1,280

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ସଂଧ୍ୟାଧୂପ ବେଶରେ ନୂଆ ବୋଇରାଣୀ ପତନି ଲାଗି ସହିତ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାନ୍ତି । ସଂଧ୍ୟାଧୂପ ସରିଲା ପରେ ଜୟବିଜୟ ଦ୍ଵାର ବନ୍ଦ ହୋଇ ଭଣ୍ଡାର ଦୁଆର ଆଗରେ ପୋଛ ମରାଯାଏ । ପରେ ପଞ୍ଚବର୍ଣ୍ଣି ମୁରୁଜରେ ଜଣେ ପୂଜାପଣ୍ଡା ‘ସର୍ବତ୍ର ଭଦ୍ର ମଣ୍ଡଳ’ ଲେଖନ୍ତି । ଶୁଦ୍ଧସୁଆର ପୂଜା ଠା କରନ୍ତେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ବିନା ବାକ୍ୟବିନିମୟରେ ବରୁଣ ପୂଜା କରିଥାନ୍ତି । ରୂପା ପଦ୍ମ ପାଖୁଡ଼ା, କୃଷ୍ଣ ଜନ୍ମପଟି ଏବଂ ସୁବର୍ଣ୍ଣ କୃଷ୍ଣ ପ୍ରତିମା ଭଦ୍ରମଣ୍ଡଳ ଉପରେ ରଖାଯାଏ । ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇ ଜନ୍ମ ଚକଡ଼ାରେ ବିଜେ କରିଥିଲେ । ଏଠାରେ ଗର୍ଭ ଉଦକ କର୍ମ, ଶୀତଳ ଭୋଗ ପରେ ଦୁଇଜଣ ମହାଜନ ସେବକ ଲୁଗା ଘୋଡ଼ାଇ ହୋଇ ଦେବକୀ ଓ ବସୁଦେବ ଭାବରେ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇଥାନ୍ତି । ଜନ୍ମନୀତି ଶେଷ ହେବା ପରେ ପ୍ରସାଦ ଲାଗି, ଦୁଧ ଲହୁଣୀ ଓ ଗାଣ୍ଡୁସ ମସଲା ସମର୍ପଣ ପୂର୍ବକ ମଣୋହି ପରେ କର୍ପୂର ଆଳତି ହୋଇ ରୂପା ଥାଳିରେ ମଦନମୋହନ ବିଜେ କରି ବାହାରକୁ ଆସିଥାନ୍ତି । ଜଣେ ସେବକ ଉଗ୍ରସେନ ଭାବରେ ଦଣ୍ଡପ୍ରଣାମ କରିଥାନ୍ତି । ଏହି ସମୟରେ ବେହେରା ଖୁଣ୍ଟିଆ ଠାକୁରଙ୍କ ମସ୍ତକ ଉପରେ ସପ୍ତଫେଣା ବାସୁକୀଙ୍କୁ ଧରି ଚାଲନ୍ତି । ମୁଦିରସ୍ତ ସେବକ ପ୍ରସାଦ ଲାଗି ଓ ବନ୍ଦାପନା କରିବା ପରେ ମଦନମୋହନ ନାଭିକଟା ମଣ୍ଡପ ଠାରେ ଖଟ ଶେଯ ଉପରେ ବିଜେ କରିଥାନ୍ତି ଏବଂ ମହାଜନମାନେ ଦକ୍ଷିଣଘରୁ ରାମକୃଷ୍ଣଙ୍କୁ ଆଣି ଖଟ ଶେଯ ଉପରେ ବିଜେ କରାଇଥିନ୍ତି । ଏହାପରେ ନାଭିଚ୍ଛେଦନ ହୋଇ ପଞ୍ଚାମୃତରେ ମହାସ୍ନାନ, ଶୀତଳଭୋଗ ମଣୋହି ଓ ବନ୍ଦାପନା ପରେ ମହାଜନମାନେ ଠାକୁରମାନଙ୍କୁ ହାତରେ ବିଜେ କରାଇ ଜଗମୋହନରେ ପ୍ରସ୍ତୁତ କରାଯାଇଥିବା ଦୋଳିରେ ବିଜେ କରାଇଥାନ୍ତି। ଏଠାରେ ଶୀତଳଭୋଗ ଛାମୁଁକୁ ଆସିବା ପରେ ପ୍ରସାଦ ଲାଗି, ପୂଜା ଓ ମଣୋହି ହୋଇ ବନ୍ଦାପନା ସରିବା ପରେ ଭିତରେ ପାଣି ପଡ଼ି ବଡ଼ସିଂହାର ଭୋଗ ଛେକ ଆସିବା ମାତ୍ରେ ରାମକୃଷ୍ଣ ରତ୍ନ ସିଂହାସନକୁ ଏବଂ ମଦନମୋହନ ଦକ୍ଷିଣଘରକୁ ବିଜେ କରିଥାନ୍ତି।

error: Content is protected !!