0
Your Cart
0
Your Cart
3,211

ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ,ସହସ୍ରକୁମ୍ଭାଭିଷେକ,ମୂଳାଷ୍ଟମୀ, ଦ୍ଵିତୀୟା ଓଷା ଏବଂ ଷୋଡଶ ଦିନାତ୍ମକ ପୂଜା

ଭାରତରେ ଅନେକ ପ୍ରତିଷ୍ଠିତ ପୀଠସ୍ଥଳୀ ରହିଛି। ସେଥିମଧ୍ୟରେ ଶ୍ରୀକ୍ଷେତ୍ର ଅନ୍ୟତମ। ଶଙ୍ଖକ୍ଷେତ୍ରର କ୍ଷେତ୍ରଶ୍ଵରୀ ଭାବରେ ମା ବିମଳା ଅଧିଷ୍ଠିତ।ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ଵରୀ ନାମରେ ସୁବିଦିତା। ପୀଠାଧିଶ୍ଵରୀ ମା ବିମଳା ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି। ଅଶ୍ଵିନ ମାସର ଶରତକାଳରେ ମା’ ଶ୍ରୀକ୍ଷେତ୍ରଶ୍ଵରୀଙ୍କର ଶ୍ରୌତସ୍ମାର୍ତ୍ତବିଧିରେ ତର୍ପଣ, ମାର୍ଜନ, ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ। ବହୁ ଆଡମ୍ବର ଓ ବିଧିବିଧାନ ସହ ବହୁଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ‘ଶାରଦୀୟ ଦୁର୍ଗୋତ୍ସବ’ ଭାବରେ ଖ୍ୟାତ। ଶରତକାଳର ଏହି ପୂଜା ସମୟକୁ ଛାଡିଦେଲେ ମା ବିମଳାଙ୍କର ନିତ୍ୟ ପୂଜାବିଧି ନାହିଁ। ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ।
ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ-ଦେବାଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି। ଶ୍ରୀଦୁର୍ଗାଦେବୀଙ୍କର ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ।ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଲ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବାଭାଗରେ ଶୟନରୁ ଉଠନ୍ତି। ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ। ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ(ମାଜଣା ମଣ୍ଡପ)ଖଟ ଉପରେ ବିଜେ ହୁଆନ୍ତି। ସେଠାରେ ପୁଜାପଣ୍ଡା,ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇଥାନ୍ତି। ଏହାପରେ ପାଣିପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାରଘର ଦ୍ଵାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷେକ ନୀତି ସମାପ୍ତ ହୁଏ।

ମୂଳାଷ୍ଟମୀ ଓ ଦ୍ଵିତୀୟା ଓଷା-ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ‘ମୂଳାଷ୍ଟମୀ’ କୁହାଯାଏ। ଏହି ତିଥିରେ ସମସ୍ତ ପୀଠଦେବୀଙ୍କର ଶରତକାଳୀନ ଷୋଡଶଦିନାତ୍ମକ ପୂଜାର ମୂଳ ବା ପ୍ରଥମ ଦିନ ହୋଇଥିବାରୁ ଏହାକୁ ‘ମୂଳାଷ୍ଟମୀ’ କୁହାଯାଏ। ପ୍ରମାଣଂ ଯଥା-

‘ଯଦାଷ୍ଟମୀଂ ତୁ ସଂପ୍ରାପ୍ୟ ଅସ୍ତଂ ଯାତି ଦିବାକରଃ।
ତତ୍ର ଦୁର୍ଗୋତ୍ସବଂ କୁର୍ଯ୍ୟାନ୍ନ କୁର୍ଯ୍ୟାଦପରେଽହନି।।’

ଏହି ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଦ୍ଵିତୀୟା ଓଷା ପାଳନ କରାଯାଏ। ଦୂତିବାହାନ ହେଉଛ ଏହି ଓଷାର ଦେବତା। ପ୍ରାଚୀନ କାଳ କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜାତ ହୋଇଥିଲେ। ଏଥିମଧ୍ୟରୁ ଜଣାଯାଏ, ଗୋଟିଏ ଚିଲ ଓ ଗୋଟିଏ ଶୃଗାଳ ଦୁହେଁ ଏହି ଓଷା ପ୍ରଭାବରୁ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ଲାଭ କରିଥିଲେ। ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି। ଏହି ଦିନ ଠାକୁରମାନଙ୍କର ସନ୍ଧ୍ୟାଧୂପ ସମାପ୍ତି ହେବାପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପଇ ସାତପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ଦେବା ପରେ ମହାଜନ ସେବକ ମା ଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ। ଜନୈକ ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି। ପରେ ଭୋଗ ଓ ବନ୍ଦାପନା ହୋଇଥାଏ। ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି।

Dutia Osha Dutibahana Osha

ଷୋଡଶଦିନାତ୍ମକ ପୂଜାରମ୍ଭ- ଆଶ୍ଵିନ କୃଷ୍ଣାଷ୍ଟମୀ ଠାରୁ ଶୁକ୍ଲାଷ୍ଟମୀ ପର୍ଯ୍ୟନ୍ତ ଷୋଡଶ ଦିବସ ବ୍ୟାପୀ ଦେବୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। ଏହାକୁ ‘ଷୋହଳପୂଜା’ କୁହାଯାଏ। ଅଷ୍ଟମୀ ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ସରି ଦୁର୍ଗାଦେବୀଙ୍କର ସହସ୍ରକୁମ୍ଭାଭିଷେକ ନୀତି ବଢିବା ପରେ ବିମଳାଦେବୀଙ୍କ ମନ୍ଦିରରେ ଅଚାର୍ଯ୍ୟ ରୂପେ ବରଣ ହୋଇଥିବା ଶ୍ରୋତ୍ରୀୟ ବ୍ରାହ୍ମଣ କଳସ ପୂଜା ସାରି ବ୍ରହ୍ମା, ସ୍ଵସ୍ତିବାଚକ,ଚଣ୍ଡୀ ଓ ସହସ୍ରନାମାଦି କାର୍ଯ୍ୟ ନିମନ୍ତେ ବ୍ରାହ୍ମଣମାନଙ୍କୁ ବରଣ କରି ଜପ ହୋମ ସଂକଳ୍ପ କରିବା ପରେ ଶ୍ରୀବିମଳାଦେବୀଙ୍କ ସମୁଖରେ ପାହାଡାପଡି ଭୋଗହୋଇଥିବା ସ୍ଥାନକୁ ପୂଜା କରିବା ନିମନ୍ତେ ଯାଆନ୍ତି। ମା’ ଙ୍କର ମଣୋହିରେ କୋଠଭୋଗ ପ୍ରସାଦ ପିଠା ଓ ଥାଳି ଖେଚେଡି ଇତ୍ୟାଦି ବଢାଯାଏ। ଏହି ଭୋଗ ସମୟରେ ଛତି ଟେକାଯାଇ ଘଣ୍ଟ, କାହାଳୀ ପ୍ରଭୃତି ବାଜିଥାଏ। ପୂଜକ ଆଚାର୍ଯ୍ୟ ଷୋଡଶ ଉପଚାରରେ ପୂଜା କରନ୍ତ। ଭୋଗ ବଢି ଟେରା ଫିଟିଲେ କର୍ପୂର ଆଳତି ଓ ଏକୋଇଶି ବତୀ ବନ୍ଦାପନା ହୋଇଥାଏ। ସକାଳ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ରନାମାଦି ପାଠ କରାଯାଇଥାଏ। ମହାପ୍ରଭୁଙ୍କର ମଧ୍ୟାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ମା ବିମଳାଦେବୀଙ୍କର ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ହୋଇଥାଏ। ଏହି ଧୂପମାନଙ୍କରେ ଦେବୀଙ୍କ ସକାଳଧୂପ ପରି କୋଠଭୋଗ ପ୍ରସାଦ ଓ ପିଷ୍ଟକାଦି ନୈବେଦ୍ୟ କରାଯାଇଥାଏ। ନୈବେଦ୍ୟ ସମର୍ପଣ ପରେ ଟେରା ଫିଟିଲେ ଆଳତି ବନ୍ଦାପନା ହୋଇଥାଏ। ଏହିପରି ବିଧି ଶୁକ୍ଲ ସପ୍ତମୀ ପର୍ଯ୍ୟନ୍ତ ପ୍ରତ୍ୟହ ପାଳିତ ହୁଏ।

error: Content is protected !!