1,205

~ ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ ~

~ ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ ~

ହିନ୍ଦୁ ମାନଙ୍କର ‘ଶ୍ରୀମଦ୍ଭଗବଦ୍ଗୀତା’, ମୁସଲମାନ ମାନଙ୍କର ‘କୁରଆନ’ ଓ ଖ୍ରୀଷ୍ଟିଆନ ମାନଙ୍କର ‘ବାଇବଲ’ ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା ଦିଆଯାଇଛି । ଏହା ‘ଆଦି ଗ୍ରନ୍ଥ’ ରୂପରେ ମଧ୍ୟ ପରିଚିତ ଯାହାକି ୧୪୩୦ ‘ଅଙ୍ଗ’ (ପୃଷ୍ଠା) ତଥା ୫୮୯୪ ‘ଶବଦ’ (ପଂକ୍ତିର ସମାହାର) ଯୁକ୍ତ ।

ଏଥିରେ ଶିଖ ଗୁରୁ, ଭଗତ (ଭକ୍ତ), ଭାଟ (କବି/ଚାରଣ), ପୀର ଓ ଗୁରଶିଖ (ଗୁରୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଶିଖ)ଙ୍କର ବାଣୀ ରହିଛି । ତେବେ ଏହା ଉତ୍କଳ ମାଟି ପାଇଁ ଗର୍ଵ ଓ ଗୌରଵର ଵିଷୟ ଯେ, ଯେଉଁ ଭଗତ ବା ଭକ୍ତଙ୍କର ବାଣୀକୁ ନେଇ ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ ସମୃଦ୍ଧ, ତନ୍ମଧ୍ୟରୁ ଅନ୍ୟତମ ହେଉଛନ୍ତି ଆମର ଅତି ଆପଣାର ଶ୍ରୀଜୟଦେଵ, ଯାହାଙ୍କର ଦୁଇଟି ‘ଶବଦ’ ଉକ୍ତ ଧର୍ମ ଗ୍ରନ୍ଥଟିରେ ସ୍ଥାନ ପାଇଛି ।

ଶ୍ରୀଜୟଦେଵଙ୍କର ‘ଗୀତଗୋବିନ୍ଦ’ର ପଦ୍ୟାବଳୀ ଯେପରି ଆମ ପାଇଁ ଅତି ଆପଣାର, ଅତି ପ୍ରିୟ ଓ ପରିଚିତ, ସେହିପରି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ରେ ସ୍ଥାନିତ ତାଙ୍କର ବିବିଧ ପଦ୍ୟାବଳୀ ମଧ୍ୟ ଶିଖ ମାନଙ୍କ ପାଇଁ ଅତି ପ୍ରିୟ, ପବିତ୍ର ଓ ଅନୁକରଣୀୟ । ତେବେ ଏଠାରେ ମନ ମଧ୍ୟରେ ସ୍ୱତଃ ଏକ ପ୍ରଶ୍ନ ଉଠେ ଯେ ଶ୍ରୀଜୟଦେଵଙ୍କର ବାଣୀ କିପରି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ରେ ସ୍ଥାନ ପାଇଛି ?

ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ଗୁରୁ ନାନକ ଯେତେବେଳେ ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗରେ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥିଲେ, ସେତେବେଳେ ସେ ଏଠାରେ ଶ୍ରୀଜୟଦେଵଙ୍କର ରଚନାବଳୀ ସମ୍ବନ୍ଧରେ ଅବଗତ ହୋଇଥିଲେ ତଥା ଏହାଦ୍ବାରା ଗଭୀର ଭାବରେ ପ୍ରଭାବିତ ମଧ୍ୟ ହୋଇଥିଲେ । ତେଣୁ ସେ ଶ୍ରୀଜୟଦେଵଙ୍କର ବାଣୀକୁ ସଂଗ୍ରହ କରିଥିଲେ, ଯାହା ମଧ୍ୟରୁ କିଛି ବାଣୀକୁ ପରବର୍ତ୍ତୀ କାଳରେ ଶିଖ ଗୁରୁ ଅର୍ଜନ ଦେଵଙ୍କ ଦ୍ଵାରା ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ରେ ସ୍ଥାନିତ କରାଯାଇଥିଲା । ସେହି ବାଣୀ ଗୁଡିକ ଗ୍ରନ୍ଥଟିର ଆଜିର ସଂସ୍କରଣରେ ପୃଷ୍ଠା ୫୨୬ ଓ ୧୧୦୬ ରେ ଦେଖିବାକୁ ମିଳିଥାଏ ।

ଶ୍ରୀଜୟଦେଵଙ୍କର ସେହି ବାଣୀ ଗୁଡିକୁ ଉତ୍କଳୀୟ ଅନୁବାଦ ସହିତ ନିମ୍ନରେ ପ୍ରଦାନ କରାଗଲା ଯାହାକୁ ପଢି ଆପଣମାନେ ସ୍ୱତଃ ଅନୁଭବ କରିବେ ଯେ ଶ୍ରୀଜୟଦେଵ କେବଳ ଏକ ପ୍ରଚଣ୍ଡ ପ୍ରତିଭାବାନ କବି ନ ଥିଲେ, ବରଂ ସେ ପ୍ରକୃତରେ ଏକ ଉଚ୍ଚ ସ୍ତରର ଅନୁଭବ ସିଦ୍ଧ ଭଗବତ ସାଧକ ମଧ୍ୟ ଥିଲେ ଯାହାଙ୍କର ରଚନା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲା ।

।। ଶ୍ରୀଗୁରୁ ଗ୍ରନ୍ଥ ସାହିବ, ପୃଷ୍ଠା ୫୨୬ ।।

ଗୂଜରୀ ଶ୍ରୀ ଜୈଦେଵ ଜୀଉ କା ପଦା ଘରୁ ୪ ୧ଓଁକାର ସତିଗୁର ପ୍ରସାଦି ।।

[ରାଗ ଗୂଜରୀ, ଶ୍ରୀଜୟଦେଵ ଜୀଙ୍କର ପଦ୍ୟାବଳୀ, ୪ର୍ଥ ଘର, ଈଶ୍ବର ଏକ, ଯାହାଙ୍କୁ ସଦ୍ଗୁରୁଙ୍କ କୃପାରୁ ଉପଲବ୍ଧି କରିହୁଏ ।।]

ପରମାଦି ପୁରଖମନୋପିମଂ ସତି ଆଦି ଭାଵ ରତଂ ।।
ପରମଦଭୁତଂ ପରକ୍ରିତି ପରଂ ଜଦିଚିନ୍ତି ସରବ ଗତଂ ।।୧।।

[ପରମାଦି ପରମାତ୍ମା ସର୍ଵ ବ୍ୟାପକ, ଅନୁପମ ଓ ସର୍ଵ ଗୁଣସମ୍ପନ୍ନ ।। ସେହି ପରମ ଅଦ୍ଭୁତ ପରମାତ୍ମା ପ୍ରକୃତ୍ୟାତୀତ, ଅଚିନ୍ତ୍ୟ ଓ ସର୍ଵବ୍ୟାପୀ ।।୧।।]

କେଵଳ ରାମ ନାମ ମନୋରମଂ ।। ବଦି ଅମ୍ରିତ ତତ ମଇଅଂ ।। ନ ଦନୋତି ଜସମରଣେନ ଜନମ ଜରାଧି ମରଣ ଭଇଅଂ ।।୧।। ରହାଉ ।।

[କେଵଳ ପରମାତ୍ମାଙ୍କ ମନୋରମ ନାମକୁ ହିଁ ଉଚ୍ଚାରଣ କର, ଯାହା ଅମୃତରେ ପରିପୂର୍ଣ୍ଣ ।। ଯାହାର ସ୍ମରଣ ମାତ୍ରକେ ଜନ୍ମ-ମୃତ୍ୟୁ, ଜରା-ବ୍ୟାଧି ଆଦିର ଭୟ ଦୂର ହୋଇଥାଏ ।।୧।। ବିରାମ ।।]

ଇଛସି ଜମାଦି ପରାଭୟଂ ଜସୁ ସ୍ବସତି ସୁକ୍ରିତ କ୍ରିତଂ ।। ଭଵ ଭୂତ ଭାଵ ସମବ୍ୟିଅଂ ପରମଂ ପ୍ରସଂନମିଦଂ ।।୨।। ଲୋଭାଦି ଦ୍ରିସଟି ପର ଗ୍ରିହଂ ଜଦିବିଧି ଆଚରଣଂ ।। ତଜି ସକଲ ଦୁହକ୍ରିତ ଦୁରମତୀ ଭଜୁ ଚକ୍ରଧର ସରଣଂ ।।୩।।

[ଯଦି ଯମ ଆଦିଙ୍କୁ ପରାଜିତ କରିବାକୁ ତଥା ଯଶ ଓ ସୁଖ ଲାଭ କରିବାକୁ ଇଚ୍ଛା କରୁଥାଅ ତେବେ ସୁକର୍ମ କର ।। ପରମାତ୍ମା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାଳରେ ମଧ୍ୟ ଅବିନାଶୀ ।।୨।। ଲୋଭ ଏବଂ ପରଗୃହ ଉପରେ ଦୃଷ୍ଟି ରଖିବା ପରି ଅବିଧିପୂର୍ବକ ଆଚରଣ ତ୍ୟାଗ କର ।। ସମସ୍ତ ପ୍ରକାର ଦୁଷ୍କର୍ମ ଓ ଦୁର୍ମତିକୁ ତ୍ୟାଗ କରି ପରମାତ୍ମାଙ୍କ ଶରଣାପନ୍ନ ହୁଅ ।। ୩ ।।]

ହରି ଭଗତ ନିଜ ନିହକେଵଲା ରିଦ କରମଣା ବଚସା ।। ଜୋଗେନ କିଂ ଜଗେନ କିଂ ଦାନେନ କିଂ ତପସା ।।୪।।

[ପରମାତ୍ମାଙ୍କ ଆପଣାର ଭକ୍ତ କାୟମନୋବାକ୍ୟରେ ପବିତ୍ର ।। ସେମାନଙ୍କର ଯୋଗ, ଯଜ୍ଞ, ଦାନ ଓ ତପସ୍ୟାରେ କି ପ୍ରୟୋଜନ ।। ୪ ।।]

ଗୋବିନ୍ଦ ଗୋବିନ୍ଦେତି ଜପି ନର ସକଲ ସିଧି ପଦଂ ।। ଜୈଦେଵ ଆଇଉ ତସ ସଫୁଟଂ ଭଵ ଭୂତ ସରବ ଗତଂ ।।୫।। ୧ ।।

[ପରମାତ୍ମାଙ୍କ ନାମ ସ୍ମରଣ ଏବଂ ଜପ କର, ତାହା ହିଁ ସକଳ ସିଦ୍ଧିର ଉତ୍ସ ।। ଜୟଦେବ ପ୍ରତ୍ୟକ୍ଷ ରୂପେ ସେହି ପରମାତ୍ମାଙ୍କ ଶରଣାପନ୍ନ ଯାହାଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ – ତ୍ରିକାଳରେ ଅସ୍ତିତ୍ବ ରହିଛି ।।୫।। ୧ ।।] * * *

|| ଶ୍ରୀଗୁରୁ ଗ୍ରନ୍ଥ ସାହିବ, ପୃଷ୍ଠା ୧୧୦୬ ||

ରାଗୁ ମାରୁ ବାଣୀ ଜୈଦେଉ ଜୀଉ କୀ ୧ଓଁକାର ସତିଗୁର ପ୍ରସାଦି

[ରାଗ ମାରୁ, ଶ୍ରୀଜୟଦେଵ ଜୀଙ୍କର ବାଣୀ, ଈଶ୍ବର ଏକ, ଯାହାଙ୍କୁ ସଦ୍ଗୁରୁଙ୍କ କୃପାରୁ ଉପଲବ୍ଧି କରିହୁଏ]

ଚନ୍ଦ ସତ ଭେଦିଆ ନାଦ ସତ ପୂରିଆ ସୂର ସତ ଖୋଡ଼ସା ଦତୁ କୀଆ ।। ଅବଲ ବଲୁ ତୋଡ଼ିଆ ଅଚଲ ଚଲୁ ଥପିଆ ଅଘଡ଼୍ଡୁ ଘଡ଼ିଆ ତହା ଅପିଉ ପୀଆ ।।୧।।

[ଚନ୍ଦ୍ରମା ନାଡୀ (ବାମ ନାସିକାର ନାଡୀ/ଇଡା)ରେ ନିଃଶ୍ବାସ ନେଇ, ପ୍ରାଣ ବାୟୁକୁ ରୋକି, ସପ୍ତମ ଚକ୍ର ଭେଦ କଲି ଓ ଅନାହତ ନାଦ ବଜାଇଲି । ତତ୍ପଶ୍ଚାତ ଷୋହଳ ଥର ଓଁ ଉଚ୍ଚାରଣ କରି ସୂର୍ଯ୍ୟ ନାଡୀ (ଦକ୍ଷିଣ ନାସିକାର ନାଡୀ/ପିଙ୍ଗଳା) ଦେଇ ପ୍ରାଣ ବାୟୁର ବହିର୍ଗମନ କରାଇଲି ।। ଯେତେବେଳେ ମନର ବଳକୁ ଭାଙ୍ଗି ତାହାକୁ ନିର୍ବଳ କଲି, ବିକ୍ଷିପ୍ତ ମନକୁ ଅଚଳ କଲି ଏବଂ ଚଞ୍ଚଳ ମନକୁ ସ୍ଥିର କଲି, ସେତେବେଳେ ଯାଇ ମନ ଦ୍ଵାରା ନାମାମୃତ ପାନ କଲି ।।୧।।]

ମନ ଆଦି ଗୁଣ ଆଦି ବଖାଣିଆ ।। ତେରୀ ଦୁବିଧା ଦ୍ରିସଟି ସମାନିଆ ।।୧।। ରହାଉ ।।

[ରେ ମନ ! ଯେତେବେଳେ ଜଗତର ଆଦି ବା ପରମାତ୍ମାଙ୍କ ଗୁଣ ବଖାଣିଲି ।। ସେତେବେଳେ ତୋର ଦୃଷ୍ଟିର ଭେଦଭାବ ସ୍ୱରୂପ ଦୂର ହୋଇ ତାହା ସମଦୃଷ୍ଟି ସମ୍ପନ୍ନ ହେଲା ।।୧।। ବିରାମ ।।]

ଅରଧି କଉ ଅରଧିଆ ସରଧି କଉ ସରଧିଆ ସଲଲ କଉ ସଲଲି ସମାନି ଆଇଆ ।। ବଦତି ଜୈଦେଉ ଜୈଦେଵ କଉ ରମିଆ ବ୍ରହମୁ ନିରବାଣୁ ଲିଵ ଲୀଣୁ ପାଇଆ ।।୨।। ୧ ।।

[ଯେତେବେଳେ ଆରାଧ୍ୟ ତଥା ଶ୍ରଦ୍ଧେୟ ପରମାତ୍ମାଙ୍କର ଆରାଧନା ଓ ଶ୍ରଦ୍ଧା କଲି, ସେତେବେଳେ ଯେପରି ଜଳ ଜଳରେ ହିଁ ବିଲୀନ ହୋଇଯାଏ, ସେହିପରି ମୁଁ ପରମାତ୍ମାଙ୍କ ସହିତ ଏକ ହୋଇଗଲି ।। ଜୟଦେଵ କୁହନ୍ତି ଯେ – ମୁଁ ବ୍ରହ୍ମଙ୍କର ଚିନ୍ତନ କରି ବ୍ରହ୍ମଲୀନ ହୋଇଛି ।।୨।। ୧ ।।] * * *

ଶ୍ରୀଜୟଦେଵଙ୍କ ଦ୍ଵାରା ଗୁରୁ ନାନକ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ତାଙ୍କର ପ୍ରଶଂସାରେ ଶତମୁଖ ହୋଇ ଭଜନ ରଚନା କରିଥିଲେ –

“ଗୁଣ ଗାଵା ରବି ଦାସୁ ଭଗତୁ ଜୟଦେଵ ତ୍ରିଲୋଚନ” …

ଶ୍ରୀଜୟଦେଵଙ୍କର ଅମର କୃତି ଏହିପରି ଯୁଗଯୁଗକୁ ଭକ୍ତ ମାନଙ୍କୁ ଭଗବତ ପ୍ରେମରେ ନିମଜ୍ଜିତ କରୁଥାଉ ତଥା ଭଗବତ ଉପଲବ୍ଧି ନିମନ୍ତେ ଅନୁପ୍ରେରିତ କରୁଥାଉ, ଏତିକି ପ୍ରାର୍ଥନା ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ।

ଶ୍ରୀ ସଦଗୁରୁଙ୍କର ଜୟ !
ଜୟ ଜଗନ୍ନାଥ !
୧ଓଁକାର ସତିଗୁର ପ୍ରସାଦି !

ସହାୟକ ଉତ୍ସ : ?
୧) http://www.gurugranthdarpan.net/hindi/darpan.html
୨) https://www.dekho-ji.com/sggs-1
୩) https://www.sikhiwiki.org/index.php/Guru_Nanak_at_Puri
୪) The bhajanas of Nanak, Journal of the University of Bombay, Vol.vi.pp.29-130.

error: Content is protected !!