“ଉଡ୍ରପୀଠଂ ପଶ୍ଚିମେତୁ
ତଥୈ ବୋଡ୍ରେଶ୍ଵରୀ ଶିବାମ୍
କାତ୍ୟାୟନୀଂ ଜଗନ୍ନାଥ
ମୋଡ୍ରେଶଂ ଚ ପ୍ରପୂଜୟେତ୍। “
(କାଳିକା ପୁରାଣ)
ଅର୍ଥାତ୍ ଭାରତବର୍ଷର ଚାରି ଦିଗରେ ଥିବା ଚାରି ମୁଖ୍ୟ ଶକ୍ତିପୀଠମାନଙ୍କ ମଧ୍ୟରୁ ଉଡ୍ର ଦେଶ ଅନ୍ୟତମ। ଏଠାରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ନାମରେ ପୂଜା କରାଯାଏ। ବାମନ ପୁରାଣରେ ଦେବୀ କାତ୍ୟାୟନୀଙ୍କ ସୃଷ୍ଟି ସଂପର୍କରେ ବର୍ଣ୍ଣନା ରହିଛି। ଏକଦା ମହିଷାସୁର ଦେବତାମାନଙ୍କୁ ସ୍ଵର୍ଗଚ୍ୟୁତ କରିଦେଲେ। ସ୍ଵର୍ଗଚ୍ୟୁତ ଦେବତା ସୂର୍ଯ୍ୟ,ଚନ୍ଦ୍ର,ବାୟୁ,ଅଗ୍ନି,ବରୁଣ ଇନ୍ଦ୍ର ଆଦି ବ୍ରହ୍ମାଙ୍କ ସହିତ ଯାଇ ଶିବ ଏବଂ ବିଷ୍ଣୁଙ୍କର ଶରଣାଗତ ହେଲେ। ବିଷ୍ଣୁ ଏବଂ ଶଙ୍କର ଏହା ଶୁଣି କ୍ରୋଧାନ୍ଵିତ ହୋଇଗଲେ। ତାଙ୍କ ମୁଖରୁ କାଳାଗ୍ନି ନିର୍ଗତ ହେଲା। ଏହି ଅଗ୍ନର ପ୍ରଭାବରେ ପିତାମହ,ଇନ୍ଦ୍ର ଆଦି ସେଠାରେ ଉପସ୍ଥିତ ସୂର୍ଯ୍ୟ,ଚନ୍ଦ୍ର,ଇନ୍ଦ୍ର,ବରୁଣ,ଅଗ୍ନି ଆଦିଙ୍କ ମୁଖ ଦେଇ ସେହି ରଶ୍ମି ନିର୍ଗତ ହେବାକୁ ଲାଗିଲା। ସେହି ସମୟରେ କାତ୍ୟାୟନୀ ମୁନି ତାଙ୍କ ଆଶ୍ରମରେ ଯଜ୍ଞକାର୍ଯ୍ୟ କରୁଥିଲେ। ସେହି ରଶ୍ମିମାନ ଯଜ୍ଞକୁଣ୍ଡରେ ପତିତ ହୋଇ ବିଶାଳ ନେତ୍ରୀ କାତ୍ୟାୟନୀ ଜନ୍ମଲାଭ କଲେ। ବାମନ ପୁରାଣରେ ବର୍ଣ୍ଣନା ଅନୁସାରେ-
“ମାହେଶ୍ଵରାଦ୍ ବକ୍ରମଥୋ ବଭୂବ ନେତ୍ର ତ୍ରୟଂ ପାବକ
ତେଜସାଚ ଯାମେ୍ୟନ କେଶା ହରି
ତେଜସାଚ ଭୂଜାସ୍ତଥା ଅଷ୍ଟାଦଶ ସଂପ୍ରଜଜ୍ଞିରେ।”
ମହେଶ୍ଵରଙ୍କର ଭୟଙ୍କର ତେଜରୁ ଦେବୀଙ୍କ ମୁଖ ଅଗ୍ନିଙ୍କ ତେଜରୁ ତ୍ରିନେତ୍ର,ଯମଙ୍କ ତେଜରୁ ମୁକ୍ତକେଶ ଏବଂ ହରିଙ୍କ ତେଜରୁ ତାଙ୍କର ଅଷ୍ଟବାହୁ ନିର୍ମିତ ହେଲା। ସେହିପରି ଅନ୍ୟ ଦେବତା ମାନଙ୍କ ତେଜରୁ ଦେବୀ ନିର୍ମିତ ହେଲେ। ଏହି ଦେବୀ ଆଶ୍ଵିନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ସୃଷ୍ଟି ହେଲେ। କାତ୍ୟାୟନୀ ମୁନି ତାଙ୍କୁ ପ୍ରଥମେ ତାଙ୍କର ଆରାଧନା କରିଥିବାରୁ ଏହି ଦେବୀ କାତ୍ୟାୟନୀ ଭାବରେ ବିଖ୍ୟାତ ହେଲେ। ଦେବୀ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି।କିନ୍ତୁ ରଥର ପାର୍ଶ୍ଵଦେବତା ଭାବରେ ଥିବା କାତ୍ୟାୟନୀଙ୍କ ରୂପ ସଂପୂର୍ଣ୍ଣ ଭିନ୍ନ। “ବରାହ ପୁରାଣ” ଅନୁସାରେ ଦେବୀ କାତ୍ୟାୟନୀ ଏକଦା ମନ୍ଦର ପର୍ବତ ଉପରେ ତପସ୍ୟା କରୁଥିଲେ। ଆପାତ ଦେଖିଲେ ଦେବୀ କାତ୍ୟାୟନୀଙ୍କର ଯେଉଁ ରୂପର ବର୍ଣ୍ଣନା ସେଥିରେ ଅଛି ଦେବୀ ସେହିପରି ଭାବରେ ଅବସ୍ଥାପିତ।ଦକ୍ଷିଣ ହସ୍ତରେ ପାଶ ଓ ଅକ୍ଷମାଳ ଧାରଣ କଲାବେଳେ,ବାମ ଉପର ହସ୍ତରେ ଏକ ମନୁଷ୍ୟ ଓ ବାମତଳ ହସ୍ତଟି ବରଦ ମୁଦ୍ରାରେ ରହିଛି। ଦେବୀ ତ୍ରିଭଙ୍ଗୀ ଛନ୍ଦରେ ଦଣ୍ଡାୟମାନ। ବକ୍ଷରେ ପଦ୍ମମାଳ ପ୍ରଲମ୍ବିତ। ଦେବୀଙ୍କ ଶରୀରର ରଙ୍ଗ ସ୍ଵର୍ଣ୍ଣବର୍ଣ୍ଣ ମୁକୁଟ ମଣ୍ଡିତା,ପାଦ ପାଖରେ ଯୋଡ ହସ୍ତ ମୁଦ୍ରାରେ ସିଂହ ବିଦ୍ୟମାନ। ଦେବୀ ସୁଭଦ୍ରାଙ୍କୁ ମଧ୍ୟ ସ୍ଵୟଂ କାତ୍ୟାୟନୀ ଭାବରେ ଉଲ୍ଲେଖ କରାଯାଇଛି।