ବୈଶାଖ ଶୁକ୍ଳ ପକ୍ଷ ପଞ୍ଚମୀ, ଆଦି ଶଙ୍କରଙ୍କ ଜନ୍ମ ତିଥି। ଶଙ୍କରାଚାର୍ଯ୍ୟଙ୍କୁ ଶିବଙ୍କ ଅବତାର ଭାବେ ଗ୍ରହଣ କରାଯାଇଛି। ତାଙ୍କର ଜନ୍ମ ପ୍ରାୟ ବାର ଶହ ବର୍ଷ ତଳର ଘଟନା। ୭୮୮ ଖ୍ରୀଷ୍ଟାବ୍ଦରେ, କାଲଡ଼ୀରେ ଏକ ନୈଷ୍ଠିକ ନ˚ବୂଦରୀ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ଜନ୍ମରୁ ସେ ଥିଲେ ପ୍ରତିଭାଶାଳୀ। କି˚ବଦନ୍ତି ଅନୁଯାୟୀ ବ୍ରାହ୍ମଣ ଦ˚ପତି, ଶିବଙ୍କୁ ପ୍ରାର୍ଥନା କରି, ତାଙ୍କୁ ପାଇଥିଲେ। ଶିବ ପଚାରିଥିଲେ- କେଉଁ ଭଳି ପୁତ୍ର ଚାହଁ? ଦୀର୍ଘାୟୁ ନା ସର୍ବଜ୍ଞ? ପୁତ୍ର ଦୀର୍ଘାୟୁଯୁକ୍ତ ହେବ ଅଥବା ସର୍ବଜ୍ଞ! ବ୍ରାହ୍ମଣ ଦ˚ପତି ସର୍ବଜ୍ଞ ପୁତ୍ର ହିଁ କାମନା କରିଥିଲେ। ଗୋବିନ୍ଦ ନାମକ ସନ୍ନ୍ୟାସୀ ଥିଲେ, ତାଙ୍କର ଗୁରୁ। ଗୁରୁଙ୍କଠାରୁ ସେ ‘ପରମହ˚ସ’ ଉପାଧି ପାଇଥିଲେ। ଷୋହଳ ବର୍ଷ ପୂରିବା ପୂର୍ବରୁ ସେ ଶତାଧିକ ଶାସ୍ତ୍ର ରଚନା କରିସାରିଥିଲେ। କଶ୍ମୀରଠାରୁ କନ୍ୟାକୁମାରୀ ବୁଲି, ବୌଦ୍ଧ, ଜୈନ, କାପାଳିକ ତଥା ସ୍ମାର୍ତ୍ତ ସ˚ପ୍ରଦାୟର ଆଚାର୍ଯ୍ୟମାନଙ୍କ ସହ ତାଙ୍କର ଶାସ୍ତ୍ରାର୍ଥ ହୋଇଥିଲା। ଅନ୍ୟ ଧର୍ମମତ ଖଣ୍ତନ କରି ସେ ହିନ୍ଦୁ ଧର୍ମର ନବଜାଗରଣ କରାଇଥିଲେ। ଫଳରେ ବୌଦ୍ଧ ଧର୍ମର ପ୍ରସାର ବାଧାପ୍ରାପ୍ତ ହେବା ସହ ଭାରତରେ ତାହାର ପତନ ପର୍ବ ଆରମ୍ଭ ହୋଇଥିଲା।
ହିନ୍ଦୁ ଧର୍ମର ପ୍ରଚାର-ପ୍ରସାର ପାଇଁ ସାରା ଭାରତ ଯାତ୍ରା କରିବା ସହ ଚାରି କୋଣରେ ଚାରିଟି ମଠ(ଉତ୍ତରରେ କେଦାରନାଥ, ଦକ୍ଷିଣରେ ଶୃଙ୍ଗେରୀ, ପୂର୍ବରେ ପୁରୀ ଓ ପଶ୍ଚିମରେ ଦ୍ବାରିକା) ସ୍ଥାପନ କରିଥିଲେ। ଶ୍ରୀନଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ରହିଛି ଶଙ୍କରାଚାର୍ଯ୍ୟ ମନ୍ଦିର। ଏହା ଭାରତର ପ୍ରାଚୀନତମ ଶୈବ-ପୀଠ ମଧ୍ୟରେ ଅନ୍ୟତମ। ମନ୍ଦିରଟି ନିର୍ଦିଷ୍ଟ ଭାବେ କେବେ ତିଆରି କରାଯାଇଥିଲା ଜଣାନାହିଁ। ଖ୍ରୀଷ୍ଟ ପୂର୍ବ ୨୬୨୯-୨୫୬୪ ମଧ୍ୟରେ ରାଜା ସନ୍ଦିମନଙ୍କ ଶାସନ କାଳରେ ଶଙ୍କରାଚାର୍ଯ୍ୟ ମନ୍ଦିର ତିଆରି କରାଯାଇଥିବା କେହି କେହି ଐତିହାସିକ ବିଶ୍ବାସ କରନ୍ତି। ଖ୍ରୀଷ୍ଟ ପୂର୍ବ ୧୩୬୮ ବେଳକୁ ମନ୍ଦିରଟି ଧ୍ବ˚ସାଭିମୁଖୀ ହୋଇଥିଲା। ଗୋପକର ବ˚ଶଜ ରାଜା ଗୋପାଦିତ୍ୟ ପୁନର୍ନିର୍ମାଣ କରାଇଥିଲେ। ଖ୍ରୀଷ୍ଟ ପୂର୍ବ ୩୪-୧୩ ଶତାବ୍ଦୀ ମଧ୍ୟରେ ଦ୍ବିତୀୟ ଥର ପାଇଁ ପୁନର୍ନିର୍ମାଣ ହୋଇଥିଲା। ପଞ୍ଚଦଶ ଶତାବ୍ଦୀରେ ଏକ ଭୂମିକମ୍ପ ଯୋଗୁଁ ମନ୍ଦିରଟି କ୍ଷତିଗ୍ରସ୍ତ ହୋଇଥିଲା। ୧୪୨୧-୭୨ ମଧୢରେ ଜେନ-ଉଲ-ଆବଦିନଙ୍କ ସମୟରେ ଆବଶ୍ୟକୀୟ ମରାମତି କରାଯାଇଥିଲା। ୧୮୪୧-୪୬ ମଧ୍ୟରେ ଶେଖ ଗୁଲାମ ମୋହିଉଦ୍ଦୀନଙ୍କ ନିର୍ଦେଶରେ ଦ୍ବିତୀୟ ଥର ପାଇଁ ମରାମତି କରାଯାଇଥିଲା। ବହୁ ବିପର୍ଯ୍ୟୟ ସତ୍ତ୍ବେ ମନ୍ଦିରଟି ତିଷ୍ଠି ରହିଛି। ଆଜକୁ ପ୍ରାୟ ଏକ ହଜାର ବର୍ଷ ତଳେ ଆଦି ଶଙ୍କରାଚାର୍ଯ୍ୟ ଏହି ମନ୍ଦିର ପରିଦର୍ଶନ କରିଥିଲେ। ସେତେ ବେଳେ ଶ୍ରୀନଗରରେ ଥିବା ଏକ ପ୍ରାଚୀନ ବିଶ୍ବବିଦ୍ୟାଳୟ ମନ୍ଦିରର ରକ୍ଷଣାବେକ୍ଷଣ ବୁଝୁଥିଲା। ବିଶ୍ବବିଦ୍ୟାଳୟର ମୁଖ୍ୟ ଥିଲେ ସ୍ବାମୀ ଅଭିନବ ଗୁପ୍ତ। ଭାରତୀୟ ଧର୍ମ-ସ˚ସ୍କୃତି ଉପରେ ଦୁହିଁଙ୍କ ମଧ୍ୟରେ ନାନା ଆଲୋଚନା ହୋଇଥିଲା। ସେଠାରେ ଶଙ୍କର ଶକ୍ତି-ଉପାସନା ପ୍ରତି ଆଗ୍ରହୀ ହୋଇଥିବା ବିଶ୍ବାସ କରାଯାଏ। ଶଙ୍କରଙ୍କ ପରିଦର୍ଶନ ପରେ ମନ୍ଦିରଟିକୁ ତାଙ୍କ ନାମାନୁଯାୟୀ ନାମିତ କରାଯାଇଥିଲା। ମନ୍ଦିର ନିକଟରେ ଶଙ୍କରାଚାର୍ଯ୍ୟଙ୍କର ଏକ ମାର୍ବଲ୍ ପ୍ରତିମା ପୂଜା ପାଉଛି।
ଆଦି ଶଙ୍କର ‘ଅଦ୍ବୈତ ବେଦାନ୍ତ’ର ପ୍ରଣେତା। ତାଙ୍କ ଦର୍ଶନ ଆତ୍ମା ଓ ପରମାତ୍ମାର ଏକରୂପତା ଉପରେ ଆଧାରିତ। ପରମାତ୍ମାର ସ୍ବରୂପ ଏକ ସଙ୍ଗେ ସଗୁଣ ଓ ନିର୍ଗୁଣ। ବ୍ରହ୍ମ ଓ ଜୀବ ମୂଳତଃ ଓ ତତ୍ତ୍ବତଃ ଏକ ଏବଂ ଅଭିନ୍ନ। କେବଳ ଅଜ୍ଞାନତା ଯୋଗୁଁ ପାର୍ଥକ୍ୟ ଦୃଷ୍ଟିକୁ ଆସେ। ଜୀବର ମୁକ୍ତି ପାଇଁ ଜ୍ଞାନ ଆବଶ୍ୟକ। ବ୍ରହ୍ମରେ ବିଲୀନ ହେବା ହିଁ ଜୀବନ୍ମୋକ୍ତି। ମାତ୍ର ବତିଶ ବର୍ଷ ବୟସରେ କେଦାରନାଥରେ, ତାଙ୍କର ମହାପ୍ରୟାଣ ହୋଇଥିଲା।