ବାଲିସାହିରେ ଅବସ୍ଥିତ ମା’ବରାହୀ ଠାକୁରାଣୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି । ମା’ସମୁଦ୍ରର ବାଲିପାହାଡ ଉପରେ ଅବସ୍ଥାପିତ ହୋଇଥିବାରୁ ଏହି ସାହିର ନାମ ବାଲି ସାହି ରଖା ଯାଇଥିବା ସ୍ଥାନୀୟ ଅଧିବାସୀ କହିଥାନ୍ତି । ବିମଳାଙ୍କ ନିକଟରେ ସହସ୍ର କୁମ୍ଭ ବରଣ ହେବା ଦିନ ଠାରୁ ମା’ବରାହୀ ଠାକୁରାଣୀଙ୍କ ଷୋଡଶପୂଜା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ମା’ବରାହୀ ଠାକୁରାଣୀ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ । ଶ୍ରୀଜୀଉଙ୍କ ଅନବସର ସମୟରେ ଦଇତାପତିଙ୍କ ବନଜାଗ ଯାତ୍ରା ଆରମ୍ଭ ହେବା ଦିନଠାରୁ ମା’ବରାହୀଙ୍କ ପାଖରେ ଯଜ୍ଞ କରାଯିବା ସହ ଚଣ୍ଡୀପାଠ ଅନୁଷ୍ଟିତ ହୁଏ ।
ଏବେ ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳିଆଳତି, ଅବକାସ, ମାଜଣା, ମଇଲମ ଓ ବଲ୍ଲଭ ଧୂପ କରାଯାଉଛି । ବାଳ ଭୋଗରେ ଖଇକୋରା, ଚୁଡାଘଷା, ଧୁଆମୁଗ, ସେଉ, କଳଦୀ, କାକୁଡି, ନଡିଆ ଓ କମଳା ଆଦି ଫଳଭୋଗ କରାଯାଉଛି । ଷୋଳପୂଜା ପରେ ମାଙ୍କ ପାର୍ବତୀ, ଭୁବନେଶ୍ଵରୀ, ‘ସର୍ବମଙ୍ଗଳା, ମହାଲକ୍ଷ୍ମୀ, ବନଦୁର୍ଗା, ଜୟଦୁର୍ଗା, ସିଂହବାହିନୀ ବେଶ କରାଯାଏ। ବେଶ ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥାଏ । ଜଗତଜ୍ୟୋତି ରଥଶର୍ମା ମା’ଙ୍କ ପୂଜା କରୁଛନ୍ତି । ମା’ଙ୍କୁ ଦିପ୍ରହର ଧୂପରେ ଶଙ୍ଖୁଡି ଭୋଗ କରାଯାଏ ନାହିଁ । ଅମାଲୁ, କାକରା, ଧୁଆମୁଗ ସମେତ ବିଭିନ୍ନ ଫଳଭୋଗ କରାଯାଏ । ସନ୍ଧ୍ୟା ସମୟରେ ସନ୍ଧ୍ୟାଆଳତି ଅନୁଷ୍ଠିତ ହୁଏ । ତା’ପରେ ମା’ଙ୍କ ନିକଟରେ ଚଣ୍ଡୀପାଠ କରାଯାଏ । ସନ୍ଧ୍ୟାଧୂପରେ ଶୁଖୁଲି ଭୋଗ ଓ ଫଳ ଭୋଗ କରାଯାଏ । ରାତିରେ ଖେଚୁଡି ଡାଲମା, କାକରା ଓ ଖିରି ଭୋଗ କରାଯାଏ । ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ଆମିଷ ଭୋଗ କରାଯାଏ । ଶ୍ରୀମନ୍ଦିର ପକ୍ଷରୁ ମା’ଙ୍କ ପାଇଁ ଲାଗିପାଟ, ଚନ୍ଦନଖଣ୍ଡି ଓ ରାଶିତେଲ ପ୍ରଦାନ କରାଯାଏ । ମାଙ୍କ ମୁହଁ ଉତ୍ତର ମୁଖା ଅବସ୍ଥାରେ ରଖୁଥିବାରୁ ସେ ସର୍ବଦା ବିପଦ ରକ୍ଷାକାରୀଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କୁ ଯିଏ ଯେତେବେଳେ ଡାକେ ମା ବରାହୀ ମନୋସ୍କାମନା ପୁରଣ କରିଥାଆନ୍ତି । ପ୍ରତ୍ୟେହ ରାତିରେ ମା’ଙ୍କୁ ବଡ଼ସିଂହାର ବେଶ କରାଯିବା ପରେ ପହୁଡ କରାଯାଏ।