ମହୋଦଧିର ଚାରିଘାଟ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିବାକୁ ହେଲେ ପ୍ରାଚୀନକାଳରେ ଚାରିଘାଟ ଦେଇ ଆସିବାକୁ ହେଉଥିଲା । କୋଣାର୍କ-ପୁରୀ ରାସ୍ତାରେ ଥିବା ବାଲିଘାଟକୁ ଛାଡ଼ି ଅନ୍ୟ ତିନି ଘାଟ ମଙ୍ଗଳାଘାଟ, ଅଠରନଳାଘାଟ ଓ ଲୋକନାଥ ଘାଟ । ପ୍ରବେଶ କରିବାକୁ ହେଲେ ନାହା ବା ଚାପରେ ପାରି ହେବାକୁ ପଡୁଥିଲା । ଏତଦ୍ବ୍ୟତୀତ ‘କର୍ମାଙ୍ଗୀ’ରେ ‘ହୁଳୁହୁଳିଆ ଘାଟ ଏବଂ ଅନ୍ୟ କେତେକ ପ୍ରାଚୀନ କାଗଜରେ ‘ହରିଣଘାଟ’କଥା ଜାଣିବାକୁ ମିଳେ । ଏହି ଦୁଇଟି ଘାଟ ପ୍ରବେଶ ଘାଟ ନଥିଲା । ଚାରିଘାଟରେ ଜଗିବାପାଇଁ ଗଜପତି ଗରିଜଣ ଘାଟ ପଢ଼ିଆରୀଙ୍କୁ ନିଯୁକ୍ତ କରିଥିଲେ । ସେମାନେ ‘ଘାଟପୃଷ୍ଟି’ ଭାବରେ ପରିଚିତ ଥିଲେ । ଘାଟଛାଡ଼ପତ୍ର ଦେଲେ ସେମାନେ କ୍ଷେତ୍ରକୁ ଛାଡ଼ୁଥିଲେ।
ସେହିପରି ଜଳପଥ ଦୃଷ୍ଟିରୁ ମହୋଦଧିରେ ଚାରୋଟି ଘାଟ ରହିଥିଲା । ସ୍ବର୍ଗଦ୍ବାର ଘାଟି ଥିଲା ଗୋଟିଏ ମହାତୀର୍ଥ । ଯେଠି ଶବ ସଂସ୍କାର ବ୍ୟବସ୍ଥା ଥୁବାରୁ ୟାକୁ ଶବସଂସ୍କାର ଘାଟ ବି କୁହାଯାଉଥିଲା । ସ୍ୱର୍ଗଦ୍ୱାରକୁ ଲାଗି ଦକ୍ଷିଣପଟକୁ ଆଉଗୋଟିଏ ଘାଟ ଥୁଲା ‘ପିତୃସଦନଘାଟ’ । ସେଠାରେ ତିଳ ତର୍ପଣ କରିବାର ବ୍ୟବସ୍ଥା ଥିଲା । ଏହି ଘାଟର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ବ୍ୟବସ୍ଥା ଥିଲା । ତାହା ପାଖକୁ ଲାଗି ରହିଥିଲା ‘ବରୁଣଦ୍ୱାର ଘାଟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧ ଶ୍ରୀନାରାୟଣ, ଯେ କି ଅମାବାସ୍ୟା ଦିଅଁ ଭାବରେ ପରିଚିତ । ସେ ପ୍ରତ୍ୟେକ ଅମାବାସ୍ୟା ତିଥିରେ ମହୋଦଧିକୁ ଗଲେ ଏଇ ଘାଟରେ ସେବାନୀତି ସମ୍ପନ୍ନ ହେଉଥିଲା ।
ଚତୁର୍ଥ ଘାଟଟି ହେଲା ‘ଚକ୍ରତୀର୍ଥ ଘାଟ’ । ବିଶ୍ଵାସ ଅଛି ଏହି ଘାଟରେ ମହାପ୍ରଭୁଙ୍କ ‘ଦାରୁ’ ପ୍ରଥମେ ଲାଗିଥିଲେ । ଏଇ ଘାଟିରେ ବି କେତେକ ପାର୍ବଣନୀତି ଅଛି । ବାଙ୍କିମୁହାଁଣର ପୂର୍ବ ଦିଗରେ ସଂଲଗ୍ନ ହୋଇ ସେତେବେଳେ ଏଇ ଘାଟ ଥିବାରୁ ଏଇ ଘାଟରେ ‘ବୋଇତ’ ମଧ୍ୟ ଲାଗୁଥିଲା । ବାସ୍ତୁଚକ୍ର ଭିଭି ପାଇଁ ଏହି ଘାଟର ରେଣୁ ସବୁଠାରୁ ଅଧୁକ ଉପଯୋଗୀ ବୋଲି ଆଜି ବି ବିଶ୍ଵାସ ରହିଛି ।
ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଗବେଷଣାକାରୀ, ଶ୍ରୀବିହାର, ପୁରୀ-୩