0
Your Cart
0
Your Cart
2,553

ଭକ୍ତଙ୍କ ପାଇଁ ନୁହେଁ,ରଥ ଯଜ୍ଞର ଶାନ୍ତିଉଦକ ଅଧରପଣା

ଭକ୍ତଙ୍କ ପାଇଁ ନୁହେଁ,ରଥ ଯଜ୍ଞର ଶାନ୍ତିଉଦକ ଅଧରପଣା

ଗୁଣ୍ଡିଚା ଘରୁ ତିନି ରଥ ଫେରିଆସି ସିଂହଦ୍ଵାରଠାରେ ପହଚିଂବା ପରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଆଜି ତ୍ରୟୋଦଶୀରେ ଅର୍ପଣ ହେବ ଅଧରପଣା। ଏହି ଅଧରପଣା ହେଉଛି ରଥ ଯଜ୍ଞର ଶାନ୍ତି ଉଦକ। ପ୍ରଭୁଙ୍କ ପ୍ରସାଦ ପରେ ରଥାରୂଢ ଅନୁଚରଗଣ ଏହି ଶାନ୍ତି ଉଦକ ପାଇଥାଆନ୍ତି। ରଥଯାତ୍ରା ସମୟରେ ରଥ ପ୍ରତିଷ୍ଠାବେଳେ ଚକ୍ରପୀଢଠାରୁ ଆରମ୍ଭ କରି ଧ୍ଵଜ ଓ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା,ଋଷି,ଗନ୍ଧର୍ବ,ଯକ୍ଷ,ରକ୍ଷ,କିନ୍ନର,ଚଣ୍ଡୀ ଚାମୁଣ୍ଡା,ଅଶରୀରୀ ପିଶାଚ ଓ ଅନ୍ୟାନ୍ୟ ଯୋନିର ଦେବଦେବୀଗଣଙ୍କୁ ଆହ୍ଵାନ କରାଯାଇ ସ୍ଥାନ ଦିଆଯାଇଥାଏ। ନବଦିନ ଯାତ୍ରାରେ ଏମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ରହିଥାଆନ୍ତି। ଯଜ୍ଞ ଶେଷରେ ଅଗ୍ନିଶାନ୍ତି ପାଇଁ ଶୀତଳ ପ୍ରପାନକ ଅର୍ପଣ ପରି ରଥ ଯଜ୍ଞର ଶେଷରେ ସମସ୍ତଙ୍କୁ ଏହି ଶାନ୍ତି ଉଦକ ମିଳିବା ପରେ ରଥାଶ୍ରିତ ଦେବତା ଓ ଯକ୍ଷ ଗନ୍ଧର୍ବ ଓ ପିଶାଚମାନେ ସ୍ଵସ୍ଥାନ ଗମନ କରନ୍ତି। ଶ୍ରୀମନ୍ଦିରରେ ପଣା ଭୋଗ ବେଶ୍ ଗୁରୁତ୍ଵପୂର୍ଣ୍ଣ। ବୈଶାଖ ମାସରୁ ଆଷାଢ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ବିଶେଷ ଭାବେ ପଣା ଭୋଗ କରାଯାଏ। ଚନ୍ଦନଯାତ୍ରା ସମୟରେ ଆଲଟ ଲାଗି ପରେ ପ୍ରଭୁ ଶୀତଳ ପ୍ରପାନକ ମଣୋହି କରନ୍ତି। ଅଣସର ସମୟରେ ଯେଉଁ ପଣାଲାଗି ହୁଏ ତାହା ଅତି ସୁସ୍ଵାଦୁ।

ଭକ୍ତଙ୍କ ପାଇଁ ନୁହେଁ,ରଥ ଯଜ୍ଞର ଶାନ୍ତିଉଦକ ଅଧରପଣା

ନୀଳାଦ୍ରି ବିଜେ ପୂର୍ବରୁ ଏହି ଶାନ୍ତିଉଦକ ଭାବେ ପ୍ରଭୁଙ୍କୁ ସୁସ୍ଵାଦୁ ପଣାଭୋଗ ଅର୍ପଣ କରାଯାଏ। ପୂର୍ବରୁ ଏହି ଅଧରପଣା ଦଶମୀ ତିଥିରେ ଲାଗି ହୋଇଆସୁଥିଲା। କାଳକ୍ରମେ ଏହା ଏକାଦଶୀ ଅଥବା ଦ୍ଵାଦଶୀ ତିଥିରେ ଲାଗି କରାଯାଉଛି। ଶ୍ରୀମନ୍ଦିର ସ୍ଵତଲିପି ମୁତାବକ ‘ଏକାଦଶୀଦିନ ରଥ ଉପରେ ଅଧରପଣା ମଧ୍ୟାହ୍ନ ଧୂପ ପରେ ଲାଗି ହୁଏ। ଏହା ଦଶମୀ ଦିନ ରଥ ସିଂହଦ୍ଵାରସ୍ଥ ହେଲେ ବଢିବା କଥା,କିନ୍ତୁ ସମୟ ଅଭାବରୁ ଏକାଦଶୀ ଦିନ ଅନୁଷ୍ଠିତ ହେଉଅଛି। ରାଘବଦାସ ମଠ ଓ ଓଡିଆ ମଠ ସାଚି,ଛେନା,କଦଳି ଇତ୍ୟାଦି ଦରକାରୀ ସାମଗ୍ରୀ ଯୋଗାନ୍ତି। ପାଳିଆ ମହାସୁଆରମାନେ ଥାଇ ଭିତରଛ୍ଚ ଓ ତଳିଛ୍ଚ ଓ ମଝିବାଡର ପାଳିଆ ପଶୁପାଳକ ଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବାନ୍ଧନ୍ତି। ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳିଆ ଉଚ୍ଚ ଥିବା ତୁମ୍ବ ଭଳିଆ ମାଟିର ତିନୋଟି ହାଣ୍ଡିରେ ପଣା ଢାଳନ୍ତି ଓ ପୁଜାପଣ୍ଡା ପଚୋଂପଚାରରେ ପୂଜା କରନ୍ତି। ଏହି ହାଣ୍ଡି ସବୁ ଭଙ୍ଗାଯାଏ। ଏହାକୁ ଅଧରପଣା କହନ୍ତି। ଦ୍ଵାଦଶୀ ଦିନ ପହଣ୍ଡି ପୂର୍ବରୁ ଠିକ୍ ଏହି ରୀତିରେ ଅଧରପଣା ଭୋଗ ହୁଏ। ଏହାର ସମସ୍ତ ସାମଗ୍ରୀ ରାଜା ସୁପରିଟେଣ୍ଡେଣ୍ଟ ଯୋଗାଇଥାଆନ୍ତି।


ଏବେ ରଥାରୂଢ ତିନିଠାକୁରଙ୍କ ସମ୍ମୁଖରେ ପ୍ରତି ରଥରେ ପ୍ରଭୁଙ୍କ ଅଧର ଚୁମ୍ବିତ ତିନିଗୋଟି ହାଣ୍ଡିରେ ପଣାଭୋଗ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ,ଭକ୍ତ ରଘୁଦାସଙ୍କ ପ୍ରତିଷ୍ଠିତ ରାଘବଦାସ ମଠ ଓ ଅତିବଡୀ ଜଗନ୍ନାଥ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ବଡ ଓଡିଆ ମଠ ପକ୍ଷରୁ ପଣା ପାଇଁ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ କୁମ୍ଭାରପଡା ଓ ମାଟିଆପଡାର କୁମ୍ଭକାରମାନେ ଏହିସବୁ ବଡ ବଡ ଅଧର ହାଣ୍ଡି ପ୍ରସ୍ତୁତ କରି ଯୋଗାଇଛନ୍ତି। ମହାପ୍ରଭୁଙ୍କୁ ଅଧରପଣା ଲାଗି ପରେ ପ୍ରସାଦ ବଣ୍ଟାନଯାଇ ରଥ ଉପରେ ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଏ। ତଳେ ଥାଇ ଭକ୍ତମାନେ ଏହି ପ୍ରସାଦ ପାଆନ୍ତି। କିନ୍ତୁ ପ୍ରକୃତରେ ଏହି ପଣା ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ, ଏହି ପଣା କେବଳ ରଥାଶ୍ରିତ ଶକ୍ତିମାନଙ୍କ ସନ୍ତୋଷ ବିଧାନ ପାଇଁ ଶାନ୍ତିଉଦକ ହୋଇଥିବାରୁ କେବଳ ସେହି ଯକ୍ଷ ରକ୍ଷ ପିଶାଚମାନେ ହିଁ ପାଇବା କଥା। ସାଧାରଣ ଭକ୍ତମାନେ ଏହି ପ୍ରସାଦକୁ ଗ୍ରହଣ କରିବା ଉଚିତ୍ ନୁହେଁ ।

error: Content is protected !!