1,892

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଗଜାନ୍ତକ

ଗଜ ଏପରି ଏକ ପ୍ରାଣୀ ଯେ ଆପାତତଃ ଅନେକ ଦେବାଦେବୀଙ୍କ ସହିତ ସଂଯୁକ୍ତ। ସେ ଏକାଧାରରେ ଦିଗପାଳ ଦିଗ୍ଗଜ। ଇନ୍ଦ୍ରଙ୍କ ବାହନ ଐରାବତ ଲକ୍ଷ୍ମୀଙ୍କର ପାର୍ଶ୍ଵଦ ହେତୁ ଲକ୍ଷ୍ମୀଙ୍କର ଅନ୍ୟନାମ ଗଜଲକ୍ଷ୍ମୀ। ସେହିପରି ଶ୍ରୀ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ହେତୁ ମହାପ୍ରଭୁଙ୍କର ଗଜେନ୍ଦ୍ର ମୋକ୍ଷ ରୂପ ପ୍ରତିଭାତ।ସେହିପରି ବିଷ୍ଣୁ ଏକ ଗଜର ମସ୍ତକ କାଟି ତାହାକୁ ଶିଶୁ ଗଣେଶଙ୍କ ଦେହରେ ସ୍ଥାପିତ କରିଥିଲେ-ତେଣୁ ଗଣେଶ,ଗଜାନନ। କିନ୍ତୁ ଏହି ମହାର୍ଘ ପ୍ରାଣୀକୁ ଶିବ ବଧ କରିଥିବା ଯେପରି ଆଶ୍ଚର୍ଯ୍ୟକର,ସେହିପରି ରହସ୍ୟାବୃତ୍ତ।

 

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଗଜାନ୍ତକ
ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଗଜାନ୍ତକ

ଶିଳ୍ପକଳାରେ ଶିବଙ୍କର କଳା କୌଶଳଯୁକ୍ତ ଅନେକ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ କାରଣ ଶିବ ଏକାଧାରରେ ଆଶୁତୋଷ,ଜ୍ଞାନଯୋଗୀ,ନୃତ୍ୟତତ୍ତ୍ଵବିତ୍,ସଙ୍ଗୀତଶାସ୍ତ୍ରବିଦ୍ ତଥା ସଂହାରକାରୀ ମଧ୍ୟ।ତେଣୁ ତାଙ୍କର ମୂର୍ତ୍ତିକୁ ଆପାତତଃ ଦୁଇଭାଗରେ ବିଭକ୍ତ କରାଯାଇଥାଏ। ଗୋଟିଏ ତାଙ୍କର କଲ୍ୟାଣ ସୁନ୍ଦର ମୂର୍ତ୍ତି ଓ ଅନ୍ୟଟି ସଂହାରମୂର୍ତ୍ତି ଅଟେ।”କୁମାର ସମ୍ଭବ”ରେ କାଳିଦାସ ଶିବଙ୍କୁ ଗଜା ଜିନା ଲମ୍ବି ଦୁକୁଳଧାରୀ ଅର୍ଥାତ୍ ଶିବ,ଗଜଚର୍ମକୁ ଦୁକୁଳ ଭାବରେ ପରିଧାନ କରିଥିବାର ବର୍ଣ୍ଣନା କରିଛନ୍ତି। ଏହି ସଂପର୍କରେ ପୁରାଣରେ ଏକ କାହାଣୀ ବର୍ଣ୍ଣିତ ଅଛି।

କୂର୍ମପୁରାଣ ଅନୁସାରେ ଏକଦା ଅନ୍ଧକାରସୁରର ଏକ ଅନୁଚର ଗଜରୂପ ଧାରଣ କରି ଶିବଙ୍କୁ ମାରିବା ପାଇଁ ଆସିଥିଲା। ନନ୍ଦୀ ଏହା ଜାଣିପାରି ସେହି ଅସୁରକୁ ମାରି ତାର ଚର୍ମକୁ ଶିବଙ୍କୁ ପରିଧାନ କରିବାକୁ ଦେଇଥିଲେ,ଅନ୍ୟ କେତେକ ସ୍ଥାନରେ ଶିବ ନିଜେ ଗଜାସୁରକୁ ମାରି ତାର ଚର୍ମକୁ ଉପରଅଙ୍ଗବସ୍ତ୍ର ଭାବରେ ପରିଧାନ କରିଥିବାର ଦେଖାଯାଏ। ପାର୍ଶ୍ଵଦେବତା ଭାବରେ ଶିବଙ୍କର ତାଳଦ୍ଵଜ ରଥରେ ଯେଉଁ ଗଜାନ୍ତକ ମୂର୍ତ୍ତିଟି ରହିଛି ସେଥିରେ ଶିବ ଏକ ଗଜକୁ ଉପର ଦୁଇ ହାତରେ ଧାରଣ କରିଥିବା ସ୍ଥଳେ ତଳ ନିମ୍ନ ଦୁଇଟି ହସ୍ତ ଅଭୟ ଓ ବରଦ ମୁଦ୍ରାରେ ରହିଛି।ଅନ୍ୟ ଚାରି ଭୁଜରେ ପାଶ,ଅଂକୁଶ,ସର୍ପ,ଧନୁ ଓ ତୀର ଧାରଣ କରିଥିବାର ଦେଖାଯାଏ। ଶିବ ଏକ ପଦ୍ମପୀଠ ଉପରେ ଦଣ୍ଡାୟମାନ। ତାଙ୍କ ଶରୀରର ବକ୍ଷ ଦେଶରେ ଉପବୀତ ଓ ମୁଣ୍ଡମାଳ ସୁଶୋଭିତ। ଶିବଙ୍କର କର୍ଣ୍ଣରେ ଦିବ୍ୟକୁଣ୍ଡଳ ଓ ମସ୍ତକ କିରୀଟରେ ସୁଶୋଭିତ। ମହାକାଳର ପ୍ରତୀକ ଭାବରେ ଶିବ ପ୍ରତିଭାତ ହେଉଛନ୍ତି।

error: Content is protected !!