ମହାକାଳୀଙ୍କର ସୃଜନ କଳାର କଳାତ୍ମକ ରୂପ ହେଉଛନ୍ତି ଭଦ୍ରକାଳୀ। ସେ ସୁଶ୍ରୀ,ସ୍ନିଗ୍ଧା,କିନ୍ତୁ ନଶ୍ଵର ତାର ପ୍ରତୀକ ଭାବରେ ପ୍ରକୃତି ସ୍ଵରୂପିଣୀ। ସେ ହିମାଳୟ କନ୍ୟା ଉମା,ବନବାସିନୀ ବନଦୁର୍ଗା,ଏକାମ୍ରବାସିନୀ,ପାପନାସିନୀ,ଦେବୀଶାକମ୍ବରୀ ଆଦି ଅନେକ ନାମରେ ପରିଚିତା ଅଟନ୍ତି। ବିଷ୍ଣୁଧର୍ମୋତ୍ତର ପୁରାଣରେ ଭଦ୍ରକାଳୀଙ୍କର ବର୍ଣ୍ଣନା ଅଛି। ସେଥିରେ ଉଲ୍ଲେଖ ଅଛି-
“ଅଷ୍ଟାଦଶ ଭୁଜା କାର୍ଯ୍ୟା
ଭଦ୍ରକାଳୀ ମନୋହରା
ଆଳିଢସ୍ଵାସନସ୍ତାଚ
ଚତୁଃସିଂହେ ରଥେ ସ୍ଥିତା। “
ଅର୍ଥାତ୍ ଦେବୀ ଅଷ୍ଟଭୁଜା ମନୋହର ସ୍ଵରୂପା,ତ୍ରିନେତ୍ରା ଏବଂ ଚାରିଟି ସିଂହ ବାହି ନେଉଥିବା ଏକ ରଥରେ ଅଳିଢାସନରେ ଉପବେଶନ କରିଥାନ୍ତି। ଅଷ୍ଟଭୁଜରେ ସେ ଅକ୍ଷମାଳା, ତ୍ରିଶୂଳ,ଖଡ୍ଗ,ଚନ୍ଦ୍ର,ବାଣ,ଧନୁ,ଶଙ୍ଖ,ପଦ୍ମ,ଶ୍ରୁକ,ସୃବ,କମଣ୍ଡଳୁ,ଦଣ୍ଡ,ଶକ୍ତି,ଅଗ୍ନି,କୃଷ୍ଣାଜିନ,ଜଳପାତ୍ର ଏବଂ ରତ୍ନପାତ୍ର ଧାରଣ କରିଥାନ୍ତି। ଏହି ଦେବୀଙ୍କ ସଂପର୍କରେ ଦେବୀପୁରାଣରେ ଏକ ସୁନ୍ଦର ବର୍ଣ୍ଣନା ରହିଛି। ଦେବୀ ମହିଷାସୁରକୁ ତିନିବାର ବଧ କରିଥିଲେି। ପ୍ରଥମ ବାର ଅଷ୍ଟାଦଶଭୁଜା ଉଗ୍ରଚଣ୍ଡୀ ରୂପରେ ଦ୍ଵିତୀୟ ଓ ତୃତୀୟ ବାର ଦଶଭୁଜା ଦୁର୍ଗା ରୂପରେ ମହିଷାସୁରକୁ ବଧ କରିଥିଲେି।
କିନ୍ତୁ ଭଦ୍ରକାଳୀ ଭାବରେ ନାମିତ ଯେଉଁ ମୂର୍ତ୍ତିଟି ଦେବୀ ସୁଭଦ୍ରାଙ୍କ ରଥରେ ପାର୍ଶ୍ଵଦେବୀ ଭାବରେ ରହିଥାଏ;ସେହି ଭଦ୍ରକାଳୀଙ୍କର ମୂର୍ତ୍ତି ସଂପୂର୍ଣ୍ଣ ସ୍ଵତନ୍ତ୍ର। ସେ ଦେବୀ ବନଦୁର୍ଗା ବା ଶାକମ୍ବରୀ ସଦୃଶ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିଛନ୍ତି। ପଛପଟ ବାମ ହସ୍ତରେ ଦେବୀ ଶଙ୍ଖ,ଦକ୍ଷିଣ ହସ୍ତରେ ଚକ୍ର ଧାରଣ କଲାବେଳେ ସମ୍ମୁଖ ବାମ ହସ୍ତରେ ଧନୁ ଓ ଦକ୍ଷିଣ ହସ୍ତରେ ଶର ଧାରଣ କରିଥାନ୍ତି। ବାମ ଭୁଜରେ ଏକ ମୟୂର ବସିଛି। ଦେବୀଙ୍କର ବାମ ପାଦ ଭୂମି ସ୍ପର୍ଶ କରୁଥିଲାବେଳେ ଦକ୍ଷିଣ ପାଦଟି ବକ୍ର ହୋଇ ବାମ ପଟକୁ ରହିଛି। ସେହି ପାଦଟିକୁ ଚତୁର୍ଭୁଜ ବିଷ୍ଣୁ ଆଣ୍ଠେଇ ପଡି ଧରିଛନ୍ତି ଓ ଦକ୍ଷିଣ ହସ୍ତରେ ଦେବୀଙ୍କ ପାଦର ଏକ କଣ୍ଟକ ଉତ୍ପାଟନ କରୁଛନ୍ତି। ଦେବୀଙ୍କ ଦକ୍ଷିଣ ପାର୍ଶ୍ଵରେ ଶିବ ଆଣ୍ଠୁମାଡି ରହିଛନ୍ତି।