‘ପଦ୍ମପୁରାଣ’,’ବିଷ୍ଣୁର୍ମୋତ୍ତର’,’ରୂପମଣ୍ଡନ’ ଆଦି ଗ୍ରନ୍ଥର ଆଧାର ଶଙ୍ଖ,ଚକ୍ର,ଗଦା,ପଦ୍ମ,ଧାରଣ ଅନୁସାରେ ଶ୍ରୀବିଷ୍ଣୁଙ୍କ ଚବିଶ ମୂର୍ତ୍ତି ରୂପରେଖ ଅଙ୍କିତ।ଏହା ମହାପ୍ରଭୁଙ୍କର ଯୋଗମୂର୍ତ୍ତି,ଭୋଗମୂର୍ତ୍ତି ଓ ଶୟନମୂର୍ତ୍ତି ଅଟେ।ଏହି ଚବିଶ ବିଷ୍ଣୁମୂର୍ତ୍ତି ମଧ୍ୟରେ ନାରାୟଣ ଅନ୍ୟତମ।ନାର ଅର୍ଥ ଜଳ,ଅୟନ ଅର୍ଥ ସ୍ଥାନ।ସୃଷ୍ଟିର ଆଦ୍ୟ ବା ପ୍ରଳୟ କାଳରେ ସେ ଜଳ ମଧ୍ୟରେ ଶୟନ କରିଥାନ୍ତି।ସେହିଠାରେ ତାଙ୍କ ନାଭିପଦ୍ମରୁ ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସୃଷ୍ଟି କରିଥିଲେ।ଶତପଥ ବ୍ରାହ୍ମଣ ଯାହାଙ୍କୁ ଜଜ୍ଞନାରାୟଣ ଭାବରେ ଉଲ୍ଲେଖ କରିଛି।
“ଅଣୁ ପରମାଣୁ ଠାରୁ ପ୍ରତ୍ୟେକ ସ୍ଥାନରେ ବ୍ରହ୍ମ ରୂପୀ ନାରାୟଣ ଅଛନ୍ତି ଗୁପ୍ତରେ।” ସେ ବୈକୁଣ୍ଠାଧିପତି ହେଲେ ମଧ୍ୟ ସଦାସର୍ବଦା କ୍ଷୀରସାଗର ମଧ୍ୟରେ ଅନନ୍ତଙ୍କ କୋଳରେ ଶୟନ କରିଥାନ୍ତି। “ଓଁକାର ମଧ୍ୟରେ ବାସ ଅଟଇ ତାଙ୍କର ବ୍ରହ୍ମ ପ୍ରକୃତି ଯୁଗଳେ କରନ୍ତି ବିହାର।”
ଏହି ନାରାୟଣ ଶିଳ୍ପଶାସ୍ତ୍ର ଅନୁସାରେ ଉପରେ ଦକ୍ଷିଣ ହସ୍ତରେ ପଦ୍ମ,ଉପର ବାମ ହସ୍ତରେ ଗଦା,ତଳ ଦକ୍ଷିଣ ହସ୍ତରେ ଚକ୍ର ଓ ତଳ ବାମ ହସ୍ତରେ ଶଙ୍ଖଧାରଣ କରିଥାନ୍ତି।ସେ ସ୍ରଷ୍ଟା,ପାଳନକର୍ତ୍ତା,ମୁକ୍ତିଦାତା ଓ ସଂହାରକର୍ତ୍ତା ମଧ୍ୟ।
“ତାହାଙ୍କର ରୂପ କଥା ଅତି ଚମତ୍କାର
ନବୀନ ନୀରଦ ବର୍ଣ୍ଣ ଅପୂର୍ବ ସୁନ୍ଦର
ପୀତବସ୍ତ୍ର ପରିଧାନ ଚତୁର୍ଭୁଜ ଧାରୀ
କଣ୍ଠତଳେ ବନମାଳା ଶଙ୍ଖ ଚକ୍ରଧାରୀ
ତାପରେ ଗଦାପଦ୍ମ ଆର ଦୁଇ କରେ
ଶ୍ରୀବତ୍ସ ପୟର ଶୋଭା ବକ୍ଷର ଉପରେ।”
କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ପାର୍ଶ୍ଵଦେବତା ଭାବରେ ଯେଉଁ ନାରାୟଣ ଶୋଭିତ ସେ ଉପର ଦକ୍ଷିଣ ହସ୍ତରେ ଚକ୍ର,ତଳ ଦକ୍ଷିଣ ହସ୍ତରେ ପଦ୍ମ,ଉପର ବାମହସ୍ତରେ ଶଙ୍ଖ ଓ ତଳ ବାମ ହସ୍ତରେ ଗଦାଧାରଣ କରିଛନ୍ତି।ଏକ ପଦ୍ମପୀଠ ଉପରେ ସେ ପଦ୍ମାସନରେ ଉପବେଶନ କରିଥିବାର ଦେଖାଯାଏ।