0
Your Cart
0
Your Cart
2,795

Radha Damodar Puja Galpa

ଶ୍ୱେତଗଙ୍ଗାର ପଶ୍ଚିମ ଭାଗରେ ବାସୁଦେବ ପଣ୍ଡା ନାମକ ଜଣେ ବ୍ରାହ୍ମଣ ଥିଲା । ତାଙ୍କର ମାତା ଶ୍ରୀୟା ଦେବୀ, ବିଧବା ଭଉଣୀ ସୁମେଧା ଓ ସ୍ତ୍ରୀ ରାଧାଙ୍କୁ ନେଇ ସୁଖରେ କାଳଯାପନ କରୁଥିଲେ । ରାତି ନପାହୁଣୁ ନଣନ୍ଦ ଓ ଭାଉଜ ମିଶି ଏହି କାର୍ତ୍ତିକ ମାସରେ ଦାମୋଦର ପୂଜା କରିବାକୁ ସମୁଦ୍ର କୁଳକୁ ଯାଆନ୍ତି । କିଛିଦିନ ଗଲାପରେ କୃଷ୍ଣ ପକ୍ଷ ଦଶମୀ ଦିନ । ରାତି ନପାହୁଣୁ ନଣନ୍ଦ ଭାଉଜ ପୂଜା କରିବାକୁ ବାହାରିବାର ଦେଖି ଶାଶୁ ତା’ର ବୋହୁ ଓ ଝିଅକୁ ଗାଳି ଦେଲେ । କୌଣସି ବିଟପୀ ପୁରୁଷଙ୍କ ଉଦ୍ଦେଶ୍ୟରେ ସେମାନେ ସବୁଦିନେ ଯାଉଛନ୍ତି ବୋଲି ଶାଶୂ ସନ୍ଦେହ କଲେ ।

ନଣନ୍ଦ ଭାଉଜ ଅନ୍ୟ ଉପାୟ ନପାଇ ରାଇଦାମୋଦରଙ୍କର ନାମ ସ୍ମରଣ କରି ଶୋଇଗଲେ । ସୂର୍ଯ୍ୟୋଦୟ ହେଲା, ଶାଶୁଙ୍କର ଆଦେଶରେ ନଣନ୍ଦ ଭାଉଜ ବିଳମ୍ବରେ ପୂଜା କରିବାକୁ ବାହାରିଲେ । ସ୍ନାନାନ୍ତେ ସୁଗନ୍ଧ ଚନ୍ଦନ, ସୁବାସିତ ଫୁଲ, ବାଳଭୋଗ ସଜ କରି ରାଇଦାମୋଦରଙ୍କର ପୂଜା କଲେ । ଏଣେ ଶ୍ରୀମନ୍ଦିରରେ ସକାଳ ଧୂପ ଲାଗି ପଣ୍ଡାମାନେ ଷୋଡ଼ଶ ବିଧ ଉପଚାରରେ ପୂଜା କରିବାରେ ଲାଗିଛନ୍ତି । ଶଙ୍ଖ, ମହୁରି, ଘଣ୍ଟ, ମର୍ଦଳ ନାଦରେ ଚାରିଆଡ଼ ଉଛୁଳି ପଡୁଛି । ଭକ୍ତମାନେ ଆଲଟ ଚାମର ପଙ୍ଖ ବିଷ୍ଣୁଛନ୍ତି । ଧୂପଦୀପ ଲାଗିଲା, ପ୍ରଭୁଙ୍କଠାରେ ବଡ଼ପଣ୍ଡା ନୈବେଦ୍ୟ ଦେଇ ଚକୁ ଦିଅନ୍ତେ, ଶ୍ରୀଜଗନ୍ନାଥ ଆଉ ଦୃଶ୍ୟ ହେଲେ ନାହିଁ । ନଣନ୍ଦ ଭାଉଜଙ୍କ ଭକ୍ତିରେ ବନ୍ଧା ଶ୍ରୀଜଗନ୍ନାଥ ସମୁଦ୍ର କୂଳରେ ରାଇଦାମୋଦର ବେଶରେ ଉଭା ହୋଇଛନ୍ତି । ଚଳୁରେ ପ୍ରଭୁ ଦର୍ଶନ ନହେବାରୁ ରାଜା କ୍ରୋଧରେ ପଣ୍ଡାମାନଙ୍କୁ ତିରସ୍କାର କଲେ । ରାଜା ପଣ୍ଡାମାନଙ୍କୁ ବନ୍ଦୀ ଘରେ ରଖିଲେ । ଶାସନ ବ୍ରାହ୍ମଣଙ୍କୁ ଆଣି ପ୍ରଭୁଙ୍କର ପୂଜା କରିବାକୁ ସ୍ଥିର କଲେ । ଦିଦିନ ବିତିଗଲା ପରେ ତୃତୀୟ ଦିନ ରାତିରେ ରାଜାଙ୍କୁ ସ୍ବପ୍ନାଦେଶ ହେଲା –

ମୋର କାର୍ତ୍ତିକ ମାସେ ପ୍ରିୟବତୀ,
ରାଇଦାମୋଦର ପୂଜା ପୂଜନ୍ତି ।
ସେହିଠାରେ ମୋର ବଡ଼ ଶରଧା,
ଯେହୁ ପୂଜନ୍ତି ଦାମୋଦର ରାଧା ମୋର
ଏ ମାସେ ପୂଜା ଦାମୋଦର,
ବାଳଭୋଗକୁ ଶରଧା ମୋହର ।
ଯେଉଦିନୁ କୋପିଲୁ ଦଣ୍ଡଧାରୀ,
ମୋତେ ସମୁନ୍ଦେ ବିପ୍ର ନାରୀ।
ରାଇଦାମୋଦର ରସେ ମଜିଲେ,
ମୋତେ ଉଛୁର ବେଳରେ ପୂଜିଲେ ।
ତେଣୁ ରହିଲି ଭାବେ ବନ୍ଦୀ ହୋଇ, ।
ଆଉ ଚଳୁରେ ଦୃଶ୍ୟ ହେବ ନାହିଁ ।
ମୋର ପଣ୍ଡାମାନଙ୍କ ଦୋଷ ନାହିଁ,
ତାଙ୍କୁ ଧରାଇ ରଖିଛୁ କିପାଇଁ।
ଉପବାସରେ ଦେହ ଥରଥର,
ମୋର ପଣ୍ଡାଙ୍କୁ ଆଣି ଭୋଗକର ।

Radha Damodar Puja - photo 2017
Radha Damodar Puja – photo 2017

ସ୍ଵପ୍ନାଦେଶ ପରେ ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ । ରାତି ପାହିଲା । ନିଜକୁ ଜଣେ ଦୋଷୀ ପିଲାଟି ପରି ରାଜା ପଣ୍ଡାଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । ସ୍ନାନାନ୍ତେ ପଣ୍ଡାମାନେ ପୁଣି ଶ୍ରୀଜଗନ୍ନାଥଙ୍କଠାରେ ପୂଜା ଆରମ୍ଭ କଲେ । କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥଙ୍କର ଦାମୋଦର ବେଶ କରିବା ପାଇଁ ରାଜା ସେବକମାନଙ୍କୁ ନିର୍ଦ୍ଦେଶ ଦେଲେ । ଦାମୋଦର ବେଶ ପାଇଁ ଯେତେ ସବୁ ବିଧାନ ସେସବୁ ର ଆୟୋଜନ ରାଜା ସେହିଦିନଠାରୁ କଲେ

ଦାମୋଦର ବେଶ ଯେତେ ବିଧାନ,
ସେହିଦିନୁ ତିଆରିଲା ରାଜନ ।
ସେହିଦିନୁ ଦାମୋଦର ମୂରତି,
ପ୍ରଭୁ କାର୍ତ୍ତିକ ମାସେ ହୋଇଛନ୍ତି ।
ପ୍ରଭୁପଣର ପରିମୁଣ୍ଡା ଯାଇଁ,
ଦାମୋଦରଟି ହେଲେ ତହିଁପାଇଁ ।
ତେଣୁ କାର୍ତ୍ତିକ ବ୍ରତ ଯେଉଁମାନେ,
ପ୍ରଭୁ ଥାଆନ୍ତି ତାଙ୍କ ସମ୍ବିଧାନେ ।

error: Content is protected !!