2,924

ହାତୀ ଆଖଡା ମଠ

ପୁରୀ ବଳଗଣ୍ଡି ନିକଟରେ ବଡଦାଣ୍ଡର ମୁଖ୍ୟ ରାସ୍ତାରେ ଶ୍ରୀ ରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖେଡା ଅନ୍ତର୍ଗତ ହାତୀ ଆଖେଡା ମଠଟି ଅବସ୍ଥିତ।ମଠର ଏପରି ନାମକରଣ ସଂପର୍କରେ ମଠ ସୂତ୍ରରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ ଅତୀତରେ ଯବନମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ସମୟରେ ଏବଂ ରଥ,ସ୍ନାନ,ଦୋଳଯାତ୍ରା ଇତ୍ୟାଦି ବେଳେ ଭାରତ ବର୍ଷର ବିଭିନ୍ନ ନାଗା ସାଧୁ,ସନ୍ଥଶ୍ରୀକ୍ଷେତ୍ରକୁ ଆଗମନ କରି ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ସୁରକ୍ଷା ତଥା କ୍ଷେତ୍ରର ପବିତ୍ରତା ରକ୍ଷା କରିବା ପାଇଁ ଯବାନମାନଙ୍କ ସହ ସଂଗ୍ରାମ କରୁଥିଲେ। ସାଧାରଣତଃ ସାଧୁମାନଙ୍କର ଗୋଟିଏ ସ୍ଥାନରେ ଏକାଠି ହେବା ତ ଥା ସମାବେଶକୁ ଜମାତ୍ କୁହାଯାଏ। ନାଗା ସାଧୁ , ସନ୍ଥମାନେ ସଙ୍ଗରେ ଆଣୁଥିବା ହାତୀ,ଘୋଡା ଇତ୍ୟାଦି ତତ୍କାଳୀନ ସମୟରେ ଏହି ମଠର ବିଜେସ୍ଥଳୀଠାରେ ଆଶ୍ରୟ ନେଉଥିଲ। ତେଣୁ ଏହି ମଠ ‘ହାତୀ ଆଖେଡା ମଠ’ ନାମରେ ସୁପରିଚିତ ହୋଇଥିଲା। ଅତୀତରେ ଶହ ଶହ ସଂଖ୍ୟକ ହାତୀ ମଠର ବିଜେସ୍ଥଳୀରେ ଆଶ୍ରୟ ନେଉଥିଲେ ବୋଲି ମଠର ଆଧିକାରୀ ପ୍ରକାଶ କରନ୍ତି।ଆଖେଡାର ସୃଷ୍ଟି ସମ୍ପର୍କରେ ଜଣାଯାଏ ଯେ, ସ୍ଵାମୀ ରାମାନନ୍ଦଚାର୍ଯ୍ୟ ଓ ସ୍ଵାମୀ ବାଲାନନ୍ଦାଚାର୍ଯ୍ୟ ସାରା ଭାରତ ବର୍ଷର ତୀର୍ଥ ସ୍ଥାନ ଭ୍ରମଣ କରି ତିନୋଟି ଆଖେଡା ସୃଷ୍ଟି କରିଥିଲେ,ଯଥା-ନିର୍ମୋହୀ,ଦିଗମ୍ବର ଓ ନିର୍ବାଣୀ। ଏହି ତିନି ଆଖେଡା ମୁଖ୍ୟ ଅଟନ୍ତି ଏମାନଙ୍କ ଅଧିନରେ ବହୁ ଆଖେଡା ଅନିଷ୍ଠାନମାନ ରହିଅଛି।

 

ବିଶେଷକରି ଉପରୋକ୍ତ ତିନି ଆଖେଡାରେ ଏହି ସମ୍ପ୍ରଦାୟର ସମସ୍ତ ସାଧୁ,ସନ୍ଥ ଅନ୍ତର୍ଭୁକ୍ତ ଅଟନ୍ତି।ପୁରୀ ହାତୀ ଆଖେଡା ମଠଟି ନିର୍ବାଣୀ ଆଖେଡାର ଅଧିନରେ ରହିଅଛି। ନିର୍ବାଣୀ ଆଖେଡାର ମୁଖ୍ୟ କାର୍ଯ୍ୟାଳୟ ଅଯୋଧ୍ୟା(ଫୈଜାବାଦ୍ ଜିଲ୍ଲା)ଠାରେ ପ୍ରତିଷ୍ଠିତ। ଏହାର ନାମ ହେଉଛି ଅଖିଳ ଭାରତୀୟ ପଚଂ ରାମାନନ୍ଦୀ ନିର୍ବାଣୀ ଆଖେଡା,ହନୁମାନ ଗଢି ମନ୍ଦିର(ଅଯୋଧ୍ୟା)। ମଠରେ ପୂଜିତ ବିଗ୍ରହ ଏବଂ ଉତ୍ସବ-ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଯେ,ଏହି ମଠଟି ରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖେଡା ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଏଠାରେ ପୂଜିତ ଇଷ୍ଟ ବିଗ୍ରହ ହେଉଛନ୍ତ ସ୍ଵୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ। ଏଥିରେ ଅନୁମତି ହୁଏ ଯେ,ଅତୀତରେ ଶ୍ରୀମନ୍ଦିର ଆକ୍ରମଣ ସମୟରେ ଏହିଠାରୁ ସାଧୁସନ୍ଥମାନେ ଯବନ ଆକ୍ରମଣର ପ୍ରତିରୋଧ କରିବା ସମେତ ନିଜର ଜୀବନକୁ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ଉତ୍ସର୍ଗ କରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉପାସନା ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ସଂଗ୍ରାମ କରୁଥିଲେ।ପ୍ରତି ବର୍ଷ ରଥଯାତ୍ରା ଦୋଳପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଅଯୋଧ୍ୟାରୁ ପ୍ରାୟ ୨୦୦/୩୦୦ ସାଧୁ ସନ୍ଥ ଏଠାରେ ଅବସ୍ଥାନ କରନ୍ତି। ମଠ ପକ୍ଷରୁ ଏମାନଙ୍କ ପାଇଁ ପ୍ରସାଦିର ସୁବନ୍ଦୋବସ୍ତ କରାଯାଇଥାଏ ।ହାତୀ ଆଖେଡା ମଠରେ ପୂଜିତ ଅନ୍ୟାନ୍ୟ ବିଗ୍ରହମାନଙ୍କ ମଧ୍ୟରେ ବିଜେସ୍ଥଳୀରେ ଅବସ୍ଥିତ ମୁଖ୍ୟ ମନ୍ଦିର ମଧ୍ୟରେ ଶ୍ରୀ ରଘୁନାଥ ଦେବଜୀ,ମାତା ଜାନକୀଜୀ,ନାରାୟଣ ବାଳ ଗୋପାଳ, ଶ୍ରୀକୃଷ୍ଣ,ଶାଳଗ୍ରାମ ଅନ୍ୟତମ। ବିଜେସ୍ଥଳୀରେ ଅବସ୍ଥିତ ଅନ୍ୟ ଏକ କ୍ଷୁଦ୍ର ମନ୍ଦିରରେ ତିନୋଟି ହନୁମାନ ବିଗ୍ରହ ପୂଜିତ ହେଉଛନ୍ତି।ମଠରେ ପାଳିତ ଦୈନନ୍ଦିନ ନୀତି ମଧ୍ୟରେ ସକାଳେ ବାଳଭୋଗ,ଦ୍ଵିପ୍ରହରେ ଅନ୍ନଭୋଗ,ସନ୍ଧ୍ୟା ଭୋଗ ସହିତ ପ୍ରାତ ଓସନ୍ଧ୍ୟା ସମୟରେ ଦୁଇଟି ଆଳତି ହୋଇଥାଏ। ବର୍ଷ ମଧ୍ୟରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ଶ୍ରୀରାମନବମୀ,ଜନ୍ମାଷ୍ଟମୀ,ପଣା ସଂକ୍ରାନ୍ତି,ହନୁମାନ ଜୟନ୍ତି,ଗୋବର୍ଦ୍ଧନ କୂଟ,ହୋଲି ଇତ୍ୟାଦି ପ୍ରଧାନ ଅଟେ। ମଠ ବିଜେସ୍ଥଳୀ-ବର୍ତ୍ତମାନର ମଠାଧିଶଙ୍କ ବକ୍ତବ୍ୟ ଅନିଯାୟୀ ପୂର୍ବେ ଏହି ମଠର ବିଜେସ୍ଥଳୀଟି ଚାରି ଏକର ବିଶିଷ୍ଟ ଥିଲା। ବର୍ତ୍ତମାନ ବନ୍ଦୋବସ୍ତ ରେକର୍ଡ ଅନିଯାୟୀ ମାତ୍ର ୪୫୦ ଡିସିମିଲ ପରିମିତ ଜମି ଉପରେ ମଠର ବିଜେସ୍ଥଳୀଟି ରହିଅଛି। ପୂର୍ବେ ପୁରୀର ସଦର ଚିକିତ୍ସାଳୟ ନିର୍ମାଣ ପାଇଁ ଏହି ମଠର ବିଜେସ୍ଥଳୀରୁ ପ୍ରାୟ ଅଧେ ଏକର ଜମି(୫୦୦ଦିସିମିଲ)ପ୍ରଦାନ କରାଯାଇଥିଲା। ସଂପ୍ରତି ମଠର ବିଜେସ୍ଥଲୀରୁ କିଛି ଅଂଶ ହସ୍ତାନ୍ତର,ବିକ୍ରୟ ନେଇ ବହୁ ମାଲିମୋକଦ୍ଦମାମାନ ବିଭିନ୍ନ ଦେଓ୍ଵାନୀ କୋର୍ଟରେ ବିଚାରଧିନ ରହିଅଛି। ଏଭଳି ଏକ ପ୍ରସିଦ୍ଧ ମଠଟି ବର୍ତ୍ତମାନ ଆର୍ଥିକ ଅନଟନରୁ ଅତ୍ୟନ୍ତ ଶୋଚନୀୟ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଜଣାଯାଏ।

error: Content is protected !!