ଭାଗବତରେ ବର୍ଣ୍ଣନା ଅନୁଯାୟୀ ଶ୍ରୀବିଷ୍ଣୁଙ୍କ ଅନୁରୋଧରେ ଯୋଗମାୟା ମଙ୍ଗଳା ରୂପରେ ଆବିର୍ଭୂତ ହୋଇଥିଲେ ।
ମର୍ତ୍ତେ ହୋଇବୁ ତୁ ଯେ କାତ
ଜଗତେ ହୋଇବୁ ବିଖ୍ୟାତ
ଲୋକେ କରିବେ ତୋତେ ପୂଜା
ଅନେକ ଦେବେ ବଳିଭୋଜା
ଭକତେ ହୋଇବୁ ପ୍ରସନ୍ନ
ଅନେକ ହେବ ତୋର ନାମ
ଜୟା ବିଜୟ ଭଦ୍ରକାଳୀ
ମଙ୍ଗଳା ଚଣ୍ଡିକା କଙ୍କାଳୀ ।
(ଭାଗବତ-୧୦ମ ସ୍କନ୍ଦ)
ଏହା ବ୍ୟତୀତ ସାରଳା ଦାସ କୃତ ଚଣ୍ଡୀପୁରାଣରେ ମଙ୍ଗଳାଙ୍କ ଉତ୍ପତ୍ତି ସଂପର୍କରେ ଏକ ସୁନ୍ଦର ଉପାଖ୍ୟାନ ଅଛି। ଯେତେବେଳେ ଦେବୀ ଦୁର୍ଗା ମହିଷାସୁର ସହିତ ସଂଗ୍ରାମ କରୁଥିଲେ କ୍ଲାନ୍ତ ଦେବୀଙ୍କୁ ମହିଷାସୁର ସମୁଦ୍ର ଭିତରକୁ ନେଇ ବୁଡ଼ାଇ ମାରିବାର ଯୋଜନା କରିଥିଲା । ସେହି ସମୟରେ ଦେବୀ ଦୁର୍ଗା ଏକ ଦୀର୍ଘନିଶ୍ୱାସ ତ୍ୟାଗକଲେ । ସେହି ନିଶ୍ଵାସରୁ ମଙ୍ଗଳା ଜନ୍ମଲାଭ କଲେ । ସେ ପାଣି ଭିତରୁ ଦୁର୍ଗାଙ୍କୁ ଉଦ୍ଧାର କରି ଉପରକୁ ନେଇ ଆସିଲେ । ଦୁର୍ଗାଙ୍କର ଏହିପରି ମଙ୍ଗଳ ସାଧନ କରିଥିବାରୁ ଦୁର୍ଗା ତାଙ୍କ ନାମ ରଖିଲେ ମଙ୍ଗଳା ଏବଂ ତାଙ୍କୁ ଆଶୀର୍ବାଦ କରି କହିଲେ ତୁମେ ଗ୍ରାମ ଗ୍ରାମରେ ଅବସ୍ଥାପିତ ହୋଇ ସୃଷ୍ଟିର ମଙ୍ଗଳ କର ।
ମୋହର ସଙ୍କଟ ଯେବେ
ଫେଡ଼ିଲୁ ଅବଳା ତୋହର ନାମ ଗୋ।
ହେଉ ଶ୍ରୀସର୍ବମଙ୍ଗଳା ତିନିପୁର ମଧ୍ୟ
– ତୁହି ପାଅ ଅଗ୍ରପୂଜା
ବୃହସ୍ପତି ସମାନେ ତୁ।
ପଣ୍ଡିତ ହୁଅଯା । (ଚଣ୍ଡିପୁରାଣ)
ଦେବୀପୁରାଣ ଅନୁସାରେ ଏହି ଦେବୀ ଜଟାମୁକୁଟ ଶୋଭିତ ହୋଇ .. ସିଂହାସନ ଉପରେ ଉପବେଷନ କରିଥାନ୍ତି । ତାଙ୍କର ଅଷ୍ଟଭୁଜ ବା ଦଶଭୁଜ ଥାଏ । ଦେବୀଙ୍କ ହସ୍ତରେ ମୂଳ, ଅକ୍ଷମାଳି ବାଣ, ଧନୁ, ଦର୍ପଣ, ଖଡ୍ଗ ଆଦି ଧାରଣ କରିବା ସହିତ ପଦ୍ମ ଏବଂ କମଣ୍ଡଳୁ ଧାରଣ କରିଥାନ୍ତି । ପ୍ରସନ୍ନବଦନା ଦେବା କନକବରଣା । ସେ ମଙ୍ଗଳା, ସର୍ବମଙ୍ଗଳା ମଙ୍ଗଳଚଣ୍ଡୀ, ବାଟ ମଙ୍ଗଳା, ବଟ ମଙ୍ଗଳା ଆଦି ଅନେକ ନାମରେ ପରିଚିତା । ସୃଷ୍ଟି ପ୍ରକ୍ରିୟାରେ ବ୍ରହ୍ମାଙ୍କୁ ଦିଗଦର୍ଶନ ଦେଇଥିବାରୁ ବାଟମଙ୍ଗଳା, ଶିବଙ୍କର ସମର ଶକ୍ତି ହୋଇଥିବାରୁ ମଙ୍ଗଳାଚଣ୍ଡୀ ଭାବରେ ସେ ପୂଜିତା । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଦେବୀ ମଙ୍ଗଳା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାନ୍ତି । ଦେବୀ ଦୁର୍ଗା ଆଶ୍ୱିନ ମାସରେ ପୂଜିତ । ହେଲେ ମଧ୍ୟ ମଙ୍ଗଳା ସ୍ଵତନ୍ତ୍ର ଭାବରେ ଚୈତ୍ର ମଙ୍ଗଳବାରରେ ପୂଜିତ ହୁଅନ୍ତି । କାରଣ ଏହି ଦିନରେ ସେ ବ୍ରହ୍ମଶକ୍ତି ଭାବରେ ଆବିର୍ଭୂତା ହୋଇଥିଲେ । ଆପାତତଃ ଗ୍ରାମମାନଙ୍କରେ ଯିବାଆସିବା ପଥ ମଧ୍ୟରେ ତାଙ୍କର ସ୍ୱତନ୍ତ୍ର ପୂଜା ରମଣୀମାନେ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟରେ ଓ ଚତୁପାର୍ଶ୍ଵରେ ଅନେକ ମଙ୍ଗଳା ଥିଲେ ମଧ୍ୟ କାକଟପୁରରେ ଥିବା ମଙ୍ଗଳା ମହାପ୍ରଭୁଙ୍କର ସେବାପୂଜାରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତ ନବକଳେବର ସମୟରେ ସେ ସେବକମାନଙ୍କୁ ଦାରୁ ସନ୍ଧାନ ସଂପର୍କ ସୂଚନା ପ୍ରଦାନ କରିଥାନ୍ତି । ଶ୍ରୀସୁଭଦ୍ରା ରଥରେ ଅବସ୍ଥାନ କରୁଥିବା ଦେବ ମଙ୍ଗଳା ହେମବର୍ଣ୍ଣା, ଶ୍ୱେତବସନା, ଚତୁର୍ଭୁଜା, ମୁଖମଣ୍ଡଳ କମନୀୟ । ଦକ୍ଷିଣ ଉପର ହସ୍ତରେ ପରଶୁ, ନିମ୍ନ ହସ୍ତରେ ଅକ୍ଷମାଳ, ବାମ ଉପର ହସ୍ତରେ ନାଗଫାଶ ଓ ତଳ ହସ୍ତଟି ଧନଦ ମୁଦ୍ରାରେ ରହିଛି । ଦେବୀ ଏକ ପଦ୍ମପୀଠ ଉପରେ ବ୍ୟାଘ୍ରଚର୍ମରେ ପଦ୍ମାସନରେ ଉପବିଷ୍ଟା । ସାଧାରଣତଃ ଓଡ଼ିଶାରେ ମଙ୍ଗଳା ସର୍ବତ୍ର ଏକ ଘାଟ ଦେବୀ ଭାବରେ ପୂଜିତା । ସାଧବମାନଙ୍କ ବୋଇତରେ ପ୍ରାୟ ମଙ୍ଗଳା ଅବସ୍ଥାନ କରୁଥିବା ସହିତ ଯେଉଁ ଘାଟରୁ ବୋଇତ ଯାଏ; ସେଠାରେ ମଧ୍ୟ ମଙ୍ଗଳା ଆରାଧ୍ୟଦେବୀ ଭାବରେ ପୂଜିତା ହୋଇଥାନ୍ତି ।