ସେଦିନ ଋଷି ପରାଶର ବିମୋହିତ ହୋଇପଡିଥିଲେ କୈବର୍ତ୍ତ୍ୟ କନ୍ୟାର ରୂପ ଲାବଣ୍ୟରେ। ନଦୀ ଓ ନାଳରେ ଯେ ସ୍ତ୍ରୀ ସଙ୍ଗମ ଶାସ୍ତ୍ର ନିଷିଦ୍ଧ ସେକଥା ଭୁଲିଗଲେ ୠଷିପ୍ରବର। ତପ ବଳରେ ମତ୍ସ୍ୟଗନ୍ଧା କୈବର୍ତ୍ତି ପାଲଟିଗଲା ଯୋଜନଗନ୍ଧା। ନଦୀ ଓ ନାଳ ଚାରିପଟେ ଘେରିଗଲା ଘନ କୁହୁଡି। ଦୈବର ନିର୍ଦ୍ଦେଶରେ ୠଷି ପରାଶର ଓ ସତ୍ୟବତୀଙ୍କ ମିଳନରୁ ସେଇ ବିସ୍ତୀର୍ଣ୍ଣ ନଦୀ ବକ୍ଷରେ ଜନ୍ମ ନେଇଥିଲେ ଏକ ଦିବ୍ୟ ଶିଶୁ। ନଦୀ ଗର୍ଭର ଦ୍ଵୀପରେ ଜନ୍ମ ନେଇଥିବାରୁ ତାଙ୍କର ନାମ ହେଲା ଦ୍ଵୈପାୟନ। ଶରୀରର କାନ୍ତି ଥିଲା କଳା। ତେଣୁ ସଂସାରରେ ତାଙ୍କର ପରିଚୟ ହେଲା କୃଷ୍ଣ ଦ୍ଵୈପାୟନ। ବେଦ ସକଳକୁ ସଂଗ୍ରହ କରି ତା’ର ବିଭାଜନ କରିବା ସହ ପ୍ରଥମ ପ୍ରବକ୍ତା ହେବାରୁ ସେ ଖ୍ୟାତ ହେଲେ ବ୍ୟାସଦେବ ରୂପେ। ଆଷାଢ ଶୁକ୍ଲ ପୂର୍ଣ୍ଣିମାରେ ବ୍ୟାସଦେବଙ୍କ ଜୟନ୍ତୀ ଉତ୍ସବ ସର୍ବତ୍ର ପାଳିତ ହୋଇଛି। ବେଦ ବିଭାଗୀକରଣ ପରେ ବ୍ୟାସଦେବ ମାନବ ସମାଜର କଲ୍ୟାଣ ପାଇଁ ଉପଦେଶାତ୍ମକ ଅଷ୍ଟାଦଶ ପୁରାଣ,ଉପ ପୁରାଣ,ଶ୍ରୀମଦ୍ ଭାଗବତ ମହାପୁରାଣ,ମହାଭାରତ ଓ ଶ୍ରୀମଦ୍ ଭଗବତ୍ ଗୀତା ଭଳି ଅନେକ ଅମୂଲ୍ୟ ଗ୍ରନ୍ଥ ରଚନା କରିଯାଇଛନ୍ତି। ବ୍ୟାସଦେବ କେବଳ ଦ୍ଵାପରରେ ଜନ୍ମିଥିବା ଉଲ୍ଲେଖ ଥିଲେ ବି ମୁନି ୠଷିଗଣ ତାଙ୍କୁ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ଵରଙ୍କ ପ୍ରତୀକ ଅଦିଗୁରୁ ଭାବେ ଗ୍ରହଣ କରିଛନ୍ତି। ପ୍ରଳୟ କାଳରେ ବ୍ୟାସଦେବ ଅନନ୍ତ ପୁରୁଷଙ୍କ ଶରୀରରେ ଆଶ୍ରୟ ନିଅନ୍ତି। ପୁଣି ସଂସାରରେ ଜ୍ଞାନ ବିତରଣର ଆବଶ୍ୟକତା ପଡିଲେ ସେ ଅବତାର ଗ୍ରହଣ କରନ୍ତି ଓ ମାନବ କଲ୍ୟାଣ ନିମିତ୍ତ ବିଭିନ୍ନ ଗ୍ରନ୍ଥ ରଚନା କରନ୍ତି। ସାମ୍ପ୍ରତିକ ସମୟରେ ବ୍ୟାସକୃତ ଗ୍ରନ୍ଥଗୁଡିକର ଅନୁଶୀଳନ ମାନବ ସମାଜକୁ ଉତ୍ତମ ମାର୍ଗଦର୍ଶନ କରାଇପାରିବ।
ଧର୍ମଶାସ୍ତ୍ର ମତରେ ନାରାୟଣ ହିଁ ହେଉଛନ୍ତି ସୃଷ୍ଟିର ଆଦିଗୁରୁ। ତାଙ୍କ ପରେ ବ୍ରହ୍ମା,ମନୁ,ବଶିଷ୍ଠ,ବ୍ୟାସ ଓ ଶଙ୍କରାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ଏହି ଗୁରୁ ପରମ୍ପରା ଅଦ୍ୟାପି ପ୍ରଚଳିତ ହୋଇଆସିଛି। ଭାରତୀୟ ସଂସ୍କୃତିରେ ଗୁରୁ ସର୍ବୋଚ୍ଚ ସ୍ଥାନର ଅଧିକାରୀ ହୋଇଥିବାବେଳେ ଏହି ଗୁରୁ ପରମ୍ପରା ଅକ୍ଷୁଣ୍ଣ ଭାବେ ଚାଲିଆସିଛି। ଏହି ଗୁରୁ ପରମ୍ପରା ହିଁ ଭାରତକୁ ବିଶ୍ଵର ଏକ ମହାନ୍ ଦେଶ ଭାବେ ପ୍ରତିପାଦିତ କରି ଆସିଛି।