0
Your Cart
0
Your Cart
2,399

ନବଦିନ ଯାତ୍ରା – ସନ୍ଧ୍ୟା ଦର୍ଶନ

ମହାଲକ୍ଷ୍ମୀ ଡାକି ଯିବା ପରେ ପ୍ରଭୁ ଜଗନ୍ନାଥ ଏବେ ସଜ ହେଲେଣି ବାହୁଡିବାକୁ ଶ୍ରୀମନ୍ଦିର। ନବଦିନ ଯାତ୍ରାରୁ ଗଲାଣି ୭ ଦିନ। ଶୀଘ୍ର ଫେରିବାକୁ ହେବ ବଡ ଦେଉଳକୁ। ତେଣୁ ଅର୍ନ୍ତବେଦୀରେ ଭକ୍ତଙ୍କର ଆଜି ପ୍ରଭୁଙ୍କ ସହିତ ଶେଷ ଦେଖା। ଯାତ୍ରାର ଅଷ୍ଟମ ଦିବସରେ ପାଳିତ ହେଉଛି ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ। ଆଷାଢ ଶୁକ୍ଲ ନବମୀର ସାୟଂକାଳରେ ଅର୍ନ୍ତବେଦୀରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ଏହି ସନ୍ଧ୍ୟା ଦର୍ଶନ ଅତୀବ ପୁଣ୍ୟପ୍ରଦ। କୁହାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ନରସିଂହ କ୍ଷେତ୍ରରେ ଯଜ୍ଞ କରି ନୀଳଗିରି ଶିଖରରେ ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିବାବେଳେ ଗୁଣ୍ଡିଚା ନଗ୍ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀବିଗ୍ରହ ନିର୍ମିତ ହୋଇଥିଲେ। ସମ୍ଭବତଃ ଶ୍ରୀବିଗ୍ରହମାନେ ନିର୍ମିତ ହୋଇ ପ୍ରଥମ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାତ୍ରା କରିଥିବା ଗବେଷକମାନେ ମତ ଦିଅନ୍ତି। ତେଣୁ ଗୁଣ୍ଡିଚା ମନ୍ଦିର ଛାଡିବା ପୂର୍ବରୁ ନବମୀ ସନ୍ଧ୍ୟାରେ ପ୍ରଭୁଙ୍କ ଏହି ଶେଷ ଦର୍ଶନ ଶ୍ରୀଗୁଣ୍ଡିଚା ଯାତ୍ରାରେ ଏକ ପ୍ରମୁଖ ଉତ୍ସବ ଭାବେ ପାଳିତ ହୁଏ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ସପ୍ତମୀ,ଅଷ୍ଟମୀ ଓ ନବମୀ ତିନିଦିନ ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କର ମହାରାସ ଅନୁଷ୍ଠିତ ହୁଏ।

ଶରତରାସ ଓ ବସନ୍ତରାସ ଭଳି ପ୍ରଭୁଙ୍କର ଏହି ପ୍ରାବୃଟ୍ ରାସରେ କୃଷ୍ଣଅବତାର ଜଗନ୍ନାଥ ଗୋପୀମାନଙ୍କ ସହ ଲୀଳାମଗ୍ନ ହୁଅନ୍ତି। ଏଥିପାଇଁ ଗୁଣ୍ଡିଚା ଘରେ ମଧ୍ୟ ସ୍ଵତନ୍ତ୍ର ନୀତି କରାଯାଏ। ନବମୀ ଦିନ ଭୋଗ ମଣ୍ଡପ ଶେଷ ହେଲେ ଯାତ୍ରାଙ୍ଗୀ ମହାସ୍ନାନ ସର୍ବାଙ୍ଗ ଓ ନୂଆଲୁଗା ଲାଗି ବେଶ ହୋଇ ମଧ୍ୟାହ୍ନ ଧୂପ ହୋଇଥାଏ। ସନ୍ଧ୍ୟା ଆରତୀ ଓ ଧୁପ ଶେଷ ହେଲେ ଠାକୁରେ ରାହାସକୁ ବିଜେ କରନ୍ତି। ଏହା ପରେ ଚନ୍ଦନ ଲାଗି ବଡ ସିଂହାର ଓ ପହୁଡ ଆରତୀ ହୋଇ ଶୟନ ପ୍ରତିମାଙ୍କ ପହୁଡ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତି ପ୍ରଭୁ ଜଗନ୍ନାଥ ଓ ସେବମାନେ। ଶ୍ରୀଜୀଉଙ୍କ ଶ୍ରୀମୁଖ ଖଣ୍ଡୁଆ କରାଯାଇ ବାହୁଟ କଣ୍ଟ ଓ ସେନାପଟା ଲାଗି ପରେ ଚାରମାଳ ବନ୍ଧା ହୁଏ। କୁସୁମୀ ଲାଗି ପରେ ମଙ୍ଗଳ ଆରତୀ,ଖେଚୁଡି ଭୋଗ ଓ ମଙ୍ଗଳାର୍ପଣ ବନ୍ଦାପନା ହୋଇ ବାହୁଡା ପହଣ୍ଡିରେ ବିଜେ କରନ୍ତି କଳାସାଆନ୍ତେ।

ଶ୍ରୀକ୍ଷେତ୍ରରେ ନବଦିନ ବ୍ରତ ପାଳନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ବେଶ୍ ମହତ୍ତ୍ଵପୂର୍ଣ୍ଣ। ଯଦି କେହି ଅସମର୍ଥତା ହେତୁ ନବଦିନ ବା ହେରାପଚଂମୀଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ୫ଦିନ ବ୍ରତ ପାଳନ କରିନଥାନ୍ତି;ତେବେ କେବଳ ନବମୀ ଦିନ ହିଁ ଏହି ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟଫଳ ଲାଭ ହୁଏ ବୋଲୀ ଧର୍ମଶାସ୍ତ୍ରମାନେ ମତ ଦିଅନ୍ତି। ଏଦିନ ବ୍ରାହ୍ମ ମୁହୂର୍ତ୍ତରୁ ପବିତ୍ର ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ସ୍ନାନ,ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ,ବସୋଦେବ ସହ ପ୍ରଭୁ ନୀଳକଣ୍ଠେଶ୍ଵରଙ୍କ ଦର୍ଶନ କରିବା ପରେ ଭକ୍ତମାନେ ଗୁଣ୍ଡିଚାଘରକୁ ଯାଇ ଆଡପ ମଣ୍ଡପରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ପାର୍ଶ୍ଵରେ ବିରାଜିତ ଯଜ୍ଞ ନୃସିଂହଦେବଙ୍କୁ ଦର୍ଶନ କରନ୍ତି। ଏହା ପରେ ବ୍ରାହ୍ମଣ ଓ ଦରିଦ୍ର ଭୋଜନ କରାଇ ମହାପ୍ରସାଦ ସେବନ କରିବାକୁ ହୋଇଥାଏ। ସନ୍ଧ୍ୟାରେ ଗୁଣ୍ଡିଚା ଘରେ ପ୍ରଭୁଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ଅକ୍ଷୟ ପୁଣ୍ୟ ଲାଭ କରିଥାଆନ୍ତି। ଆଜି ପ୍ରଭୁଙ୍କ ଶେଷ ଦର୍ଶନ କରିବାକୁ ଗୁଣ୍ଡିଚାବାଡିକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

error: Content is protected !!