Author: Kumar Aurojyoti
ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଗଣ ହେଉଛନ୍ତି ତାଙ୍କର ବାହନ ନନ୍ଦୀ। ଯେଉଁଠାରେ ଶିବ ମନ୍ଦିରଟିଏ ଥିବ, ତାହା ସମ୍ମୁଖରେ ବୃଷଭ ରୂପୀ ନନ୍ଦୀଙ୍କ ମୂର୍ତିଟିଏ ନିଶ୍ଚୟ ଥିବ। ତେବେ କିଏ ଏହି ନନ୍ଦୀ ଓ କିପରି ସେ ବୃଷଭର ରୂପ ଧାରଣ କଲେ ଏବଂ ଆମ ଓଡ଼ିଶାର ପ୍ରାଚୀନ ସଂସ୍କୃତିରେ ତାଙ୍କର ରୁପ ବର୍ଣ୍ଣନା କିପରି, ଆସନ୍ତୁ ଏବେ ଜାଣିବା।
ସାଧାରଣତଃ ନନ୍ଦୀଙ୍କର ଦୁଇଗୋଟି ରୂପର ବର୍ଣ୍ଣନା ଧର୍ମଶାସ୍ତ୍ରରେ ବର୍ଣ୍ଣିତ।
୧) ଅଧିକାର ନନ୍ଦୀ
୨) ବୃଷଭ ରୂପୀ ନନ୍ଦୀ
ଅଧିକାର ନନ୍ଦୀ:
ଶିବ ପୁରାଣରେ ନନ୍ଦୀଙ୍କ ଜନ୍ମ ବୃତ୍ତାନ୍ତ ରହିଛି। ନନ୍ଦୀ ହେଉଛନ୍ତି ଶିଳାଦ ମୁନିଙ୍କ ପୁତ୍ର ଯାହାଙ୍କର ଜନ୍ମ ମାତୃଗର୍ଭରୁ ନହୋଇ ଶିବଙ୍କର କୃପାରୁ ହୋଇଥିଲା। ଶୀଳାଦ ମୁନିଙ୍କୁ ସୂଚନା ମିଳିଥିଲା ଯେ ନନ୍ଦୀଙ୍କର ଆୟୁଷ ଅତ୍ୟଳ୍ପ ରହିବ, ତେଣୁ ସେ ସର୍ବଦା ଦୁଃଖୀ ତଥା ଚିନ୍ତିତ ରହୁଥିଲେ। ଏକଦା ନନ୍ଦୀ ନିଜ ପିତାଙ୍କୁ ଏସମ୍ବନ୍ଧରେ ପଚାରିବାରୁ ସେ କାରଣଟି ପ୍ରକାଶ କଲେ। ମାତ୍ର ନନ୍ଦୀ ନିଜ ପିତାଙ୍କୁ ଦୁଃଖ ନକରିବାକୁ କହି ସେ ଏହାର ନିରାକରଣ ପାଇଁ ଶିବଙ୍କୁ ତପସ୍ୟା କରିବେ ବୋଲି କହିଲେ। ପରେ ନନ୍ଦୀ ତପସ୍ୟାରେ ଶିବଙ୍କୁ ସନ୍ତୁଷ୍ଟ କରି ଚିରଞ୍ଜିବୀ ହୋଇଥିଲେ ଓ ଶିବଙ୍କ ଆଶୀର୍ବାଦରୁ ତାଙ୍କର ରୂପ ଶିବଙ୍କ ସଦୃଶ ହୋଇଥିଲା ତଥା ଶିଵ ତାଙ୍କୁ ନିଜ ଗଣର ଅଧ୍ୟକ୍ଷ ରୁପେ ନିଯୁକ୍ତ କରିଥିଲେ।
ତେବେ ରାମାୟଣରେ ନନ୍ଦୀଙ୍କୁ “ବାନରାସ୍ୟ” ବା ବାନରମୁଖ ବା କପିମୁଖ ବୋଲି ବର୍ଣ୍ଣନା କରାଯାଇଛି। ଏକଦା ଲଂକାପତି ରାବଣ କୈଳାସ ପର୍ବତକୁ ଉଠାଇବାକୁ ଯିବା ସମୟରେ ନନ୍ଦୀଙ୍କର କପିମୁଖକୁ ଦେଖି ତାଙ୍କୁ ତାତ୍ସଲ୍ୟ କରିଥିଲେ। ଏଥିରେ ନନ୍ଦୀ କ୍ଷୁବ୍ଧ ହୋଇ ରାବଣକୁ ଅଭିଶାପ ଦେଇଥିଲେ ଯେ ଏକ ବାନରହିଁ ତାର ଅଧଃପତନର କାରଣ ହେବ। ପରବର୍ତ୍ତୀ ସମୟରେ ଶ୍ରୀରାମ ଓ ରାବଣ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହେଉଥିବା ସମୟରେ ରାବଣ ଯେତେବେଳେ ହନୁମାନଙ୍କୁ ପ୍ରଥମେ ଦେଖିଲେ, ସେତେବେଳେ ସେ ଆଚମ୍ବିତ ହେଲେ ଓ କହିଲେ – “କିଏ ଏହି ଦୀପ୍ତିବାନ ପୁରୁଷ, ଯେ କି ସାକ୍ଷାତ ନନ୍ଦୀଶ୍ୱର ସଦୃଶ ଦେଖାଯାଉଛନ୍ତି? ଏ କଣ ସେହି ନନ୍ଦୀ ଯେକି ମୋତେ କୈଳାସ ପର୍ବତ ଉଠାଇବା ସମୟରେ ଅଭିଶାପ ଦେଇଥିଲେ ନା ଏ ହେଉଛନ୍ତି ବାଣାସୁର ଯେକି ମର୍କଟ ରୂପରେ ପ୍ରକଟ ହୋଇଛନ୍ତି?” ପରବର୍ତ୍ତୀ ସମୟରେ ରାବଣ ଯେତେବେଳେ ଯୁଦ୍ଧରେ ପରାଜିତ ହେଲେ ସେତେବେଳେ ସେ କହିଥିଲେ ଯେ ନନ୍ଦୀଶ୍ୱର ତାଙ୍କୁ ଦେଇଥିବା ଅଭିଶାପ ଫଳବର୍ତୀ ହୋଇଛି। ତେଣୁ ଏଠାରେ ଆଲୋଚିତ ନନ୍ଦୀଙ୍କର ରୂପ ପ୍ରଥମେ ସାକ୍ଷାତ ଶିବସଦୃଶ ଓ ପରେ କପି ସଦୃଶ। ତେବେ ନନ୍ଦୀ କିପରି କପିମୁଖ ହେଲେ, ତାହା ଗବେଷଣା ସାପେକ୍ଷ। ହୁଏତ କୌଣସି ପୁରାଣରେ ଏ ସମ୍ବନ୍ଧରେ ବର୍ଣ୍ଣନା ଥାଇପାରେ।
ଓଡ଼ିଶାର ପ୍ରାଚୀନ ପଟ୍ଟଚିତ୍ର ଶୈଳୀରେ ନନ୍ଦୀଙ୍କୁ କପିମୁଖ ଅବତାରରେ ଦର୍ଶା ଯାଇଛି। ଏହି ଆଲେଖ୍ୟ ସହିତ ଦିଆଯାଇଥିବା ଫୋଟୋଟିର ବାମ ଭାଗରେ ନନ୍ଦୀଙ୍କର କପିମୁଖ ରୂପ ଆପଣମାନେ ଦେଖିବାକୁ ପାଇବେ। ଏହା ଶ୍ରୀକ୍ଷେତ୍ରର ଏକ ପବିତ୍ର ସ୍ଥାନ (ଈଶ୍ବର ବଲ୍ଲଭ ଯାଗା)ର ଫୋଟୋ ଯାହାକି ପ୍ରତ୍ୟକ୍ଷ ଠାକୁର ତଥା ଶ୍ରୀମନ୍ଦିରର ଭଣ୍ଡାର ଘରର ରକ୍ଷକ ଶ୍ରୀଲୋକନାଥଙ୍କ ଶ୍ବଶୁର ଘର ଭାବରେ ପରିଗଣିତ। ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ତଥା ପଟ୍ଟଚିତ୍ର ମାନଙ୍କରେ ମଧ୍ୟ ନନ୍ଦୀଙ୍କର ଏହି କପିମୁଖ ଅବତାର ଦେଖିବାକୁ ମିଳିଥାଏ।
ବୃଷଭ ରୂପୀ ନନ୍ଦୀ:
ନନ୍ଦୀଙ୍କର ଆଉ ଏକ ରୂପ ହେଉଛି ବୃଷଭ ରୂପ। ଗୌରୀଶ୍ବର ଭଟ୍ଟାଚାର୍ଯ୍ୟଙ୍କ ଆଲେଖ୍ୟ “Nandin and Vṛṣabha” ମତରେ ନନ୍ଦୀଙ୍କର ବୃଷଭ ରୂପ ହେଉଛି ଏଇ କିଛି ଶତକ ତଳର ଘଟଣା। ଏହା ସେତେ ପ୍ରାଚୀନ ନୁହେଁ। ଧର୍ମଶାସ୍ତ୍ର ମତ ଅନୁସାରେ ଶିବଙ୍କ ବୃଷଭ ହେଉଛନ୍ତି ସ୍ୱୟଂ ଯମ ବା ଧର୍ମ। ବ୍ରହ୍ମ ଵୈବର୍ତ ପୁରାଣ ମତରେ ସ୍ୱୟଂ ବିଷ୍ଣୁ ତ୍ରିପୁରାସୁର ବିପକ୍ଷ ଯୁଦ୍ଧରେ ଶିବଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂ ବୃଷଭ ରୂପରେ ପ୍ରକଟ ହୋଇଥିଲେ ଓ ଶିଵ ତାଙ୍କ ପିଠିରେ ବସି ତ୍ରିପୁରାସୁରକୁ ବଧ କରିଥିଲେ। ଆଉ କେତେକ ମତରେ ଶିବଙ୍କ ବୃଷଭ ହେଉଛି ଗୋମାତା ସୁରଭିଙ୍କ ବଂଶଜ ଯାହାକୁ ଶିଵ ଉପହାର ସଦୃଶ ପାଇଥିଲେ।
ତେବେ ନନ୍ଦୀଙ୍କ ରୂପକୁ ନେଇ ହେଉଥିବା ଦ୍ଵନ୍ଦ ଗବେଷଣା ସାପେକ୍ଷ ଓ ଏହି ଦ୍ଵନ୍ଦକୁ ଦୂର କରିବାକୁ ପ୍ରାଚୀନ ଉତ୍କଳର ଚିତ୍ରକଳା ନିଶ୍ଚିତ ଭାବରେ ସାହାଯ୍ୟ କରିବ ।
ଜୟ ଜଗନ୍ନାଥ!