ବାଟମଙ୍ଗଳା ପାର ହେଉ ହେଉ ଦିଗବଳୟରେ ଦୃଶ୍ୟମାନ ହୁଏ ବିଶାଳ ଶ୍ରୀମନ୍ଦିର | ବଡ ଦେଉଳର ଗାରିମାରେ ମଣ୍ଡିତ ଖଣ୍ଡଶାଳ ଦେଉଳ ଉପରେ ନୀଳଚକ୍ର ଓ ପତିତ ପାବାନ ପତକାକୁ ଦେଖି ପଥଶ୍ରାନ୍ତ ଭକ୍ତଗଣଙ୍କୁ ମିଳିଥାଏ ପରମ ତୃପ୍ତି | ଶ୍ରୀମନ୍ଦିର ରୀତିନୀତିରେ ନିଳଚକ୍ର ଏକ ପ୍ରମୁଖ ଉପାସ୍ୟ | ପ୍ରତିଦିନ ନୀଳଚକ୍ରରେ ପତକା ଲାଗିସାରିବା ପର ହିଁ ମହାପ୍ରଭୁଙ୍କ ଧୁପ ଉଠେ | ଶ୍ରୀମନ୍ଦିରରେ କୌଣସି ଅଘଟଣ ଘଟିଲେ ନୀଳଚକ୍ରଙ୍କୁ ପ୍ରସାଦ ଅର୍ପଣ କରାଯାଏ |
ଏହାକୁ ଚକ୍ରମଣୋହି କହନ୍ତି | ପ୍ରତି ଏକାଦଶି ରେ ମହାଦିପ ନୀଳଚକ୍ର ଉପରକୁ ଉଠେ | ଚୁନରା ସେବକମାନେ ଡାକ ଦିଅନ୍ତି ‘ ବିରଶ୍ରି ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ତ ବାହୁ କ୍ଷତ୍ରିୟ କୂଳ ଧୁମକେତୁ ରାଉତରାୟ ଶ୍ରିଗଜପତି ମହାରାଜଙ୍କୁ ଶଙ୍ଖରେ ପୁରାଇ ଚକ୍ର ଆଢୁଆଳେ ରଖ ହେ ମହାପ୍ରଭୁ ‘ | ଶ୍ରୀ ଜିଉମାନଙ୍କ ଦର୍ଶନ ନପାଇ ଭକ୍ତ କେବଳ ନୀଳଚକ୍ର ଓ ପତିତପାବନ ବାନାକୁ ଦର୍ଶନ କଲେ ଭକ୍ତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ସମାନ ବୋଲି ବିଶ୍ୱାସ ରହିଛି | ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତଙ୍କ ଦର୍ଶନକରି ଭକ୍ତମାନେ ପାଟ ଅଗଣାକୁ ବାହାରିଲେ କୁର୍ମବେଢା ଉତ୍ତରଦ୍ୱାର ସଂଲଗ୍ନ ଏକ ମନ୍ଦିର ନିକଟକୁ ଯଆନ୍ତି | ଏହି ଦେଉଳଟି ଅମୁହାଂ ଦେଉଳ ବୋଲି କୁହାଯାଏ | ଭକ୍ତମାନେ ଦେଉଳ କାନ୍ଥରେ ହାତ ଗଡେଇ ‘କର୍ଣ୍ଣ ଦାତା, ବଳିଦାତା, ଦାତା ଜିମୁତବାହନ, ଶ୍ରେଷ୍ଠଦାତା ଜନାର୍ଦ୍ଧନ ‘ ବୋଲି କହି ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରନ୍ତି | ଚକ୍ରଦର୍ଶନ ପରେ ହିଂ ଶ୍ରୀମନ୍ଦିର ବେଢା ପରିକ୍ରମା ଶେଷ ହୁଏ | ପାଟ ଅଗଣାରୁ ଆନନ୍ଦ ବଜାର ପ୍ରବେଶ ପଥରେ ଏକ ନିର୍ଦ୍ଧିଷ୍ଥ ସ୍ଥାନରେ ଭକ୍ତମାନେ ବାମା ପାଶ୍ୱରେ ଶ୍ରି ସତ୍ୟନାରାୟଣ, ଦକ୍ଷିଣ ପାର୍ଶ୍ୱରେ ମହାଲକ୍ଷ୍ମୀ ଓ ସମ୍ମୁଖ ଆକାଶରେ ପବିତ୍ର ନୀଳଚକ୍ର ଙ୍କୁ ଏକ ସଙ୍ଗେ ଦର୍ଶନ କରନ୍ତି | କ୍ଷେତ୍ରବାସି ଭକ୍ତମାନେ ପ୍ରତ୍ୟହ ବଡଦାଣ୍ଡକୁ ଆସି ଚକ୍ରଦର୍ଶନ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ହେଲା ବୋଲି ମନେ କରନ୍ତି | ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ରର ପ୍ରଭାବରେ ପୁରୀ ସହର ବାତ୍ୟା ଓ ସୁନାମିରୁ ରକ୍ଷା ପାଇଆସୁଛି ବୋଲି ସାଧାରଣରେ ବିଶ୍ୱାସ | ଭକ୍ତ ମନରେ ନିଳଚକ୍ର ପ୍ରତି ରହିଛି ଅନେକ ଆବେଗ |