ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର ଦୁଇକଡରେ ଧାଡି ଧାଡି ନଡିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟପୀଠ ହେଉଛି ଦାସିଆ ବାଉରିଙ୍କ ଜନ୍ମ,କର୍ମ,ସାଧନା ଓ ମହାସମାଧିର ସ୍ଥଳ। ଭକ୍ତ ଦାସିଆ ଥିଲେ ଜାତିରେ ଖଦାଳ ସମ୍ପ୍ରଦାୟର। ପେସା ଲୁଗା ବୁଣିବା;ଭକ୍ତି ଓ ଭାବନାରେ ସର୍ବଦା ଶ୍ରୀଜଗନ୍ନାଥ ତାଙ୍କ ପାଖରେ ଯେପରି ବନ୍ଧା ପଡିଥିଲେ। ପଡୋଶୀ ପ୍ରହରାଜପୁର ଗାଁର ଜନୈକ ବ୍ରାହ୍ମଣ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ର ଧାମକୁ ଯାଉଥିବାରୁ ଦାସିଆ ବାଉରି କହିଥିଲେ- ‘ଗୋସାଇଁ ଆଜ୍ଞା !ତୁମେ ତ ଶ୍ରୀକ୍ଷେତ୍ର ଯାଉଛ,ଏଇ ନଡିଆ ଦୁଇଟି ନେଇ ଶ୍ରୀଜଗନ୍ନାଥଙ୍କୁ ଦେଇଦେବ ଆଉ କହିବ ବାଲିଗାଁ ଦାସ ପଠାଇଛି। ସେ ଯଦି ନିଜ ହାତରେ ନେବେ ତ ଦେବ ନୋହିଲେ ଫେରାଇ ଆଣିବ।’
କାଳିଆ ସାଆନ୍ତ ଦାସିଆ ଭକ୍ତିରେ ସନ୍ତୁଷ୍ଟ ହୋଇ ଶୂନ୍ୟରେ ଶ୍ରୀହସ୍ତ ବଢାଇ ଗରୁଡସ୍ତମ୍ଭ ନିକଟରୁ ଦାସିଆ ପଠାଇଥିବା ଶ୍ରୀଫଳକୁ ଗ୍ରହଣ କରିଥିଲେ। ଆଉ ଦିନକର ଘଟଣା। ଭକ୍ତ ଦାସିଆଙ୍କ କୂଟୀର ନିକଟରେ ଥିବା ପବିତ୍ର ଗୋଠ ଗାଡିଆରେ ଦାସିଆ ନିଜର ପତ୍ନୀଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ଦୃଶ୍ୟ ଦେଖାଇଥିଲେ। ଏକଥା ଚାରିଆଡେ ପ୍ରଘଟ ହୋଇ ଯାଇଥିଲା।ପଚଂସଖାର ଯୁଗର(ଅଚ୍ୟୁତ,ଅନନ୍ତ,ଯଶୋବନ୍ତ,ଜଗନ୍ନାଥ ଓ ବଳରାମ ଦାସ)ପ୍ରମୁଖ ଦିନେ ବାଲିଗାଁରେ ପହଚିଂ ଭକ୍ତ ଦାସିଆଙ୍କ ଗୋଠ ଗାଡିଆରେ ଭକ୍ତିର ଦିବ୍ୟଚକ୍ଷୁରେ ଅନନ୍ତଶୟନରତ ଶ୍ରୀନାରାୟଣଙ୍କ ଦଶାବତାର ରୂପ ଦର୍ଶନକରି ଆଶ୍ଚର୍ଯ୍ୟ ହୋଇଥିଲେ। ଥରେ କେହି ଜଣେ ବ୍ୟକ୍ତି ପବିତ୍ର ଗୋଠ ଗାଡିଆରୁ ମାଛ ଧରି ରାନ୍ଧିବା ପାଇଁ କଡେଇରେ ବନ୍ଦୋବସ୍ତ କରୁଥିବାବେଳେ କଡେଇସାରା ରକ୍ତରେ ପରିପୂର୍ଣ୍ଣ ହୋଇଯାଇଥିଲା। ସେବେ ଠାରୁ ଏହି ଗାଡିଆରୁ କେହି ମାଛ ମାରି ନାହାନ୍ତି।