2,117

ଯଜ୍ଞବେଦୀରେ ମହାପ୍ରଭୁ ଓ ଆଡପ ଅଭଡା

ଯଜ୍ଞବେଦୀରେ ମହାପ୍ରଭୁ ଓ ଆଡପ ଅଭଡା

ନନ୍ଦିଘୋଷରୁ ଓହ୍ଲାଇ ପ୍ରଭୁ ଏବେ ବିଜେ କରିଛନ୍ତି ଆଡପ ମଣ୍ଡପ ଯଜ୍ଞବେଦୀରେ। ନୀଳଗିରି ଏବେ ଶୂନ୍ୟ ପଡିଥିବା ବେଳେ ହସି ଉଠୁଛି ସୁନ୍ଦରାଚଳ।ଜନକପୁରୀରେ ଲାଗିଛି ଗହଳଚହଳ।ବିଜେ କାହାଳୀ ବାଜିବା ପରେ ଘଣ୍ଟ ଘଣ୍ଟା ମର୍ଦ୍ଦଳ,ଛତ,ତରାସ,ବାଜ,ବୈଜୟନ୍ତ୍ରୀର ରାଜକୀୟ ପଟୁଆରରେ ହଲିଝୁଲି ରଥରୁ ଓହ୍ଲାଇଥିଲେ ଓଡିଆ ଜାତିର ସମ୍ରାଟ କଳା ସାଆନ୍ତ ପ୍ରଭୁ ଜଗନ୍ନାଥ।ଚାରମାଳ ଉପରେ ସୋଲଫୁଲର ଟାହିଆ ପିନ୍ଧି ଓହ୍ଲାଇବା ବେଳେ ରାତିରେ ବାଟ ଦେଖିବା ପାଇଁ ଆଗରେ ଜଳୁଥିଲା ଛାମୁ ଦିହୁଡି।ପଥ ପରିଷ୍କାର କରୁଥିଲେ ବେତ୍ରହସ୍ତ ଖୁଣ୍ଟିଆ ଓ ପ୍ରତିହାରୀ।ପ୍ରଭୁଙ୍କ ସମ୍ମୁଖ ପଛପଟ ଓ ବାହୁକୁ ଧରି ବଂଶଧର ବଳିଷ୍ଠ ଦଇତାପତି ଓ ଅନ୍ୟ ସେବକମାନେ ଅଣ୍ଟାରେ ପାଟଡୋରୀ ଲଗାଇ ପହଣ୍ତି କରି ନେଇଥିଲେ ଗୁଣ୍ଡିଚାବାଡିକୁ।ଏହି ଗୁଣ୍ଡିଚା ମନ୍ଦିରକୁ କେତେକ ଭକ୍ତ ଭୁଲ ବଶତଃ ମାଉସୀ ମା ମନ୍ଦିର ବୋଲି କହିଥାନ୍ତି।ବାସ୍ତବରେ ଏହା ହେଉଛି ପ୍ରଭୁଙ୍କ ଜନ୍ମସ୍ଥାନ।ସ୍କନ୍ଧ ପୁରାଣ ନୀଳାଦ୍ରି ମହୋଦୟ ଅନୁସାରେ ଏହାକୁ ନରସିଂହ କ୍ଷେତ୍ର ବୋଲି କୁହାଯାଇଥାଏ।ପ୍ରଭୁ ନୀଳକଣ୍ଠେଶ୍ଵର ମହାଦେବଙ୍କ ଦକ୍ଷିଣରେ ଅବସ୍ଥିତ ଏହି ପବିତ୍ର କ୍ଷେତ୍ରରେ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଇଦ୍ରଦ୍ୟୁମ୍ନ ଏହିଠାରେ ହିଁ ଯଜ୍ଞଶାଳା ନିର୍ମାଣ କରିବା ସହ ଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରିଥିଲେ।ସେହି ଯଜ୍ଞବେଦୀରେ ଏବେ ଚତୁର୍ଦ୍ଧାମୂର୍ତ୍ତି ବିଦ୍ୟମାନ କରିଛନ୍ତ।ନୀଳାଦ୍ରି ମଣ୍ଡପରେ ବର୍ଷ ବର୍ଷ ଧରି ଦର୍ଶନ କଲେ ଯେତିକି ପୂର୍ଣ୍ଣ ଲାଭ ହୁଏ,ଆଡପ ମଣ୍ଡପରେ ଏହି ୭ ଦିନ ଦର୍ଶନରେ ସେତିକି ପୂର୍ଣ୍ଣଲାଭ ହୋଇଥାଏ।ଆଡପ ମଣ୍ଡପରେ ବିଜେ କରିବାପରେ ପ୍ରଭୁଙ୍କୁ ପୁଣି ଅନ୍ନ ବ୍ୟଞନ ନୈବେଦ୍ୟ କରାଯାଉଛି।ଭୋଗ ପ୍ରସ୍ତୁତ ହୋଇ ସାରିବା ପରେ ନୀତି ଅନୁସାରେ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଅର୍ପଣପରେ ଗର୍ଭଗୃହ ବା ବିମାନଗୃହ ସଂଲଗ୍ନ ଜଗମୋହନରେ ବିମଳାଙ୍କର ସ୍ଥିତି କଳ୍ପନା କରାଯାଇଥିବାରୁ ସେଠାରେ ନୈବେଦ୍ୟ ସମର୍ପିତ ହୁଏ।ମାତ୍ର ଗୁଣ୍ଡିଚା ମନ୍ଦିର ଯଜ୍ଞବେଦୀ ହୋଇଥିବାରୁ ଏଠାରେ ବିମଳା ସମର୍ପଣ ସେତେଟା ପରିଗୃହିତ ହୋଇ ନଥାଏ।ଶ୍ରୀମନ୍ଦିରସ୍ଥିତ ବିମଳା ମନ୍ଦିରକୁ ଥାଳିଏ ଅନ୍ନଭୋଗ ପଠାଯାଇ ସାରିବାପରେ ପରିବେଷଣ ଇତ୍ୟାଦି ଆରମ୍ଭ ହୁଏ।ଏହି ପ୍ରସାଦକୁ ଭକ୍ତମାନେ ଆଡପ ଅଭଡା ବୋଲି କହିଥାନ୍ତି।ଶ୍ରୀକ୍ଷେତ୍ରରେ ଏବେ ଶହ ଶହ ଭକ୍ତ,ସାଧୁସନ୍ଥ ଓ ସନ୍ୟାସୀମାନେ ନବଦିନ ବ୍ରତ ପାଳନ କରୁଛନ୍ତି।ଏହି ବ୍ରତ ପାଳନକାରୀମାନେ ଆଡପ ଅଭଡା ସେବନ କରିବାସହ ପ୍ରଭୁଙ୍କ ଦର୍ଶନ କରୁଛନ୍ତି।ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତଗଣ ଆଡପ ଅଭଡା ଅର୍ପଣ କରିଚାଲିଛନ୍ତି।ଶ୍ରୀମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ଥିବା ରୋଷଘରେ ଏହି ଅଭଡା ପ୍ରସ୍ତୁତ ହେଉଛି।

error: Content is protected !!