ନମଇଁ ନୃସିଂହ ଚରଣ
ଅନାଦି ପରମ କାରଣ
ଯା ବିନୁ ଆଦି ମଧ୍ୟ ଅନ ବିଚାରେ ନ ଘଟେ ଜଗତ (ଭା, ୧/୧)
ସ୍କନ୍ଦପୁରାଣର ବର୍ଣ୍ଣନା ଅନୁସାରେ ସ୍ଵାତା ନକ୍ଷତ୍ର ସଂଯୁକ୍ତ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ କାଷ୍ଠସ୍ତମ୍ଭ ମଧ୍ୟରୁ ଅବିର୍ଭୁତ ହୋଇଥିଲେ। ଭାରତୀୟ ଉପାସନାରେ ଘୋର ନୃସିଂହ, ଅଘୋର ନୃସିଂହ, ପାତାଳ ନୃସିଂହ, ଉଗ୍ର ନୃସିଂହ, ଭଦ୍ର ନୃସିଂହ, ମୌନ ନୃସିଂହ, କେବଳ ନୃସିଂହ, ମୂଷଳ ନୃସିଂହ ଆଦି ଚତୁର୍ଦ୍ଦେଶ ନୃସିଂହଙ୍କର ଉପାସନା ପ୍ରଚଳିତ ଥିଲେ ହେଁ ଶିଳ୍ପଶାସ୍ତ୍ରରେ ଗିରିଜା ନୃସିଂହ ଓ ଗୌଣ ନୃସିଂହ, ଯୋଗ ନୃସିଂହ, କେବଳ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦିର ବର୍ଣ୍ଣନା ରହିଛି । କିନ୍ତୁ ଶ୍ରୀକ୍ଷେତ୍ର ଯାହା ପ୍ରଥମରୁ ନୃସିଂହ କ୍ଷେତ୍ର ଭାବରେ ପରିଚିତ ଏଠାରେ । ଶ୍ରୀଜଗନ୍ନାଥଙ୍କ ଉପାସନାରେ ନୃସିଂହ ଏକ ବିଶେଷ ଅଧିକାର କରନ୍ତି । ତେଣୁ ଶ୍ରୀକ୍ଷେତ୍ରର ପରିସୀମା ମଧ୍ୟରେ ଅନେକ ନୃସିଂହ ମୂର୍ତ୍ତି ଦୃଷ୍ଟିଗୋଚର ହୋଇଥାନ୍ତି । ଦକ୍ଷିଣରେ ପଣ୍ଡୁ ଆଶ୍ରମରେ ପଣ୍ଡୁ ନୃସିଂହ, ପୂର୍ବ ଦିଗରେ ଚକ୍ରତୀର୍ଥରେ ଚକ୍ରନୃସିଂହ, ଉତ୍ତରରେ ଆଦି ନୃସିଂହ, ପଶ୍ଚିମ ଦିଗରେ ଶ୍ରୀମନ୍ଦିର ପଶ୍ଚିମ ପଟ ବାଡ଼ରେ ନିଶାନୁସିଂହ, ଶ୍ରୀଗୁଣ୍ଡିଚା ମନ୍ଦିରର ଉତ୍ତର ପୂର୍ବ ବେଢ଼ା ସଂଲଗ୍ନ ମନ୍ଦିରରେ ଆଦିନୃସିଂହ ଅବସ୍ଥିତ। । ଏହାଙ୍କୁ ଯଜ୍ଞ ନୃସିଂହ ମଧ୍ୟ କୁହାଯାଏ । ଏହା ବ୍ୟତୀତ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ସମ୍ଭବ ନୃସିଂହ, ଶିଙ୍ଗଡ଼ା ନୃସିଂହ, ବାରବାଟି ନୃସିଂହ ଓ ଶ୍ରେଣୀ ନୃସିଂହ ବିଦ୍ୟମାନ ।
ଶିଳ୍ପଶାସ୍ତ୍ରରେ ବହୁବିଧ ନୃସିଂହ ମୂର୍ତ୍ତିର ବନା ରହିଛି । କେତେକ ସ୍ଥାନରେ ତାଙ୍କ ସହିତ ପ୍ରହଲ୍ଲାଦ, ନାରଦ, ଭୂଦେବୀ, ଶ୍ରୀଦେବୀ ଆଦି ବିଦ୍ୟମାନ ହୋଇଥାନ୍ତି । କେଉଁଠାରେ ସେ ଚତୁର୍ଭୁଜ ବିଶିଷ୍ଟ ତ ଆଉ କେତେକ ସ୍ଥାନରେ ବହୁଭୁଜ ବିଶିଷ୍ଟ । କିନ୍ତୁ ଶ୍ରୀଜଗନ୍ନାଥ ରଥପଟାରେ ପାର୍ଶ୍ୱ ଦେବତା ଭାବରେ ଥିବା ନୃସିଂହ ମୂର୍ତ୍ତି ସ୍ବତନ୍ତ୍ର । ଏକ ସିଂହାସନ ଉପରେ ସେ ଉପବେଶନ କରିଛନ୍ତି, କୋଳ ଉପରେ ହିରଣ୍ୟକଶିପୁ । ଦୁଇ ହାତରେ ନୃସିଂହ ତାର ବକ୍ଷ ବିଦାରଣ କରୁଛନ୍ତି । ଦକ୍ଷିଣ ଉପର ହସ୍ତରେ ଚକ୍ର ଓ ବାମ ଉପର ହସ୍ତରେ ସେ ଶଙ୍ଖ ଧାରଣ କରିଛନ୍ତି। ଏହାଙ୍କୁ ବିଦାରଣ ନୃସିଂହ ଭାବରେ ଚିହ୍ନିତ କରାଯାଇଛି। ଏହିପରି ଭାବରେ ଶ୍ରୀଜଗନ୍ନାଥଙ୍କ ରଥରେ ଦେବମୂର୍ତ୍ତି ପାର୍ଶ୍ଵଦେବତା ଭାବରେ, ଶୋଭିତ ହୋଇଥାନ୍ତି ।