2,812

ସୁଭଦ୍ରାଙ୍କ ରଥରେ ଚାମୁଣ୍ଡା

ସର୍ବ ଭାରତୀୟ ପରମ୍ପରାରେ ଦେବୀ ବିଭିନ୍ନ ରୂପରେ ପୂଜିତ ହୁଅନ୍ତି। ତାଙ୍କର ବୟସ ଅନୁସାରେ ତାଙ୍କର ବିଭିନ୍ନ ନାମ ରହିଛି। ଯେତେବେଳେ ସେ ଗୋଟିଏ ବର୍ଷର ଶିଶୁ ତାଙ୍କ ନାମ ସନ୍ଧ୍ୟା। ତାଙ୍କୁ ଯେତେବେଳେ ଦୁଇ ବର୍ଷରେ ସେ ସରସ୍ଵତୀ,ସାତ ବର୍ଷରେ ଚଣ୍ଡିକା, ଆଠ ବର୍ଷରେ ସମ୍ଭାବୀ,ନଅ ବର୍ଷରେ ଦୁର୍ଗା,ଦଶ ବର୍ଷରେ ଗୈାରୀ,ତେର ବର୍ଷରେ ସେ ମହାଲକ୍ଷ୍ମୀ ଏବଂ ଷୋଳ ବର୍ଷରେ ସେ ଲଳିତା।

ସୁଭଦ୍ରାଙ୍କ ରଥରେ ଚାମୁଣ୍ଡା
ସୁଭଦ୍ରାଙ୍କ ରଥରେ ଚାମୁଣ୍ଡା

କିନ୍ତୁ ନିଜର ଶକ୍ତି ପ୍ରଦର୍ଶନ କାର୍ଯ୍ୟ କଲାପରେ ତାଙ୍କ କାର୍ଯ୍ୟକଲାପରେ ତାଙ୍କ ନାମ ସ୍ଵତନ୍ତ୍ର ହୋଇଥାଏ। ଯେପରି ମହିଷାସୁରକୁ ବଧ କଲାବେଳେ ତାଙ୍କ ନାମ ମହିଷମର୍ଦ୍ଦିନୀ ହୋଇଥିଲା।ସେହିପରି ଦ୍ଵାପର ଯୁଗ ଶେଷରେ ବିପ୍ରଚିତ ବଂଶରେ ଜନ୍ମ ଅସୁରଙ୍କୁ ନିପାତ କରି ତାଙ୍କ ନାମ ହୋଇଥିଲା ଚାମୁଣ୍ଡା। ବ୍ରହ୍ମାଣ୍ଡରେ ଚାମୁଣ୍ଡା ଭାବରେ ପ୍ରସିଦ୍ଧି ଲାଭ କରିବାକୁ ସେ ଆଶୀର୍ବାଦ ପାଇଥିଲେ।

ଶେଖରଂ ଚଣ୍ଡମୁଣ୍ଡାଭ୍ୟାଂ
ଯସ୍ମାଦ୍ଧାରୟସେ ଶୁଭମ୍
ତସ୍ମାଲ୍ଲୋକେ ତବ ଖ୍ୟାତି
ଶ୍ଚାମୁଣ୍ଡେତି ଭବିଷ୍ୟତି।
(ବାମନ ପୁରାଣ ୫୫/୭୩)

ଶିଳ୍ପଶାସ୍ତ୍ର ଅନୁସାରେ ଏହି ଦେବୀ ହାତରେ ଖଡ୍ଗ ମୂଷଳ,ହଳ ଓ ସୁରାପାତ୍ର ଧାରଣ କରିବାର ବର୍ଣ୍ଣନା ରହିଛି।

ଖଡଗଂପାତ୍ର ଚ ମୂଷଳଂ
ଲାଙ୍ଗଳଂ ଚ ବିଭର୍ତ୍ତିସା
ଆଖ୍ୟାତା ରକ୍ତ ଚାମୁଣ୍ଡା
ଦେବୀ ଯୋଗେଶ୍ଵୀତି ଚ।(ରୂପ ମଣ୍ଡନ)

ବିଷ୍ଣଧର୍ମୋତ୍ତର ପୁରାଣ ଅନୁସାରେ ଚାମୁଣ୍ଡା ଚତୁର୍ଭୁଜା ତ୍ରିନେତ୍ରା ଉନ୍ମୁକ୍ତ କେଶରାଶି ସଂପନ୍ନା।କେତେକ ସ୍ଥାନରେ ଜଟାଧାରିଣୀ। ଗୋଟିଏ ହସ୍ତରେ କପାଳ ଓ ଶୂଳ ଧାରଣ କଲାବେଳେ ଅନ୍ୟ ଦୁଇ ହସ୍ତ ବରଦ ଓ ଅଭୟ ମୁଦ୍ରାରେ ରହିଥାଏ।ପଦ୍ମାସନରେ ଉପବିଷ୍ଟା ଦେବୀଙ୍କ ଗଳାରେ କପାଳ ମାଳ ଯଜ୍ଞୋପବୀତ ଭାବରେ ଲମ୍ବି ଯାଇଥାଏ। ଜଟାଦେଶରେ ବ୍ୟାଘ୍ରଚର୍ମ ଆବୃତ ହୋଇଥାଏ। ଦେବୀ ଶବାରୁଢା ଅଟନ୍ତି। କିନ୍ତୁ ସୁଭଦ୍ରାଙ୍କ ରଥରେ ଯେଉଁ ପାର୍ଶ୍ଵଦେବୀ ଚାମୁଣ୍ଡା ଭାବରେ ଅବସ୍ଥାପିତା ତାଙ୍କ ପଲଙ୍କ ତଳେ ଏକ ପ୍ରେତ ଶୟନ କରିଥିବାର ଦେଖାଯାଏ। ଦେବୀ ଅଷ୍ଟଭୁଜା। ଖଡ୍ଗ ,ତ୍ରିଶୂଳ,ଶର,ଧନୁ,ପାନପତ୍ର,ମତ୍ସ୍ୟ ଓ ଶୃବ ଧାରଣ କରିଚନ୍ତି। ମସ୍ତକରେ ଅର୍ଦ୍ଧଚନ୍ଦ୍ର ଧାରଣ କରିଛନ୍ତି।ସମ୍ମୁଖ ହସ୍ତରେ ଦେବୀ ଶୃବ ଧାରଣ କଲାବେଳେ ବାମ ସମ୍ମୁଖ ହସ୍ତଟି ଦେବୀଙ୍କର ଓଷ୍ଠଲଗ୍ନା ହୋଇଛି। ଦେବୀଙ୍କର ଅର୍ଦ୍ଧାଂଶ କୃଷ୍ଣବର୍ଣ୍ଣ ଏବଂ ନିମ୍ନ ଅର୍ଦ୍ଧାଂଶ ପୀତ ବର୍ଣ୍ଣ ବସ୍ତ୍ରରେ ଆଛାଦିତ। ପାଦରେ ଦେବୀ ନୂପୁର ପରିଧାନ କରିଥାନ୍ତି। ଏକାଧାରାରେ ଯଜ୍ଞମୂର୍ତ୍ତି ଓ ସଂହାର ମୂର୍ତ୍ତି।

error: Content is protected !!