ଲୌକିକ ଦୀପାବଳୀ ଏବଂ ଦେବ ଦୀପାବଳୀ ନାମରେ ଦୁଇଟି ଦୀପାବଳୀ ପାଳିତ ହୁଏ । ପ୍ରଥମ ଦୀପାବଳୀ କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ ହେଲାବେଳେ ଦ୍ବିତୀୟ ଦେବଦୀପାବଳୀ ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଶୁକ୍ଳ ପ୍ରତିପଦା ତିଥିରେ ତ୍ରିଦିବସ ବ୍ୟାପୀ ଅନୁଷ୍ଠିତ ହୁଏ । ପ୍ରଥମଟିରେ ଲୋକମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ କଲାବେଳେ ଦ୍ବିତୀୟଟିରେ ମହାପ୍ରଭୁ ସ୍ଵୟଂ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବାର ପରମ୍ପରା ରହିଛି ।
କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୁଏ ଦୀପାବଳୀ, କାଳୀପୂଜା, ପୟାଶ୍ରାଦ୍ଧ ଏବଂ ଲକ୍ଷ୍ମୀପୂଜା । ତେଣୁ ଏହି ତିଥି ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ । ଦୀପାବଳୀ ପାଳନ ପଶ୍ଚାତ୍ରେ ନିହିତ ପୌରାଣିକ ତଥ୍ୟ ଅନୁସାରେ ମହାରାଜ ପୃଥୁଙ୍କ ଦ୍ଵାରା ପୃଥିଦୋହନ ପୂର୍ବକ ଦେଶକୁ ଧନଧାନ୍ୟାଦିରେ ସମୃଦ୍ଧ କରିବା ଉପଲକ୍ଷେ ଦୀପାବଳୀ ପାଳନ, ଉକ୍ତ ତିଥିରେ ସାଗର ମନ୍ଥନରୁ ମହାଲକ୍ଷ୍ମୀଙ୍କ ଆବିର୍ଭାବ ହେତୁ ଜନମାନସରେ ଉଲ୍ଲାସ, ଆନନ୍ଦ ପ୍ରକଟନ ପୂର୍ବକ ଦୀପୋତ୍ସବର ଆୟୋଜନ, କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀରେ ଶ୍ରୀକୃଷ୍ଣଙ୍କ ଦ୍ବାରା ନରକାସୁରର ସଂହାର ଏବଂ ତାର ବନ୍ଦୀଗୃହରୁ ଷୋହଳ ହଜାର ରାଜକନ୍ୟାଙ୍କୁ ଉଦ୍ଧାର ଉପଲକ୍ଷେ ଶ୍ରୀକୃଷ୍ଣଙ୍କୁ ଏବଂ ରାଜ୍ୟବ୍ୟାପୀ ପ୍ରଦୀପ ମାଳାରେ ଅଭିନନ୍ଦନ, ବନବାସରୁ ପାଣ୍ଡବମାନଙ୍କର ସକୁଶଳ ପ୍ରତ୍ୟାବର୍ତ୍ତନ ନିମିତ୍ତ ଦୀପୌରବ, ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କ ବନବାସ ଏବଂ ରାବଣ ବଧ ପରେ ଅଯୋଧାକୁ ପ୍ରତ୍ୟାଗମନ ଉପଲକ୍ଷେ ଦୀପମାଳାରେ ସ୍ବାଗତ ସମ୍ବର୍ଦ୍ଧନା, ଦିଗବିଜୟୀ ରାଜା ବିକ୍ରମାଦିତ୍ୟଙ୍କର ବିଜୟୋତ୍ସବ ନିମିତ୍ତ ଆଲୋକର ଉତ୍ସବ ପାଳିତ ହେବା କଥା ବର୍ଣ୍ଣିତ ଅଛି ।
ପୟାଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେଉଁଥିରେ ଦଶବିଶ୍ୱଦେବା, ସପ୍ତର୍ଷି ଏବଂ ପିତୃପୁରୁଷମାନଙ୍କୁ ଦୀପସହ କଦଳୀ, ନଡ଼ିଆ ଆଦି ସମର୍ପଣ କରାଯାଏ । ପିତୃପୁରୁଷମାନେ ମହାଳୟା ଦିନ ମର୍ତ୍ତ୍ୟକୁ ଆସି ଦୀପାବଳୀ ଦିନ ସ୍ଵଧାମକୁ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସେମାନଙ୍କର ମାର୍ଗ । ଆଲୋକିତ କରି ବିସର୍ଜନ କରାଯାଏ । ଶ୍ରାଦ୍ଧକର୍ତ୍ତା କାଉଁରିଆ ହୁଳାମାନ ଲଗାଇ, ପୁଅ ଭାଇ ଆଦିଙ୍କୁ ଧରାଇ ପିତ୍ରାଦିଙ୍କୁ ଆଲୁଅ ଦେଖାଇ ବିଦାୟ ଦିଅନ୍ତି ।
ପିତୃଲୋକଂ ପରିତ୍ୟଜ୍ୟ ଆଗତା ଯେ ମହାଳୟ । ଉତ୍କଳ ଜ୍ୟୋତିଷାବର୍ମୁ ପ୍ରପଶ୍ୟନ୍ତୋ ବ୍ରଜନ୍ତୁ ତେ |
ଦୀପାବଳୀ ପୁରାଣମାନଙ୍କରେ ସୁଖରାତ୍ର କୁହାଯାଇଛି ଯେଉଁଥିରେ ନିଜର ସୁଖ ସମୃଦ୍ଧି ନିମିତ୍ତ ଦୀପମାଳା ଦ୍ଵାରା ଲକ୍ଷ୍ମୀପୂଜା କରଣୀୟ । ଦୀପାବଳୀ ତିଥିରେ ମହାକାଳୀଙ୍କ ଉପାସନା ବହୁ ସ୍ଥାନରେ କରାଯାଏ । ସେ ପ୍ରଳୟ କାଳରେ ସଂପୂର୍ଣ୍ଣ ସୃଷ୍ଟିକୁ ଭକ୍ଷଣ କରୁଥିବାରୁ କାଳୀରୂପେ ବିଦିତା । | କଳୟତି ଭକ୍ଷୟତି ପ୍ରଳୟକାଳେ ସର୍ବମିତି କାଳୀ । ଭାରତର ବିଭିନ୍ନ ସ୍ଥାନରେ ଦୀପାବଳୀ ଭିନ୍ନ ଭିନ୍ନ ରୂପେ ପାଳିତ ହୁଏ । ଉକ୍ତ ଦିନ ମହାଲକ୍ଷ୍ମୀ ପୂଜନ, ବିନାୟକ ପୂଜନ, ମହାକାଳୀ ପୂଜନ, ଲେଖନୀ ପୂଜନ, ପୁସ୍ତକ ପଞ୍ଜିକା ଏବଂ ସରସ୍ଵତୀଙ୍କର ପୂଜନ, କୁବେର । ପୂଜନ ଏବଂ ଦୀପାମାଳିକା ପୂଜନର ପରମ୍ପରା ରହିଛି । ସନତ୍ କୁମାର ସଂହିତା ଅନୁସାରେ ଭଗବାନ୍ ବାମନ ବଳିରାଜାଙ୍କ ଠାରୁ ଦାନ ଗ୍ରହଣ ପରେ ତାଙ୍କୁ ବରଦାନ କରିଥିଲେ । ରାଜା ବଳି ଲୋକ କଲ୍ୟାଣ ଉଦେଶ୍ୟରେ ପ୍ରାର୍ଥନା କରିଥିଲେ ଯେ ଉକ୍ତ ଦିନ ଯେଉଁମାନେ ମୃତ୍ୟୁଦେବତା ଯମଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ, ସେମାନେ ଯମ ଯାତନା ଭୋଗିବେ ନାହିଁ ଏବଂ ସେମାନଙ୍କ ପ୍ରତି ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ ।
ଉପସ୍ଥାପନା- ଡ. ଶ୍ରୀ ନିବାସ ଆଶ୍ଚର୍ଯ୍ୟ