ୍ରତିମାସରେ ପାଳନ କରାଯାଉଥିବା ନୀତିରେ ଆଜ୍ଞାମାଳର ଭୂମିକା ସମ୍ପର୍କରେ ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଓ ଶ୍ରୀମନ୍ଦିର ସ୍ଵତ୍ତ୍ୱଲିପିରେ ବିଶଦ ଭାବରେ ଉଲ୍ଲେଖ ରହିଛି ।
“ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ” ପୁସ୍ତକର ଲେଖକ ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀଙ୍କ ଅନୁସାରେ ବର୍ଷ ସାରା ଶ୍ରୀମନ୍ଦିରର ବିଭିନ୍ନ ଯାନିଯାତ୍ରା, ଉପଯାତ୍ରା ଆଦିରେ ବ୍ୟବହୃତ ହେଉଥିବା ଆଜ୍ଞାମାଳର ମୋଟ ସଂଖ୍ୟା ଯଦିଓ ଶ୍ରୀମନ୍ଦିର ସ୍ଵତ୍ତ୍ୱଲିପି ଅନୁସାରେ ୧୧୩ ଗୋଟି, ତେବେ ଶ୍ରୀମନ୍ଦିରର ତଢ଼ଉକରଣ, ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଠାରୁ ସଂଗୃହୀତ ତଥ୍ୟ ଅନୁସାରେ ତାହାର ମୋଟ ସଂଖ୍ୟା ୧୩୯ । ଏହି ଆଜ୍ଞାମାଳ ବାର୍ଷିକ ୧୩୯ ଥର ଶ୍ରୀବିଗ୍ରହମାନଙ୍କ ଠାରୁ ଦିଆଯାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଣା ସଂକ୍ରାନ୍ତି ଦିନ ଏକ ବଡ଼ ଅଧରମାଳାକୁ ୩୧ ଗୋଟି ଛୋଟ ଛୋଟ ମାଳା କରି ବିଭିନ୍ନ ହନୁମାନଙ୍କ ବିଗ୍ରହମାନଙ୍କୁ ଦିଆଯାଉଥିଲେ ମଧ୍ୟ ସେସବୁକୁ ଗୋଟିଏ ମାଳା ରୂପେ ହିସାବକୁ ନିଆଯାଇଛି ଏବଂ ଠିକ ସେହିପରି ସାମୟିକ ନୀତି, ଗୁରୁବାର ମାଜଣା, ଏକାନ୍ତ ଓ ଏକାଦଶୀ ଆଦି ବର୍ଷକ ମଧ୍ୟରେ ବହୁବାର ହେଉଥିଲେ ମଧ୍ୟ ସେଥିରେ ଦିଆଯାଉଥିବା ମାଳାକୁ ଗୋଟିଏ ମାଳା ଭାବେ ହିସାବକୁ ନିଆଯାଇଛି । ନଚେତ ଏହି ମୋଟ ଆଜ୍ଞାମାଳର ସଂଖ୍ୟା ଅଧିକ ହୋଇଯିବ ।
ଆମର ବିଶ୍ୱାସ ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ହିଁ ଏ ସମଗ୍ର ଜଗତ ପରିଚାଳିତ । ପ୍ରଭୁ ଏହିପରି ଭାବରେ ଏ ସଂସାରକୁ ତାଙ୍କରି ନିର୍ଦ୍ଦେଶରେ ପରିଚାଳନା କରି ଚାଲିଥାନ୍ତୁ ଓ ତାଙ୍କର ଆଜ୍ଞାମାଳ ସାହାଯ୍ୟରେ ଜନମଙ୍ଗଳକାରୀ ଯାନିଯାତ୍ରା ତଥା ନୀତିକାନ୍ତି ଆଦିର ସମ୍ପାଦନ ନିମିତ୍ତ ଆଦେଶ ପ୍ରଦାନ କରୁଥାନ୍ତୁ ।
ଜୟ ଜଗନ୍ନାଥ !
Author: Kumar Aurojyoti