ସାଧାରଣତଃ ଦେଖାଯାଏ ପୁରୁଷ ପ୍ରକୃତିର ମିଳନରେ ପ୍ରଜନ୍ମ ସୃଷ୍ଟିଲାଭ କରେ। କିନ୍ତୁ ଭାରତୀୟ ବେଦବେଦାନ୍ତର ସୂଚନା ଅନୁଯାୟୀ ତପସ୍ଵୀମାନେ ବିନା ପ୍ରକୃତିରେ ସାହଚର୍ଯ୍ୟରେ ସନ୍ତାନ ଉତ୍ପାଦନ କରିବା ନିମିତ୍ତ ସମର୍ଥ ଥିଲେ। ଏହି ପରିପ୍ରେକ୍ଷୀରେ ଦ୍ରୋଣ,ଶୁକ,ଋଷ୍ୟଶୃଙ୍ଗ ଆଦି ଜନ୍ମଲାଭ କରିଥିଲେ। ମହ୍ମାଯୋଗୀ ଶିବ,ସେ ପୁରୁଷ ସ୍ଵରୂପ ଏବଂ ମହାଦେବୀ ପାର୍ବତୀ ପ୍ରକୃତି ସ୍ଵରୂପିଣୀ।ଯେପରି ଭାବରେ ବିନା ପୁରୁଷର ସହାୟତାରେ ପ୍ରକୃତି ସ୍ଵରୂପିଣୀ ପାର୍ବତୀଙ୍କ ଠାରୁ ଗଣେଶ ଜନ୍ମଲାଭ କରିଥିଲେ ସେହିପରି ମହାଯୋଗୀ ଶିବଙ୍କ ଠାରୁ ପାର୍ବତୀଙ୍କ ବିନା ସହାୟତାରେ କାର୍ତ୍ତିକ ଜନ୍ମଲାଭ କରିଥିଲେ। ଏହି ସଂପର୍କରେ ପୁରାଣରେ ଏକ ସୁନ୍ଦର ବର୍ଣ୍ଣନା ରହିଛି। ତାରକ ନାମରେ ଏକ ଅସୁର ଥିଲା ସେ ସବୁବେଳେ ଦେବତାମାନଙ୍କୁ ସ୍ଵର୍ଗଚ୍ୟୁତ କରିବାର ପ୍ରଚେଷ୍ଟା କରୁଥିଲା। କିନ୍ତୁ ଦେବତାମାନେ ତାକୁ ପ୍ରତିହତ କରିବା ନିମିତ୍ତ ସମର୍ଥ ନଥିଲେ କାରଣ କଠୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ସେ ବରଲାଭ କରିଥିଲା ଯେ ଏକ ବିଶାଳସେନାର ସେନାପତିତ୍ଵ କରିବା ନିମିତ୍ତ ସମର୍ଥ ସେ ହିଁ କେବଳ ତାକୁ ମାରିପାରିବ।ସେହି ବାଳକ ବିନା ପ୍ରକୃତିରେ ପୁରୁଷଠାରୁ ଜାତ ହେବ। ଏପରି କାର୍ଯ୍ୟ କରିବାରେ ଶିବ ହିଁ କେବଳ ସମର୍ଥ। ପୁରାଣର ବର୍ଣ୍ଣନା ଅନୁସାରେ ଅଗ୍ନି ଶିବଙ୍କର ଏପରି ବୀର୍ଯ୍ୟକୁ ନେଇ ବାୟୁଙ୍କୁ ଦେଇଥିଲେ। ବାୟୁ ତାକୁ ଗଙ୍ଗାଙ୍କୁ ଏବଂ ଗଙ୍ଗା ତାକୁ ଏକ ଶରବରଣରେ ନେଇ ରଖିଥିଲେ। ଶିବଙ୍କ ବୀର୍ଯ୍ୟର ତେଜରେ ଶରବଣ ଜଳିବାକୁ ଆରମ୍ଭ କରିଥିଲା। ଯେତେବେଳେ ତାହା ନିର୍ବାପିତ ହେଲା ସେଥିରୁ ଏକ ଛଅମଥା ବିଶିଷ୍ଟ ଶିଶୁ ଜନ୍ମ ଲାଭ କଲା।ତେଣୁ ସେହି ଶିଶୁର ନାମ ସ୍କନ୍ଦ ଅର୍ଥାତ୍ ସ୍ଵତଃସ୍ଫୁର୍ତ୍ତ ସ୍ଖଳିତବୀର୍ଯ୍ୟ ଜାତ ଦେବ ଶିଶୁ। ଷଡକୃର୍ତ୍ତିକା ପାଳନ କରିଥିବାରୁ ତାଙ୍କ ନାମ କାର୍ତ୍ତିକେୟ। ଜନ୍ମର ଷଷ୍ଠ ଦିନରେ ବାଳକ ଅବସ୍ଥାରେ ସେ ଭାଲ ଧାରଣ କରିଥିବାରୁ ତାଙ୍କ ନାମ ଭାଲଚନ୍ଦ୍ର। ଅଗ୍ନିଙ୍କ ପୁତ୍ର ହେତୁ ତାଙ୍କ ନାମ ଆଗ୍ନେୟ। ବାୟୁପୁତ୍ର ଭାବରେ ପରିଚିତ ହେବାରୁ ତାଙ୍କ ନାମ ଗୁହ୍ୟ। ଶରବଣ ଅଗ୍ନି ଭଷ୍ମରୁ ଜାତ ହୋଇଥିବାରୁ ତାଙ୍କ ନାମ ଶର୍ବଣ। ଛଅଟି ମୁଖ ଥିବାରୁ ତାଙ୍କ ନାମ ଷଡାନନ। ସେହିପରି ବାଳକ ଅବସ୍ଥାରେ ସେ ତାରକାସୁରକୁ ବଧ କରିଥିବାରୁ ତାଙ୍କର ନାମ କୁମାର ହେଲା। ସେ ତାଳଧ୍ଵଜ ରଥରେ ପାର୍ଶ୍ଵଦେବତା ଭାବରେ ଚିତ୍ରିତ ହୁଅନ୍ତି। ଏହି ମୂର୍ତ୍ତିରେ ଗୋଟିଏ ପାଖରେ ମୟୁର ଓ ଅନ୍ୟ ପାଖରେ ଯୋଡହସ୍ତରେ ଦେବସେନା ବିଦ୍ୟମାନ।