0
Your Cart
0
Your Cart
2,995

ଶିବ ନୈବେଦ୍ୟ ସେବନର ନିୟମ

Writer: Kumar Aurojyoti

ଆମେମାନେ ସାଧାରଣତଃ ଶିବଲିଙ୍ଗରେ ଲାଗି ହୋଇଥିବା ବେଲ ପତ୍ର, କଦଳୀ ଇତ୍ୟାଦିକୁ ପ୍ରସାଦ ଆକାରରେ ସେବନ କରିଥାଉ। ମାତ୍ର ଏହାକୁ ସେବନ କରିବାର ନିୟମ ଅଛି ଯାହାକି ଶିବ ପୁରାଣରେ ବର୍ଣ୍ଣିତ। ତାହା ହେଲା –

ଶିବଙ୍କର ଦୀକ୍ଷା ନେଇଥିବା ଶିବ ଭକ୍ତ ପୁରୁଷଙ୍କ ନିମନ୍ତେ ସମସ୍ତ ଶିବଲିଙ୍ଗର ନୈବେଦ୍ୟ ଶୁଭ ଏବଂ ମହାପ୍ରସାଦ, ଅତଏବ ତାଙ୍କ ପାଇଁ ଏହା ସେବନୀୟ। ମାତ୍ର ଯେଉଁମାନେ ଅନ୍ୟ ଦେବତାଙ୍କ ଦୀକ୍ଷା ନେଇଛନ୍ତି, କିନ୍ତୁ ସେମାନଙ୍କର ଶିବଙ୍କ ପ୍ରତି ଭକ୍ତି ଅଛି, ସେମାନେ ଶିବ ନିର୍ମାଲ୍ୟ ସେବନ ସମୟରେ ନିମ୍ନ ନିୟମ ପାଳନ କରିବା ଉଚିତ।

ଯେଉଁଠାରୁ ଶାଳଗ୍ରାମ ଶିଳାର ଉତ୍ପତ୍ତି ହୁଏ, ସେଠାରୁ ଉତ୍ପନ୍ନ ଲିଙ୍ଗରେ, ରସ ଲିଙ୍ଗରେ (ପାରଦ ଶିବଲିଙ୍ଗ), ପାଷାଣ, ରଜତ ତଥା ସୁବର୍ଣ୍ଣରେ ନିର୍ମିତ୍ତ ଲିଙ୍ଗରେ, ଦେବତା ତଥା ସିଦ୍ଧଙ୍କ ଦ୍ୱାରା ପ୍ରତିଷ୍ଠିତ ଲିଙ୍ଗରେ, କେସର ନିର୍ମିତ୍ତ ଲିଙ୍ଗରେ, ସ୍ଫଟିକ ଲିଙ୍ଗରେ, ରତ୍ନ ନିର୍ମିତ୍ତ ଲିଙ୍ଗରେ, ତଥା ସମସ୍ତ ଜ୍ୟୋତିର୍ଲିଙ୍ଗରେ ବିରାଜମାନ ଭଗବାନ ଶିବଙ୍କର ନୈବେଦ୍ୟର ସେବନ ଚାନ୍ଦ୍ରାୟାଣ ବ୍ରତର ସମାନ ପୁଣ୍ୟଦାୟକ। ବ୍ରହ୍ମହତ୍ୟା କରିଥିବା ପୁରୁଷ ମଧ୍ୟ ଯଦି ପବିତ୍ର ହୋଇ ଶିବ ନିର୍ମାଲ୍ୟର ସେବନ କରି ତାହାକୁ ଶିରରେ ଧାରଣ କରେ ତେବେ ତାହାର ସମସ୍ତ ପାପ ତୁରନ୍ତ ନଷ୍ଟ ହୋଇଥାଏ। କିନ୍ତୁ, ଯେଉଁଠାରେ ଚଣ୍ଡଙ୍କର (ଚଣ୍ଡେଶ୍ବେର, ଯେ କି ଶିବ ଗଣଙ୍କ ମଧ୍ୟରୁ ଏକ) ଅଧିକାର ଅଛି, ସେଠାକାର ଶିବ ନିର୍ମାଲ୍ୟକୁ ସାଧାରଣ ମନୁଷ୍ୟ ସେବନ କରିବା ଉଚିତ ନୁହେଁ। ଯେଉଁ ଶିବ ଲିଙ୍ଗରେ ଚଣ୍ଡଙ୍କର ଅଧିକାର ନାହିଁ, ସେହି ଶିବ ଲିଙ୍ଗର ନିର୍ମାଲ୍ୟକୁ ସମସ୍ତେ ଭକ୍ତିପୂର୍ବକ ସେବନ କରିବା ଉଚିତ। ନିମ୍ନ ଲିଖିତ ଲିଙ୍ଗକୁ ଛାଡି ଅନ୍ୟ ସମସ୍ତ ଶିବ ଲିଙ୍ଗରେ ଚଣ୍ଡଙ୍କର ଅଧିକାର ଅଛି।

ବାଣଲିଙ୍ଗ (ନର୍ମଦେଶ୍ବର ଲିଙ୍ଗ), ଲୋହ ନିର୍ମିତ୍ତ (ସ୍ଵର୍ଣାଦି ଧାତୁମୟ) ଲିଙ୍ଗ, ସିଦ୍ଧ ଲିଙ୍ଗ (ଯେଉଁ ଲିଙ୍ଗକୁ ଉପାସନା କରି କେହି ସିଦ୍ଧି ପ୍ରାପ୍ତ କରିଛନ୍ତି ବା ଯେଉଁ ଲିଙ୍ଗ ସିଦ୍ଧଙ୍କ ଦ୍ୱାରା ସ୍ଥାପିତ), ସ୍ୱୟଂଭୁ ଲିଙ୍ଗ ତଥା ଶିବଙ୍କର ମୂର୍ତ୍ତି ବା ପ୍ରତିମା – ଏସବୁରେ ଚଣ୍ଡଙ୍କର ଅଧିକାର ନାହିଁ, ଅର୍ଥାତ ଏମାନଙ୍କର ନିର୍ମାଲ୍ୟ ସେବନୀୟ।

ଯେଉଁ ମନୁଷ୍ୟ ଶିବ ଲିଙ୍ଗକୁ ବିଧିପୂର୍ବକ ସ୍ନାନ କରାଇ, ସେହି ସ୍ନାନ ଜଳକୁ ତିନିଥର ଆଚମନ କରିଥାଏ, ତାହାର କାୟିକ, ବାଚିକ ଓ ମାନସିକ ପାପ ତୁରନ୍ତ ନଷ୍ଟ ହୋଇଥାଏ। ଯେଉଁ ଶିବ ନୈବେଦ୍ୟ, ପତ୍ର, ପୁଷ୍ପ, ଫଳ ଓ ଜଳ ଅଗ୍ରାହ୍ୟ ଅଟେ, ସେଗୁଡିକ ଶାଳଗ୍ରାମ ଶିଳାର ସ୍ପର୍ଶ ଦ୍ଵାରା ପବିତ୍ର ଓ ଗ୍ରହଣଯୋଗ୍ୟ ହୋଇଥାଏ।

ଉପରୋକ୍ତ ନିୟମ ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ଦ୍ରବ୍ୟ ଗୁଡିକ ଉପରେ ଲାଗୁ ହୋଇଥାଏ। ମାତ୍ର ଯେଉଁ ବସ୍ତୁ ସବୁକୁ ଶିବ ଲିଙ୍ଗଠାରୁ ଅଲଗା କରି ଲାଗି କରାଯାଇଥାଏ, ସେଥିପାଇଁ ଏହି ନିୟମ ଗ୍ରହଣୀୟ ନୁହେଁ। ସେଗୁଡ଼ିକ ଅତ୍ୟନ୍ତ ପବିତ୍ର ଓ ସେବନୀୟ।

error: Content is protected !!